ପାକିସ୍ତାନ ସୀମା ମଧ୍ୟରେ ଜୈଶ୍‌ ଅଲ୍‌-ଅଦଲ୍‌ ଆତଙ୍କବାଦୀଙ୍କୁ ହତ୍ୟା କଲେ ଇରାନ୍‌ ସୈନିକ

ନୂଆଦିଲ୍ଲୀ: ପାକିସ୍ତାନ ସୀମା ମଧ୍ୟରେ ଇରାନ୍‌ ସେନାବହିନୀ ଜୈଶ୍‌ ଅଲ୍‌-ଅଦଲ୍‌ ଆତଙ୍କବାଦୀ ସଙ୍ଗଠନର କମାଣ୍ଡର୍‌ ଇସ୍‌ମାଇଲ୍‌ ଶାହାବକ୍ସ୍‌ ଓ ତାଙ୍କର କେତେକ ସହଯୋଗୀଙ୍କୁ ହତ୍ୟା କରିଥିବା କଥା ଇରାନ୍‌ର ରାଷ୍ଟ୍ରାୟତ ଗଣମାଧ୍ୟମସୂତ୍ରରୁ ସୂଚନା ସଂଗ୍ରହ କରି ‘ଇରାନ୍‌ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଇଂଲିଶ୍‌’ ରିପୋର୍ଟ କରିଛି।

ସଦ୍ୟତମ ସୂଚନା ଅନୁସାରେ, ଦୁଇ ଦେଶ ପରସ୍ପର ଉପରେ ବିମାନ ଆକ୍ରମଣ କରିବାର ମାସେ ପରେ ଘଟିଥିବା ସଶସ୍ତ୍ର ସଂଘର୍ଷ ବେଳେ ଇରାନ୍‌ର ସୈନିକମାନେ ଏହି ଆତଙ୍କବାଦୀ ସଙ୍ଗଠନ ଉପରେ ଆକ୍ରମଣ କରିଥିଲେ।

‘ଅଲ୍‌ ଆରବିୟା ନିଉଜ୍‌’ ରିପୋର୍ଟ କରିଛି ଯେ, ୨୦୧୨ରେ ସଂସ୍ଥାପିତ ଓ ଇରାନ୍‌ଦ୍ବାରା ଆତଙ୍କବାଦୀ ସଙ୍ଗଠନ ବୋଲି ଘୋଷିତ ‘ଜୈଶ୍‌ ଅଲ୍‌-ଅଦଲ୍‌’ ହେଉଛି  ଇରାନ୍‌ର ଦକ୍ଷିଣ ପ୍ରାନ୍ତରେ ଥିବା ପ୍ରଦେଶ ସିସ୍ତାନ-ବାଲୁଚିସ୍ତାନରେ ସକ୍ରିୟ ଥିବା ସୁନି ଆତଙ୍କବାଦୀ ସଙ୍ଗଠନ।

ଗତ କିଛି ବର୍ଷ ହେବ ‘ଜୈଶ୍‌ ଅଲ୍‌-ଉଦଲ୍‌’ ଇରାନୀୟ ନିରାପତ୍ତା ବଳ ଉପରେ ଅନେକ ଥର ଆକ୍ରମଣ କରିଛି। ଗତ ଡିସେମ୍ବର ମାସରେ ସିସ୍ତାନ-ବାଲୁଚିସ୍ତାନର ଗୋଟାଏ ଥାନା ଉପରେ ହୋଇଥିବା ଆକ୍ରମଣ ପାଇଁ ‘ଜୈଶ୍‌ ଅଲ୍‌-ଉଦଲ୍‌’ ନିଜକୁ ଦାୟୀ କରିଥିଲା। ଏହି ଆକ୍ରମଣରେ ଅନ୍ୟୂନ ୧୧ଜଣ ପୁଲିସ କର୍ମଚାରୀ ନିହତ ହୋଇଥିଲେ।

ଗତମାସରେ, ଉଭୟ ଦେଶର ସୀମା ମଧ୍ୟରେ ଥିବା ଆତଙ୍କବାଦୀ ୟୁନିଟ୍‌ ଉପରେ ‌କ୍ଷେପଣାସ୍ତ୍ର ଆକ୍ରମଣ କରିବାର କିଛି ସପ୍ତାହ ପରେ ନିରାପତ୍ତା ସହଯୋଗ ସମ୍ପ୍ରସାରଣ କରିବେ ବୋଲି ପାକିସ୍ତାନ ଓ ଇରାନ୍‌ ପାରସ୍ପାରିକ ରାଜିନାମା କରିଥିଲେ ବୋଲି ‘ଦି ନିଉଜ୍‌ ଇଣ୍ଟର୍‌ନ୍ୟାସ୍‌ନାଲ୍‌’ ରିପୋର୍ଟ କରିଛି।

କିନ୍ତୁ, ଏବେ ଯେଉଁ ଆକ୍ରମଣ ଚାଲିଛି ତାହା ଉକ୍ତ ରାଜିନାମାର ବିରୋଧ କରୁଛି।

ସମ୍ବନ୍ଧିତ ଖବର