ଚାକିରିରୁ ବାହାର କରିଦେବାରୁ କମ୍ପାନିକୁ ଫୋନ କରି ବୋମା ଧମକ ଦେଲେ ମହିଳା କର୍ମଚାରୀ

ବେଙ୍ଗାଲୁରୁ: ବେଙ୍ଗାଲୁରୁର ହୋସୁର ରୋଡରେ ଥିବା ଟାଟା କନସଲଟାନ୍ସି  ସର୍ଭିସେସ୍ (ଟିସିଏସ୍)ର କାର୍ଯ୍ୟାଳୟରେ ବୋମା ଥିବା ନେଇ ଅଜଣା ଫୋନ କଲ୍ ମିଳିବା ପରେ କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । କିନ୍ତୁ ପରେ ଜଣାପଡ଼ିଥିଲା ଯେ ଏହି କଲ୍ ଜଣେ ପୂର୍ବତନ ମହିଳା କର୍ମଚାରୀ ହିଁ କରିଥିଲେ, ଯାହାଙ୍କୁ କମ୍ପାନି କିଛି ମାସ ତଳେ ଛଟେଇ କରିଥିଲା ।

ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ଟିସିଏସ୍ କାର୍ଯ୍ୟାଳୟର ବି-ବ୍ଲକରେ ଏହି କଲ୍ କରାଯାଇଥିଲା। ଏହି କଲ୍ ରେ ପୂରା ଅଫିସକୁ ଉଡ଼ାଇ ଦେବାର ଧମକ ଦିଆଯାଇଥିଲା । ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ପୁଲିସ ଓ ବୋମା ସ୍କ୍ବାଡ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । କିନ୍ତୁ ପରେ ତାହା ଏକ ଫେକ୍ କଲ୍ ( ଜାଲ୍ କଲ୍ ) ଥିଲା ବୋଲି ଜଣାପଡ଼ିଥିଲା ।

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ବେଲଗାଭି ଜିଲ୍ଲାରୁ ଏହି କଲ୍ ଆସିଥିଲା। କଂପାନିର ଜଣେ ପୂର୍ବତନ ମହିଳା କର୍ମଚାରୀ କମ୍ପାନି ଉପରେ ରାଗ ସୁଝାଇବାକୁ ଏଭଳି କଲ୍ କରିଥିଲେ । ଟିସିଏସ୍ କମ୍ପାନୀର ଜଣେ ଡ୍ରାଇଭରଙ୍କୁ ଫୋନ୍ ଆସିଲା ଯେ କମ୍ପାନୀର ବି ବ୍ଲକରେ ବୋମା ରଖାଯାଇଛି। ମହିଳା ଜଣକ ସେହି କମ୍ପାନିରେ ପୂର୍ବରୁ କାମ କରୁଥିବାରୁ କ୍ୟାବ୍ ଡ୍ରାଇଭରଙ୍କୁ ଜାଣିଥିଲେ।

ଜଣେ ପୂର୍ବତନ ମହିଳା କର୍ମଚାରୀ ଏହି ଫୋନ୍ କରିଥିବା ପୁଲିସ ନିଶ୍ଚିତ କରିଛି। ତାଙ୍କୁ ବେଲଗାଭିରେ ହେପାଜତକୁ ନେବା ପାଇଁ ପୁଲିସ ସମସ୍ତ ପ୍ରସ୍ତୁତି କରିଛି।

 

ସମ୍ବନ୍ଧିତ ଖବର