ପାକିସ୍ତାନରେ ବାଦଲଫଟା ବର୍ଷା: ୨ ଦିନରେ ୩୭ ଜଣଙ୍କ ମୃତ୍ୟୁ, ବହୁ ସହର ଉବୁଟୁବୁ

ଇସଲାମାବାଦ: ଥଣ୍ଡା ପାଗ ଜାରି ରହିବା ସହିତ ପାକିସ୍ତାନରେ ଲଗାତାର ବାଦଲଫଟା ହେଉଛି।   ବର୍ଷା ଯୋଗୁ ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଲଗାତାର ବର୍ଷା ଯୋଗୁଁ ବହୁ ଲୋକ ପ୍ରାଣ ହରାଇଛନ୍ତି। ପାକିସ୍ତାନରେ ଗତ ୪୮ ଘଣ୍ଟା ମଧ୍ୟରେ  ୩୭ ଜଣଙ୍କର ମୃତ୍ୟୁ ଘଟିଛି। ଅଧିକାରୀମାନେ ରବିବାର ଏହି ସୂଚନା ଦେଇଛନ୍ତି।  ବନ୍ୟା ଯୋଗୁ ବହୁ ସହର ଉବୁଟୁବୁ ହେଉଛି।

ଅଧିକାରୀମାନେ ସୂଚନା ଦେଇ କହିଛନ୍ତି ବର୍ଷା ଯୋଗୁ ଅନେକ ଘର ଭୁଶୁଡି ପଡିଛି ଏବଂ ଅନେକ ଅଞ୍ଚଳରେ ଭୂସ୍ଖଳନ ଘଟିଛି ଯେଉଁଥିପାଇଁ ରାସ୍ତା ଅବରୋଧ ହୋଇଯାଇଛି। ବିଶେଷ କରି ଉତ୍ତର-ପଶ୍ଚିମ ଖାଇବର ପାଖ୍ଟନଖୱା (କେପିକେ) ପ୍ରଦେଶରେ ଏହି ଭୂସ୍ଖଳନ ଘଟିଛି। ଗୁରୁବାର ରାତିରୁ ଆଫଗାନିସ୍ତାନ ସୀମାନ୍ତରେ ଥିବା ଖାଇବର ପାଖ୍ଟନଖୱା ପ୍ରଦେଶରେ ଲଗାତାର ବର୍ଷା ଯୋଗୁ ୨୭ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ପ୍ରାଦେଶିକ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ କହିଛନ୍ତି।

ପ୍ରକାଶ ଯେ, ଗତ ୪୮ ଘଣ୍ଟା ମଧ୍ୟରେ ବାଜୌର, ସ୍ବାତ, ଦିର, ମାଲକନ୍ଦ, ଖାଇବର, ପେଶୱାର, ଉତ୍ତର, ଦକ୍ଷିଣ ୱାଜିରିସ୍ତାନ ଏବଂ ଲକ୍କି ମାରୱାଟ ସମେତ ଖାଇବର ପାଖ୍ଟନଖୱା ପ୍ରଦେଶର ଦଶଟି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁ ୩୭ ଜଣ ଆହତ ହୋଇଛନ୍ତି। କେପିକେ ମୁଖ୍ୟମନ୍ତ୍ରୀ ଅଲି ଅମିନ ଗଣ୍ଡାପୁର କହିଛନ୍ତି  ବର୍ଷା ଦ୍ୱାରା ପ୍ରଭାବିତ ଲୋକଙ୍କୁ ଏଭଳି ସଙ୍କଟଜନକ ସମୟରେ ଏକୁଟିଆ ଛାଡି ଦିଆଯିବ ନାହିଁ। ସେମାନଙ୍କର ହୋଇଥିବା କ୍ଷୟକ୍ଷତି ପାଇଁ ଉପଯୁକ୍ତ କ୍ଷତିପୂରଣ ଦିଆଯିବ।

ଦକ୍ଷିଣ ପଶ୍ଚିମ ବାଲୁଚିସ୍ତାନ ପ୍ରଦେଶରେ ବନ୍ୟା ପରିସ୍ଥିତି ଉପକୂଳବର୍ତ୍ତୀ ସହର ଗ୍ୱାଦରରେ କେତେକ ତଳିଆ ଅଞ୍ଚଳ ବନ୍ୟାଜଳରେ ବୁଡ଼ି ଯାଇଛି। ଏଥିରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି। ଅଧିକାରୀଙ୍କ କହିବାନୁସାରେ, ଗତ ଦୁଇ ଦିନ ମଧ୍ୟରେ ଗ୍ୱାଦରରେ ପ୍ରବଳ ବର୍ଷା ଶହ ଶହ ଲୋକଙ୍କୁ ବାସହୀନ କରିଦେଇଛି। ବନ୍ୟା ଜଳ ଘର ଭିତରକୁ ପଶିଯିବାରୁ ବହୁ ସଂଖ୍ୟକ ବାସଗୃହ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନ ଭୁଶୁଡି ପଡିଛି।

ସମ୍ବନ୍ଧିତ ଖବର