ୟୁକ୍ରେନରେ ଅଟକି ରହିଥିବା ଭାରତୀୟ ନାଗରିକଙ୍କୁ ଆଣିବା ପାଇଁ ‘ଅପରେସନ୍ ଗଙ୍ଗା’ରେ ଯୋଗଦେଲା ଇଣ୍ଡିଗୋ

ମୁମ୍ବାଇ: ୟୁକ୍ରେନରେ ଅଟକି ରହିଥିବା ଭାରତୀୟ ନାଗରିକଙ୍କୁ ଆଣିବା ପାଇଁ ‘ଅପରେସନ୍ ଗଙ୍ଗା’ରେ ଯୋଗଦେଲା ଇଣ୍ଡିଗୋ । ଏହି ବିମାନ ଦିଲ୍ଲୀ-ଇସ୍ତାନବୁଲ-ବୁଦାପେଷ୍ଟ ରୁଟରେ ଉଡ଼ିବା ସହ ସୁରକ୍ଷିତ ଭାବେ ଭାରତୀୟଙ୍କୁ ସ୍ବଦେଶ ଆଣିବ। ‘ଅପରେସନ୍ ଗଙ୍ଗା’ରେ ସାମିଲ ହେବା ପରେ ପ୍ରଥମ ଇଣ୍ଡିଗୋ ବିମାନ ଇସ୍ତାନବୁଲ ଅଭିମୁଖେ ଯାତ୍ରା କରିସାରିଥିବା ଜଣାପଡ଼ିଛି। ଏହା ପୂର୍ବରୁ କେବଳ ଏୟାର ଇଣ୍ଡିଆ ଏହି ଅଭିଯାନରେ ସାମିଲ ହୋଇଥିଲା।

ଋଷ ଯୁଦ୍ଧ ଘୋଷଣା କରିବା ପରେ ବୈଦେଶିକ ସଚିବ ହର୍ଷ ଭି ଶ୍ରୀଙ୍ଗଲା ଗୁରୁବାର ଦିନ ୟୁକ୍ରେନରେ ଫସି ରହିଥିବା ନାଗରିକଙ୍କୁ ସ୍ଥାନାନ୍ତର କରିବା ପାଇଁ ‘ଅପରେସନ୍ ଗଙ୍ଗା’ ଆରମ୍ଭ କରିବାକୁ ଘୋଷଣା କରିଥିଲେ। ୟୁକ୍ରେନରୁ ସ୍ଥାନାନ୍ତର ପ୍ରକ୍ରିୟାର ସମ୍ପୂର୍ଣ୍ଣ ଖର୍ଚ୍ଚ ସରକାର ବହନ କରିବେ ବୋଲି ହର୍ଷ ଭି ଶ୍ରୀଙ୍ଗଲା କହିଥିଲେ।

livemint

ତେବେ ଆଜି ରୋମାନିଆର ରାଜଧାନୀ ବୁଖାରେଷ୍ଟରୁ ୧୯୮ ଜଣ ଭାରତୀୟଙ୍କୁ ନେଇ ଚତୁର୍ଥ ସ୍ଥାନାନ୍ତର ବିମାନ ଆଜି ଅପରାହ୍ଣରେ ଭାରତ ଅଭିମୁଖେ ଯାତ୍ରା କରିଥିଲା । ଏହା ସହ ବୁଖାରେଷ୍ଟରୁ ୨୧୯ ଜଣ ଭାରତୀୟଙ୍କୁ ନେଇ ଆସିଥିବା ପ୍ରଥମ ସ୍ଥାନାନ୍ତର ବିମାନ ଶନିବାର ସନ୍ଧ୍ୟାରେ ମୁମ୍ବାଇରେ ଅବତରଣ କରିଥିଲା। ଏହାପରେ ରବିବାର ସକାଳେ ୨୫୦ ଭାରତୀୟ ନାଗରିକଙ୍କ ସହ ଦ୍ୱିତୀୟ ବିମାନ ଦିଲ୍ଲୀରେ ପହଞ୍ଚିଥିଲା। ପ୍ରାୟ ୨୪୦ ଭାରତୀୟଙ୍କ ସହ ଏୟାର ଇଣ୍ଡିଆର ତୃତୀୟ ବିମାନ ମଧ୍ୟ ହଙ୍ଗେରୀ ରାଜଧାନୀ ବୁଦାପେଷ୍ଟରୁ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରି ଦିଲ୍ଲୀରେ ପହଞ୍ଚି ସାରିଥିବା ଜଣାପଡ଼ିଛି।

ବୈଦେଶିକ ସଚିବ ହର୍ଷ ଭି ଶ୍ରୀଙ୍ଗଲା କହିଛନ୍ତି ଯେ, କିଭରେ ଭାରତର ଦୂତାବାସ ଏବଂ ଆମର ମନ୍ତ୍ରାଳୟ ଯୁଦ୍ଧ ପୂର୍ବରୁ ଭାରତୀୟଙ୍କୁ ସଚେତନ କରିଥିଲା। ଆମ ପରାମର୍ଶ ଅନୁଯାୟୀ ପ୍ରାୟ ୪୦୦୦ ନାଗରିକ ଯୁଦ୍ଧ ପୂର୍ବରୁ ୟୁକ୍ରେନ ଛାଡ଼ି ଚାଲିଯାଇଥିଲେ। ଏବେ ପ୍ରାୟ ୧୫,୦୦୦ ଭାରତୀୟ ୟୁକ୍ରେନରେ ଫସି ରହିଛନ୍ତି।

ସମ୍ବନ୍ଧିତ ଖବର