ବାଲାକୋଟ୍‌ ସଦୃଶ ଆଉ ଏକ ଏୟାର ଷ୍ଟ୍ରାଇକ୍‌ ପାଇଁ ଭାରତୀୟ ବାୟୁସେନା ସଂପୂର୍ଣ୍ଣ ପ୍ରସ୍ତୁତ: ନୂତନ ଏୟାର୍‌ ଚିଫ୍‌ ମାର୍ଶାଲ ଆର୍‌କେଏସ୍‌ ଭାଦୁରିଆ

ନୂଆଦିଲ୍ଲୀ: ଯଦି ଆବଶ୍ୟକତା ଉପୁଜେ ତେବେ ବାଲାକୋଟ୍‌ ସଦୃଶ ଆଉ ଏକ ଏୟାର ଷ୍ଟ୍ରାଇକ୍‌ କରିବା ପାଇଁ ଭାରତୀୟ ବାୟୁସେନା ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛି ବୋଲି ଆଜି ଭାରତୀୟ ବାୟୁସେନାର ନୂତନ ଏୟାର୍‌ ଚିଫ୍‌ ମାର୍ଶାଲ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଆର୍‌କେଏସ୍‌ ଭାଦୁରିଆ କହିଛନ୍ତି।

News Nation

ଭାରତୀୟ ବାୟୁସେନାର ୨୬ତମ ମୁଖ୍ୟ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଥିବା ଆର୍‌କେଏସ୍‌ ଭାଦୁରିଆ ଗଣମାଧ୍ୟମକୁ କହିଛନ୍ତି ଯେ ଦେଶର ସୁରକ୍ଷା ପ୍ରତି ଆସୁଥିବା ଯେ କୌଣସି ପ୍ରକାରର ବିପଦ ଓ ଆହ୍ଵାନର ମୁକାବିଲା କରିବା ପାଇଁ ଭାରତୀୟ ବାୟୁସେନା ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛି।

ନିକଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ କଶ୍ମୀର ପ୍ରସଙ୍ଗରେ ଦେଇଥିବା ଆଣବିକ ଯୁଦ୍ଧ ଧମକ ନେଇ ଯେତେବେଳେ ସାମ୍ବାଦିକମାନେ ପ୍ରଶ୍ନ ପରିଥିଲେ, ସେତେବେଳେ ନୂତନ ବାୟୁସେନା ମୁଖ୍ୟ ରାକେଶ କୁମାର ସିଂହ ଭାଦୁରିଆ କହଥିଲେ ଯେ ଆଣବିକ ଅସ୍ତ୍ରକୁ ନେଇ ଏହା ତାଙ୍କର (ଇମ୍ରାନ୍‌ ଖାନ୍‌ଙ୍କର) ଆଭିମୁଖ୍ୟ ହୋଇ ପାରିଥାଏ। ଆଣବିକ ଅସ୍ତ୍ରକୁ ନେଇ ଆମର ମଧ୍ୟ ନିଜସ୍ୱ ଆଭିମୁଖ୍ୟ ରହିଛି। ଏହାକୁ କେହି ଭୁଲିଯିବା ଉଚିତ୍‌ ନୁହେଁ। ତେବେ, ଆମେ ସବୁ ପ୍ରକାର ଆହ୍ଵାନର ମୁକାବିଲା କରିବା ପାଇଁ ଆମର ଶକ୍ତି ଓ ସାମର୍ଥ୍ୟ ରଖିଛୁ।

ସେହିପରି ବାଲାକୋଟ ଏୟାର ଷ୍ଟ୍ରାଇକ୍‌ରେ ନଷ୍ଟ ହୋଇ ଯାଇଥିବା ଜୈସ୍‌ ଆତଙ୍କବାଦୀ ଟ୍ରେନିଂ କ୍ୟାମ୍ପ ଆଉ ଥରେ ସକ୍ରିୟ ହୋଇ ଉଠିଥିବା ପ୍ରସଙ୍ଗରେ ବାୟୁସେନା ମୁଖ୍ୟ ଭାଦୁରିଆ କହିଛନ୍ତି ଯେ ଯଦି ଆବଶ୍ୟକତା ଉପୁଜେ ତେବେ ବାଲାକୋଟ୍‌ ସଦୃଶ ଆଉ ଏକ ଏୟାର ଷ୍ଟ୍ରାଇକ୍‌ କରିବା ପାଇଁ ଭାରତୀୟ ବାୟୁସେନା ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛି।

ଉଲ୍ଲେଖଯୋଗ୍ୟ ଭାରତୀୟ ବାୟୁସେନାର ପୂର୍ବ ଏୟାର ଚିଫ୍‌ ମାର୍ଶାଲ ବୀରେନ୍ଦ୍ର ସିଂହ ଧନୋଆ ଆଜି ଅବସର ଗ୍ରହଣ କରିବା ପରେ ତାଙ୍କ ସ୍ଥାନରେ ବାୟୁସେନାର ନୂତନ ଏୟାର ଚିଫ୍‌ ମାର୍ଶାଲ ଭାବେ ରାକେଶ କୁମାର ସିଂହ ଭାଦୁରିଆ ଦାୟିତ୍ୱ ଗ୍ରହଣ କରିଛନ୍ତି। ୧୯୮୦ ଜୁନ୍‌ରେ ଭାରତୀୟ ବାୟୁସେନାରେ ଯୋଗ ଦେଇଥିବା ରାକେଶ କୁମାର ସିଂହ ଭାଦୁରିଆ ଲଢ଼ୁଆ ରାଫେଲ ଜେଟ୍‌ ଉଡ଼ାଣ ପାଇଁ ସ୍ୱତନ୍ତ୍ର ତାଲିମ୍‌ ମଧ୍ୟ ନେଇଛନ୍ତି।

ସମ୍ବନ୍ଧିତ ଖବର