ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜି୨୦ ନୈଶଭୋଜି ନିମନ୍ତ୍ରଣପତ୍ରରେ ଦେଶର ନାମ ‘ଇଣ୍ଡିଆ’ ବଦଳରେ ‘ଭାରତ’ ଲେଖାଯାଇଥିବାରୁ ଏହାକୁ ନେଇ ରାଜନୈତିକ ବିବାଦ ଦେଖାଦେଇଛି। ଉକ୍ତ ନିମନ୍ତ୍ରଣପତ୍ରରେ ରାଷ୍ଟ୍ରପତି ମୁର୍ମୁ ନିଜକୁ ‘ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ’ ବଦଳରେ ‘ପ୍ରେସିଡେଣ୍ଟ ଅଫ୍ ଭାରତ’ ବୋଲି ଉଲ୍ଲେଖ କରିଛନ୍ତି। ତେବେ ଆମ ସମ୍ବିଧାନ ଓ ସୁପ୍ରିମ୍‌କୋର୍ଟ ଏ ବାବଦରେ କ’ଣ କହୁଛନ୍ତି?

Advertisment

ସମ୍ବିଧାନର ଧାରା ୧ରେ ଅଛି ‘ଇଣ୍ଡିଆ, ଅର୍ଥାତ୍ ଭାରତ ରାଜ୍ୟଗୁଡ଼ିକର ସଂଘ ହେବ’। ଅର୍ଥାତ୍, ଆମ ସମ୍ବିଧାନ ଉଭୟ ‘ଇଣ୍ଡିଆ’ ଓ ‘ଭାରତ’ ନାମକୁ ସ୍ବୀକୃତି ପ୍ରଦାନ କରିଛି। ତେବେ ପ୍ରଶ୍ନ ଉଠୁଛି, କେନ୍ଦ୍ର ସରକାର ‘ଇଣ୍ଡିଆ‘ ନାମକୁ ପୂରା ହଟାଇ ଦେଇ କେବଳ ‘ଭାରତ’ ନାମ ରଖିବା ପାଇଁ ସମ୍ବିଧାନ ସଂଶୋଧନ କରିବେ କି?

୨୦୧୬ ମାର୍ଚ୍ଚ ମାସରେ ସୁପ୍ରିମ୍‌କୋର୍ଟରେ ‘ଇଣ୍ଡିଆ’ ନାମକୁ ବଦଳାଇ ‘ଭାରତ’ କରିବା ପାଇଁ ଏକ ଜନସ୍ବାର୍ଥ ମାମଲା ଦାୟର କରାଯାଇଥିଲା। ସୁପ୍ରିମ୍‌କୋର୍ଟ ଉକ୍ତ ଆବେଦନକୁ ନାକଚ କରିଦେଇଥିଲେ। ଏହି ଆବେଦନକୁ ବିଚାର ପାଇଁ ଗ୍ରହଣ କରାଯିବ ନାହିଁ ବୋଲି ତତ୍‌କାଳୀନ ପ୍ରଧାନବିଚାରପତି ଟିଏସ୍ ଠାକୁର ଓ ଜଷ୍ଟିସ୍ ୟୁୟୁ ଲଳିତଙ୍କ ଖଣ୍ଡପୀଠ କହିଥିଲେ। ଜଷ୍ଟିସ୍ ଠାକୁର କହିଥିଲେ, ‘‘ଭାରତ ନା ଇଣ୍ଡିଆ? ତୁମେ ଏହାକୁ ଭାରତ କହିବାକୁ ଚାହୁଛ, କୁହ- କିଛି ଅସୁବିଧା ନାହିଁ। ଆଉ କିଏ ଯଦି ଇଣ୍ଡିଆ କହିବାକୁ ଚାହୁଛି, ତାକୁ କହିବାକୁ ଦିଅ।’’

ଏହାର ୪ ବର୍ଷ ପରେ ୨୦୨୦ରେ ଆଉ ଏକ ସମାନ ପ୍ରକାର ଆବେଦନକୁ ସୁପ୍ରିମ୍‌କୋର୍ଟ ଅଗ୍ରାହ୍ୟ କରିଦେଇଥିଲେ। ‌ସେତେବେଳେ କୋର୍ଟ କହିଥିଲେ, ଏହି ଆବେଦନକୁ ଏକ ‘ରିପ୍ରେଜେଣ୍ଟେସନ’ ଆକାରରେ କେନ୍ଦ୍ର ସରକାରଙ୍କ ପାଖକୁ ପଠାଇ ଦିଆଯାଇପାରେ। କେନ୍ଦ୍ର ସରକାର ତା’ ଉପରେ ଉପଯୁକ୍ତ ନିଷ୍ପତ୍ତି ନେଇପାରିବେ। ତତ୍‌କାଳୀନ ପ୍ରଧାନ ବିଚାରପତି ଏସ୍‌ଏ ବୋବଡ଼େ କହିଥିଲେ, ଆମ ସମ୍ବିଧାନରେ ଭାରତ ଓ ଇଣ୍ଡିଆ ଉଭୟ ନାମ ରହିଛି। ଇଣ୍ଡିଆକୁ ଆମ ସମ୍ବିଧାନରେ ଭାରତ ବୋଲି କୁହାଯାଇଛି। ଯଦି କେନ୍ଦ୍ର ସରକାର ଚାହାନ୍ତି, ଇଣ୍ଡିଆ ନାମକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରି କେବଳ ଭାରତ ନାମ ରଖିବା ପାଇଁ ତେବେ ସମ୍ବିଧାନର ଧାରା ୧ରେ ସଂଶୋଧନ ଲାଗି ଏକ ବିଧେୟକ ଆଣିବାକୁ ପଡ଼ିବ। ସମ୍ବିଧାନ ସଂଶୋଧନ ପାଇଁ ଧାରା ୩୬୮ରେ ଦୁଇ ପ୍ରକାର ନିୟମ ଅଛି। କୌଣସି ରାଜ୍ୟ ବା କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ରାଜ୍ୟସଭା ଆସନ ସଂଖ୍ୟାରେ ବୃଦ୍ଧି ଭଳି ପରିବର୍ତ୍ତନ ନିମନ୍ତେ ୫୦ ପ୍ରତିଶତ ବା ଅଧାରୁ ଅଧିକ ମତ ଭିତ୍ତିରେ ସମ୍ବିଧାନ ସଂଶୋଧନ କରାଯାଇପାରେ। ଏହାକୁ ସରଳ ସଂଖ୍ୟାଗରିଷ୍ଠ ସଂଶୋଧନ କୁହାଯାଏ। କିନ୍ତୁ ଧାରା ୧ ସମେତ ସମ୍ବିଧାନର ଅନ୍ୟ କିଛି ସଂଶୋଧନ ପାଇଁ ବିଶେଷ ସଂଖ୍ୟାଗରିଷ୍ଠ ସଂଶୋଧନର ଆବଶ୍ୟକତା ଅଛି, ଯେଉଁଥିପାଇଁ ଦୁଇତୃତୀୟାଂଶ ବା ୬୬ ପ୍ରତିଶତରୁ ଅଧିକ ସମର୍ଥନ ଦରକାର ପଡ଼ିଥାଏ।