ଏଣିକି ଆହୁରି ନିର୍ଭୁଲ ପୂର୍ବାନୁମାନ କରିପାରିବ ପାଣିପାଗ ବିଭାଗ, କାରଣ ଜାଣନ୍ତୁ

ନୂଆଦିଲ୍ଲୀ : ଭାରତୀୟ ପାଣିପାଗ ବିଭାଗ ଦ୍ବାରା କରାଯାଉଥିବା ପାଣିପାଗ ପୂର୍ବାନୁମାନ ପୂର୍ବ ତୁଳନାରେ ଅଧିକ ନିର୍ଭୁଲ ହୋଇଚାଲିଛି । ୧୯୯୯ ମହାବାତ୍ୟା ସମୟରେ ପାଣିପାଗ ପୂର୍ବାନୁମାନର ସଠିକତା ଯେତିକି ଥିଲା ଏବେ ସେଥିରେ ଯଥେଷ୍ଟ ଉନ୍ନତି ଆସିଛି । ତେବେ ପାଣିପାଗ ପୂର୍ବାନୁମାନକୁ ଆହୁରି ନିର୍ଭୁଲ କରିବାକୁ କେତେକ ନୂଆ ପଦକ୍ଷେପ ନେଉଛନ୍ତି ଭାରତ ସରକାର ।

ସରକାରଙ୍କ ନିଷ୍ପତ୍ତି ଅନୁସାରେ ଏଣିକି ଆମଡାର୍ ପାଣିପାଗ ତଥ୍ୟ ଭାରତୀୟ ପାଣିପାଗ ବିଭାଗକୁ ମିଳିବ । ଆମଡାରର ପୂର୍ଣ୍ଣରୂପ ହେଉଛି ଏୟାରକ୍ରାଫ୍ଟ ମେଟେରୋଲଜିକାଲ ଡାଟା ରିଲେ ଅର୍ଥାତ୍ ବିମାନ ପାଣିପାଗ ତଥ୍ୟ ବିବରଣୀ । ସାରା ବିଶ୍ବରେ ବିମାନ ସେବା ଶିଳ୍ପ ଏହି ତଥ୍ୟକୁ ବ୍ୟବହାର କରି ପାଣିପାଗ ସଂପର୍କିତ ତଥ୍ୟ ପାଇଥାଏ ଓ ବିମାନ ଉଡ଼ାଣ ସଂପର୍କିତ ନିଷ୍ପତ୍ତି ନେଇଥାଏ । ବିମାନରେ ଲାଗିଥିବା ସେନସର ପାଣିପାଗର ସ୍ଥିତି, ପବନର ବେଗ, ତାପମାତ୍ରା ଆଦି ପାଣିପାଗ ସଂପର୍କିତ ତଥ୍ୟ ରେକର୍ଡ କରିବା ସହ ଗ୍ରାଉଣ୍ଡ ଷ୍ଟେସନକୁ ପ୍ରେରଣ କରିଥାଏ । ସେନସର ଆକାଶରେ ଉଡ଼ୁଥିବାରୁ ତାହା ଅଧିକ ନିର୍ଭୁଲ ଥାଏ ।

ସାରା ବିଶ୍ବରେ ପାଣିପାଗ ବିଭାଗମାନେ ଅନ୍ୟାନ୍ୟ ପ୍ରଯୁକ୍ତି ସହ ଆମଡାର ବ୍ୟବସ୍ଥାକୁ ମିଳିତ ଭାବେ ବ୍ୟବହାର କରି ପାଣିପାଗ ପୂର୍ବାନୁମାନ କରିଥାନ୍ତି । କିନ୍ତୁ ଭାରତରେ ବିମାନ ସେବା କମ୍ପାନିମାନେ ପାଣିପାଗ ବିଭାଗକୁ ଏହି ତଥ୍ୟ ପ୍ରଦାନ କରୁନଥିଲେ । ଏବେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ହସ୍ତକ୍ଷେପ କ୍ରମେ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ପକ୍ଷରୁ ଏ ନେଇ ଏକ ନିର୍ଦ୍ଦେଶ ଜାରି କରାଯାଇଛି । ଏହା ଅନୁସାରେ ବିମାନସେବା କମ୍ପାନିମାନେ ପାଣିପାଗ ବିଭାଗକୁ ଆମଡାର ତଥ୍ୟ ପ୍ରେରଣ କରିବେ ।

 

 

 

ସମ୍ବନ୍ଧିତ ଖବର