ଜୁଲାଇରେ ୧୬ ନିୟୁତ ନୂଆ ନିଯୁକ୍ତି ସୃଷ୍ଟି: ଅଧିକାଂଶ କୃଷି, ନିର୍ମାଣ ଶ୍ରମିକ

ବେତନଭୋଗୀଙ୍କ ସଂଖ୍ୟା ୩୨ ଲକ୍ଷ ହ୍ରାସ

ନୂଆଦିଲ୍ଲୀ: ଚଳିତ ବର୍ଷ ଜୁଲାଇରେ ଦେଶରେ ୧୬ ନିୟୁତ ନୂଆ ନିଯୁକ୍ତି ସୃଷ୍ଟି ହୋଇଛି। ଯେତିକି ସଂଖ୍ୟକ ଲୋକଙ୍କୁ ଏହି ମାସରେ ନିଯୁକ୍ତି ମିଳିଛି ତାହା ସିଙ୍ଗାପୁର ଜନସଂଖ୍ୟାର ତିନି ଗୁଣାରୁ ଅଧିକ ହେବ। କିନ୍ତୁ ଏହା ଆଦୌଁ ଉତ୍ସାହଜନକ ବିଷୟ ନୁହେଁ ବୋଲି ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନମି (ସିଏମ୍‌ଆଇଇ)ର ସିଇଓ ମହେଶ ବ୍ୟାସ କହିଛନ୍ତି। ସେ କହିଛନ୍ତି ଯେ ଜୁଲାଇରେ ଯେଉଁ ସବୁ ନିଯୁକ୍ତି ସୃଷ୍ଟି ହୋଇଛି ତାହାର ମାନ ଅତ୍ୟନ୍ତ ଦୁର୍ବଳ। ଜୁଲାଇ ମାସରେ କୃଷି କ୍ଷେତ୍ରରେ ଅତିରିକ୍ତ ୧୧.୨ ନିୟୁତ ଲୋକଙ୍କୁ ନିଯୁକ୍ତି ମିଳିଛି। କନଷ୍ଟ୍ରକ୍ସନ କ୍ଷେତ୍ରରେ ୫.୪ ନିୟୁତ ଅତିରିକ୍ତ ନିଯୁକ୍ତି ସୃଷ୍ଟି ହୋଇଥିବା ବେଳେ ମାନୁଫାକ୍‌ଚରିଂ କ୍ଷେତ୍ରରେ ନିଯୁକ୍ତି ୦.୮ ନିୟୁତ ହ୍ରାସ ପାଇଛି। ସେବା କ୍ଷେତ୍ରରେ ୫୦ ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି ହୋଇଛି। ଏହି ମାସରେ କୃଷି ଶ୍ରମିକ ଓ ନିର୍ମାଣ ଶ୍ରମିକ ଭାବେ ଅଧିକ ନିଯୁକ୍ତି ସୃଷ୍ଟି ହୋଇଛି। ସେଗୁଡ଼ିକୁ ଦୁର୍ବଳ ମାନର ନିଯୁକ୍ତି ଭାବେ ବିଚାର କରାଯାଏ।

ସିଏମ୍‌ଆଇଇ ରିପୋର୍ଟ ଅନୁସାରେ ଜୁଲାଇ ସୁଦ୍ଧା ଦେଶରେ ୧୮.୬ ନିୟୁତ ଲୋକ କ୍ଷୁଦ୍ର ବ୍ୟବସାୟୀ ଓ ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ କୃଷି କ୍ଷେତ୍ରରେ ନିୟୋଜିତ ହୋଇଛନ୍ତି। କୃଷି କ୍ଷେତ୍ରରେ ଅତିରିକ୍ତ ୧୧.୨ ନିୟୁତ ଲୋକ ନିୟୋଜିତ ହୋଇଛନ୍ତି। ବେତନଭୋଗୀଙ୍କ ସଂଖ୍ୟା କିନ୍ତୁ ଏହି ମାସରେ ୩୨ ଲକ୍ଷ ହ୍ରାସ ପାଇଛି। ବେତନ ମିଳୁଥିବା ଚାକିରିକୁ ଉନ୍ନତ ମାନର ନିଯୁକ୍ତି ଭାବେ ବିଚାର କରାଯାଏ। ଏହି କ୍ଷେତ୍ର‌ରେ ନିଯୁକ୍ତି ହ୍ରାସ ଚିନ୍ତାଜନକ ବୋଲି କୁହାଯାଉଛି। ଚାଷ କାମ ଚାଲିଥିବାରୁ କୃଷି କ୍ଷେତ୍ରରେ ଅଧିକ ଲୋକଙ୍କୁ କାମ ମିଳିଛି। ଏବର୍ଷ ଖରିଫ ବୁଣାବୁଣି ବିଳମ୍ବରେ ହୋଇଛି। ଜୁନ୍ ଶେଷ ସୁଦ୍ଧା ଖରିଫ ବୁଣାବୁଣି ଗତବର୍ଷ ତୁଳନାରେ ୨୦% କମ୍ ଥିଲା। ଜୁଲାଇ ଶେଷ ସୁଦ୍ଧା ବୁଣାବୁଣି ୫% କମ୍ ରହିଛି।

ପ୍ରତିବର୍ଷ ଜୁଲାଇରେ କୃଷି କାର୍ଯ୍ୟରେ ନିୟୋଜିତ ହେଉଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଏ। ଏହା ହେଉଛି ଋତୁ ଭିତ୍ତିକି ନିଯୁକ୍ତି। ଏହା ପରେ ଖରିଫ ଫସଲ ଅମଳ ସମୟ ଆସିଲେ ନଭେମ୍ବର ବେଳକୁ ପୁଣି କୃଷି କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଏ। ସାଧାରଣତଃ ଜୁଲାଇ ମାସରେ ଅତିରିକ୍ତ ୮-୧୨ ନିୟୁତ ଲୋକ କୃଷି କ୍ଷେତ୍ରରେ କାର୍ଯ୍ୟ କରନ୍ତି। ଏବର୍ଷ କିନ୍ତୁ ଅତିରିକ୍ତ ୧୧.୨ ନିୟୁତ ଲୋକଙ୍କୁ କୃଷି କ୍ଷେତ୍ରରେ କାର୍ଯ୍ୟ କରିଛନ୍ତି। ବେତନ ମିଳୁଥିବା ନିଯୁକ୍ତିକୁ ଉନ୍ନତ ମାନର ଚାକିରି ଭାବେ ବିଚାର କରାଯାଉଥିବା ବେଳେ ଜୁଲାଇରେ ସେଭଳି ଲୋକଙ୍କ ସଂଖ୍ୟା ୭୬.୫ ନିୟୁତକୁ ହ୍ରାସ ପାଇଛି। ଜୁନ୍ ତୁଳନାରେ ବେତନଭୋଗୀଙ୍କ ସଂଖ୍ୟା ୩.୨ ନିୟୁତ କମିଛି। ମହାମାରୀର ଦ୍ବିତୀୟ ଲହର ଆରମ୍ଭ ହେବା ପୂର୍ବରୁ ଏହି ବର୍ଗରେ ୮୦ ନିୟୁତ ଲୋକ କାର୍ଯ୍ୟ କରୁଥିଲେ। ୨୦୨୦ରେ ମହାମାରୀ ଆରମ୍ଭ ହେବା ପୂର୍ବରୁ ବେତନଭୋଗୀଙ୍କ ସଂଖ୍ୟା ୮୭ ନିୟୁତ ଥିଲା। ସେହି ଦୃଷ୍ଟିରୁ ଦେଖିଲେ ମହାମାରୀ ଆରମ୍ଭ ହେବା ପରଠାରୁ ୨୦୨୧ ଜୁଲାଇ ସୁଦ୍ଧା ବେତନଭୋଗୀ ବର୍ଗରେ ଥିବା ପ୍ରାୟ ୧୦ ନିୟୁତ ଲୋକ ନିଯୁକ୍ତି ହରାଇଛନ୍ତି।

ଶ୍ରୀଯୁକ୍ତ ବ୍ୟାସ କହିଛନ୍ତି ଯେ ଲକ୍‌ଡାଉନ୍ ଭଳି କଟକଣା ଲାଗୁ ହେଲେ କ୍ଷୁଦ୍ର ବ୍ୟବସାୟୀ ଓ ଶ୍ରମିକମାନେ ଅଧିକ ପ୍ରଭାବିତ ହୋଇଥାନ୍ତି। କିନ୍ତୁ କଟକଣା ହଟିଯିବା ପରେ ସେମାନେ ଅନ୍ୟ କାର୍ଯ୍ୟରେ ସହଜରେ ନିୟୋଜିତ ‌ହୁଅନ୍ତି। ବେତନଭୋଗୀଙ୍କୁ କିନ୍ତୁ ସେଭଳି ସୁବିଧା ମିଳେ ନାହିଁ। ସେମାନେ ସବୁ ପ୍ରକାର କାର୍ଯ୍ୟ କରିପାରନ୍ତି ନାହିଁ। ତେଣୁ ଲକ୍‌ଡାଉନ୍ ଭଳି କଟକଣା ଯୋଗୁଁ ବେତନଭୋଗୀ ବର୍ଗ ଅଧିକ ପ୍ରଭାବିତ ହୋଇଥିବା କୁହାଯାଇପାରିବ ବୋଲି ସେ କହିଛନ୍ତି। ମହାମାରୀ ଆରମ୍ଭ ହେବା ପରଠାରୁ ୧୦ ନିୟୁତରୁ ଅଧିକ ବେତନଭୋଗୀ ବେରୋଜଗାର ହୋଇପଡ଼ିବା ଅର୍ଥନୀତିର ସୁଧାର ପ୍ରତି ସବୁଠୁ ବଡ଼ ବିପଦ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର