ଚୋରି କରି ନେଇଥିବା କରୋନା ଟିକାକୁ ଫେରାଇବା ସହିତ ଚିଠିରେ ଏଭଳି କଥା ଲେଖି ଯାଇଛି ଚୋର

ଚଣ୍ଡିଗଡ଼: ହରିୟାଣାର ଜିନ୍ଦର ସିଭିଲ ହସ୍ପିଟାଲ୍‌ର ଷ୍ଟୋର୍‌ ରୁମ୍‌ରୁ ଅଜ୍ଞାତ ଦୁର୍ବୃତ୍ତ  ‘କୋଭାକ୍ସିନ୍‌’ ଏବଂ ‘କୋଭିସିଲ୍‌ଡ୍‌’ ଟିକା ଚୋରାଇ ନେଇଥିବା ଘଟଣା ସାମ୍ନାକୁ ଆସିଥିଲା। ଏହାପରେ ଜିଲ୍ଲାରେ ‘କୋଭାକ୍ସିନ୍‌’ ଏବଂ ‘କୋଭିସିଲ୍‌ଡ୍‌’ ଟିକାର ଅଭାବ ଦେଖା ଦେଇଥିଲା।

ଜିନ୍ଦ ପୁଲିସର ଡିଏସପି  ଜିତେନ୍ଦ୍ର ଖଟକଡଙ୍କ କହିବାନୁସାରେ, ଗତ ରାତି ପ୍ରାୟ ୧୨ଟା ସମୟରେ ସିଭିଲ ହସ୍ପିଟାଲରେ କରୋନା ଟିକା ଚୋରି ହୋଇଯାଇଥିଲା। କିନ୍ତୁ ଗୁରୁବାର ଦିନ ପାଖାପାଖି ୧୨ଟା ସମୟରେ ସିଭିଲ ଲାଇନ ଥାନା ବାହାରେ ଥିବା ଏକ ଚା’ ଦୋକାନରେ ବସିଥିବା ଜଣେ ବୃଦ୍ଧଙ୍କ ପାଖରେ ଚୋର ଆସି ପହଞ୍ଚିଥିଲା। ଆଉ ବୃଦ୍ଧଙ୍କୁ ଚ‌ୋରି କରି ନେଇଥିବା କରୋନା ଟିକା‌ ଥଳି ଧରାଇ ଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା।

ଏହାପରେ ବୃଦ୍ଧ ଉକ୍ତ ଥଳି ନେଇ ଥାନାରେ ପହଞ୍ଚିଥିଲେ। ଥାନାରେ ପୁଲିସ କର୍ମଚାରୀ ବୃଦ୍ଧଙ୍କ ହାତରୁ ଉକ୍ତ ଥଳିକୁ ନେଇ ଖୋଲିଥିଲେ। ସେଥିରୁ ୧୮୨ଟି ‘କୋଭିସିଲ୍‌ଡ୍‌’ ଓ ୪୪୦ଟି ‘କୋଭାକ୍ସିନ୍‌’ ଟିକା ଜବତ କରିଥିଲେ। ଏଥିସହିତ ସେଥିରେ ଏକ ହାତ ଲେଖା ଚିଠି‌ ବି ଥିଲା। ଯେଉଁଥିରେ ଲେଖାଥିଲା, ‘ସରି, ମୋତେ ଜଣା ନଥିଲା କି ଏହା କରୋନା ଟିକା ବୋଲି।’ ହୋଇଥାଇପାରେ ଚୋର ରେମଡେସିଭିର ଇନଜେକସନ ଭାବି କରୋନା ଟିକାକୁ ଚୋରାଇ ନେଇଥିଲା।

ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଚୋର ସମ୍ପର୍କରେ କୌଣସି ପ୍ରକ‌ାର ସୂଚନା ନଥିଲା। ପୁଲିସ ଏହି ଘଟଣାକୁ ନେଇ ଅଜ୍ଞାତ ଚୋର ବିରୋଧରେ ଆଇପିସି ଧାରା ୪୫୭ ଓ ୩୮୦ରେ ମାମଲା ରୁଜୁ କରିଛି।

କୋଭିଡ୍‌-୧୯ ଟିକା ନଷ୍ଟ କରିବାରେ ଦେଶରେ ଦ୍ୱିତୀୟ ରାଜ୍ୟ ହେଉଛି ହରିୟାଣା। ଏହି କ୍ରମରେ ପଞ୍ଜାବର ସ୍ଥାନ ତୃତୀୟରେ ରହିଛି।

ସମ୍ବନ୍ଧିତ ଖବର