୩ୟ ଟି୨୦: ଭାରତକୁ ୧୪୭ ରନ୍‌ର ବିଜୟ ଲକ୍ଷ୍ୟ‌ ଦେଲା ଶ୍ରୀଲଙ୍କା

ଧର୍ମଶାଳା: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ହିମାଚଳ ପ୍ରଦେଶର ଧର୍ମଶାଳା ଠାରେ ୩ୟ ତଥା ଅନ୍ତିମ ଟି-୨୦ ଜାରି ରହିଛି। ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅତିଥି ଦଳ ୨୦ ଓଭରରେ ୫ ଓ୍ଵିକେଟ୍ ହରାଇ ୧୪୬ ରନ୍ କରିଛି। ଟସ୍ ଜିତି ବ୍ୟାଟିଂ ଆରମ୍ଭ କରିବା ପରେ ଶ୍ରୀଲଙ୍କାର ବ୍ୟାଟିଂ ଲାଇନ୍ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଶ୍ରୀଲଙ୍କା ୧୨.୧ ଓଭରରେ ୬୦ ରନରେ ୫ଟି ଓ୍ଵିକେଟ୍ ହରାଇଥିଲା। ଶ୍ରୀଲଙ୍କାର ପ୍ରଥମ ୪ ଜଣ ବ୍ୟାଟର୍ ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟା ସ୍କୋରକୁ ପହଞ୍ଚି ପାରିନଥିଲେ। ଅଧିନାୟକ ଦିନେଶ୍ ଚାନ୍ଦିମାଲ ୨୭ଟି ବଲରେ ୨୫ ରନ୍ କରିଥିଲେ।

୬୦ ରନ୍‌ରେ ୫ଟି ଓ୍ଵିକେଟର ପତନ ପରେ ଦସୁନ୍ ଶନକା ଓ ଚାମିକା କରୁଣାରତ୍ନେ ଷଷ୍ଠ ଓ୍ଵିକେଟରେ ଅପରାଜିତ ୮୬ ରନର ପାର୍ଟନରସିପ୍ ଗଢି ଦଳକୁ ଏକ ସମ୍ମାନଜନକ ସ୍କୋର୍ ପର୍ଯ୍ୟନ୍ତ ପହଞ୍ଚାଇଥିଲେ। ଗତକାଲି ପରି ଦସୁନ୍ ଶନକା ଆଜି ପୁଣି ଏକ ବିସ୍ପୋରକ ଓ ଆକର୍ଷଣୀୟ ପାଳି ଖେଳିଥିଲେ। ଦସୁନ୍ ଶନକା ମାତ୍ର ୩୮ଟି ବଲ୍ ଖେଳି ୯ଟି ଚୌକା ଓ ୨ଟି ଛକା ସହ ୧୯୪.୭୪ ଷ୍ଟ୍ରାଇକ୍ ରେଟରେ ୭୪ ରନ୍ କରିଥିଲେ। ଚାମିକା କରୁଣାରତ୍ନେ ୧୯ ବଲ୍ ଖେଳି ୧୨ ରନ୍ କରିଥିଲେ। ଭାରତ ପକ୍ଷରୁ ଦ୍ରୁତ ବୋଲର୍ ଆଭେଶ୍ ଖାନ୍ ୨ଟି, ମହମ୍ମଦ ସିରାଜ୍, ହର୍ଷଲ୍ ପଟେଲ୍ ଓ ସ୍ପିନର୍ ରବି ବିଷ୍ଣୋଇ ଗୋଟିଏ ଲେଖାଏଁ ଓ୍ଵିକେଟ୍ ଅକ୍ତିଆର କରିଥିଲେ।

ସମ୍ବନ୍ଧିତ ଖବର