୭ ବର୍ଷ ପ୍ରେମ କରିବା ପରେ ପରସ୍ପରଙ୍କୁ ବାହା ହେବା ଲାଗି ସ୍ୱାମୀଙ୍କୁ ଛାଡ଼ପତ୍ର ଦେଲେ ଦୁଇ ମହିଳା

ଲକ୍ଷ୍ନୌ: ଉତ୍ତରପ୍ରଦେଶର ହାମିରପୁର ଜିଲ୍ଲାରେ ଦୁଇ ଜଣ ମହିଳା ସେମାନଙ୍କ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଇ ପରସ୍ପରଙ୍କୁ ବିବାହ କରିଛନ୍ତି। ଗତ ସାତ ବର୍ଷ ହେବ ଉଭୟଙ୍କ ମଧ୍ୟରେ ସ୍ନେହ ସମ୍ପର୍କ ରହି ଆସିଥିଲା, କିନ୍ତୁ ପରେ ସେମାନଙ୍କ ଇଚ୍ଛା ବିରୋଧରେ ସେମାନଙ୍କୁ ଅନ୍ୟତ୍ର ବିବାହ କରାଇ ଦିଆଯାଇଥିଲା।

ସେ ଯାହାହେଉ, ସମଲିଙ୍ଗୀ ବିବାହକୁ ମାନ୍ୟତା ଦେବା ପାଇଁ କୌଣସି ଆଇନ ନ ଥିବାରୁ ସେମାନଙ୍କ ବିବାହକୁ କୌଣସି ରେଜିଷ୍ଟ୍ରାର୍‌ ପଞ୍ଜିକରଣ କରି ନାହାନ୍ତି। ଡିସେମ୍ବର ୨୯ ତାରିଖ ଦିନ ଏହି ସମଲିଙ୍ଗୀ ବିବାହ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ବିବାହ ପଞ୍ଜିକରଣ ହେବା ସହ ସାମାଜିକ ମାନ୍ୟତା ଦିଆ ଯାଉବୋଲି ଏକ ସତ୍ୟପତ୍ର ସହ ୨୧ ଓ ୨୬ ବର୍ଷୀୟ ଦୁଇ ମହିଳା ରେଜିଷ୍ଟ୍ରାର୍‌ଙ୍କ ନିକଟରେ ପହଞ୍ଚିଥିଲେ।

ସବ୍‌-ରେଜିଷ୍ଟ୍ରାର୍‌ ରାମ କିଶୋର ପାଲ୍‌ କହନ୍ତି: ହାରିମରପୁର ଅନ୍ତର୍ଗତ ରଥ ଥାନା ଅଧୀନରେ ବାସ କରୁଥିବା ଦୁଇ ମହିଳା ଶୁକ୍ରବାର ଦିନ ମୋ ଅଫିସକୁ ଆସି ପରସ୍ପରଙ୍କୁ ଫୁଲମାଳା ଦେଇ ବିବାହ କରିଥିଲେ।

୨୧ ବର୍ଷୀୟ ମହିଳାଜଣକ ଜଣେ ସ୍କୁଲ୍‌ ଶିକ୍ଷକଙ୍କ ଝିଅ ଏବଂ ୨୬ ବର୍ଷୀୟ ମହିଳାଜଣକ ଜଣେ ଶ୍ରମିକଙ୍କ ଝିଅ। ଉଭୟ ସେମାନଙ୍କ ଇଚ୍ଛାରେ ପରସ୍ପରଙ୍କୁ ବିବାହ କରିଥିବା କଥା ସେମାନଙ୍କ ଓକିଲ କହିଛନ୍ତି।

ସମଲିଙ୍ଗୀ ବିବାହ ନିମନ୍ତେ କୌଣସି ସରକାରୀ ଆଇନ ନ ଥିଲେ ବି ପରସ୍ପର ଏକତ୍ର ବସବାସ କରିପାରିବାର ଅଧିକାର ରହିଛି। କାରଣ ଗତ ସେପ୍ଟେମ୍ବର ମାସରେ ସୁପ୍ରିମ୍‌ କୋର୍ଟଙ୍କର ୫ ଜଣିଆ ଖଣ୍ଡପୀଠ ସମାନତା ଅଧିକାର ଉଲ୍ଲଂଘନ କରୁଥିବା ଦର୍ଶାଇ ଧାରା ୩୭୭ର କିଛି ଅଂଶ କାଟାଛାଟ କରି ଗେ’ ସେକ୍ସ୍‌ ଅପରାଧ ନୁହେଁ ବୋଲି କହିଥିଲେ।

ସମ୍ବନ୍ଧିତ ଖବର