ସ୍ତ୍ରୀଙ୍କୁ ସନ୍ତାନଙ୍କର ପିତା କିଏ ବୋଲି ପ୍ରଶ୍ନ କରିବା ଅପରାଧ: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ କହିଛନ୍ତି ସନ୍ତାନଙ୍କର ପିତା କିଏ ବୋଲି ସ୍ତ୍ରୀଙ୍କୁ ପ୍ରଶ୍ନ କରିବା ଏକ ଅପରାଧ। ଏକ ମାମଲାରେ ସନ୍ତାନଙ୍କର ପିତୃତ୍ୱକୁ ସ୍ୱୀକାର କରିବାକୁ ମନା କରିବା ଏବଂ ସ୍ତ୍ରୀଙ୍କ ବିରୋଧରେ ବୈବାହିକ ସମ୍ପର୍କର ଭିତ୍ତିହୀନ ଅଭିଯୋଗ କରିବା ସ୍ତ୍ରୀଙ୍କ ପ୍ରତି ମାନସିକ ନିର୍ଯାତନା ବୋଲି କ‌ୋର୍ଟ କହିଛନ୍ତି।

ଜଷ୍ଟିସ ସୁରେଶ କୁମାର ‌କୈତ ଏବଂ ନୀନା ବଂସଲ କୃଷ୍ଣାଙ୍କ ଏକ ଡିଭିଜନ ବେଞ୍ଚ ସୁପ୍ରିମକୋର୍ଟଙ୍କ ଏକ ରାୟକୁ ଦର୍ଶାଇ କହିଛନ୍ତି ଯେ ଏଭଳି ଆରୋପ ଚରିତ୍ର, ସମ୍ମାନ ଏବଂ ପ୍ରତିଷ୍ଠା ତଥା କ୍ରୁରତାର ସବୁଠାରୁ ଖରାପ କାର୍ଯ୍ୟ।

କୋର୍ଟ କହିଛନ୍ତି  ଏପରି ଅସ୍ୱାଭାବିକ ଅଭିଯୋଗ ମାନସିକ ନିର୍ଯାତନା ଏବଂ ଦୁଃଖର କାରଣ। ଏହା ବୈବାହିକ ଜୀବନରେ ଏକ କ୍ରୁରତା। ଏହି ମାମଲାରେ ହାଇକୋର୍ଟ ପରିବାର କୋର୍ଟ ଦ୍ୱାରା ସ୍ୱାମୀଙ୍କ ଛାଡପତ୍ର ଆବେଦନକୁ ଖାରଜ କରାଯାଇଥିବା ରାୟକୁ କାଏମ୍ ରଖିଥିଲେ। ଏହା ସହିତ ସମ୍ପୃକ୍ତ ବ୍ୟକ୍ତିଙ୍କ ଆବେଦନକୁ ଖାରଜ କରିଦେଇଥିଲେ।

ହାଇକୋର୍ଟ କହିଛନ୍ତି ବିବାହ ବନ୍ଧନରେ ଆବଦ୍ଧ ଥିବା ବ୍ୟକ୍ତିଙ୍କ ସହ ଏଭଳି ଅଭିଯୋଗ ବୈବାହିକ ସମ୍ପର୍କ, ଚରିତ୍ର, ସମ୍ମାନ, ପ୍ରତିଷ୍ଠା ବିରୁଦ୍ଧରେ ଏକ ଗୁରୁତର ଅପରାଧ। ଏହା ସ୍ତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଏକ ଗୁରୁତର ଆକ୍ରମଣ, ଏହିପରି ଅବିଶ୍ୱାସନୀୟ, ଭିତ୍ତିହୀନ ଅଭିଯୋଗ ଦ୍ବାରା ପିଲାମାନେ ମଧ୍ୟ ପ୍ରଭାବିତ ହୋଇଛନ୍ତି। ଆବେଦନକାରୀ ଭୁଲ କରିଛନ୍ତି ଏବଂ ତାଙ୍କୁ ଛାଡପତ୍ରର ସୁବିଧା ଦିଆଯାଇପାରିବ ନାହିଁ ବୋଲି ଡିଭିଜନ ବେଞ୍ଚ୍ କହିଛନ୍ତି। ଏହି ମାମଲାରେ ବ୍ୟକ୍ତି ଜଣକ ତାଙ୍କ ସ୍ତ୍ରୀଙ୍କୁ ସେପ୍ଟେମ୍ବର ୨୦୦୪ରେ ଭେଟିଥିଲେ ଏବଂ ପରବର୍ତ୍ତୀ ବର୍ଷ ବିବାହ କରିଥିଲେ।

ବ୍ୟକ୍ତି ଜଣକ କହିଛନ୍ତି ଯେ ସେ ନିଶାରେ ଥିବା ସମୟରେ ମହିଳା ଜଣକ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପରେ ତାଙ୍କୁ ବିବାହ କରିବାକୁ ଚାପ ପକାଇଥିଲେ ଏବଂ ପରେ ସେ ଗର୍ଭବତୀ ଥିବା କହିଥିଲେ।

ଆବେଦନକାରୀ ସ୍ୱାମୀ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ପତ୍ନୀ ଆତ୍ମହତ୍ୟା କରିବାକୁ ଧମକ ଦେୁଥିଲେ ଏବଂ ତାଙ୍କର ଅନେକ ପୁରୁଷଙ୍କ ସହ ଅନୈତିକ ସମ୍ପର୍କ ରହିଛି।ଏହି ମାମଲା ଉପରେ ବିଚାର କରିବା ପରେ କୋର୍ଟ ସ୍ୱାମୀଙ୍କ ଅଭିଯୋଗକୁ ଖାରଜ କରିଛନ୍ତି।

ଏଥିରେ କୁହାଯାଇଛି ଆବେଦନକାରୀ ତାଙ୍କ ଚାକିରି ଛାଡିବା ପରେ ପରିବାରର ଦାୟିତ୍ବ ଗ୍ରହଣ କରିବାରେ ବିଫଳ ହୋଇଥିଲେ ଏବଂ ସ୍ତ୍ରୀଙ୍କୁ ପରିବାରର ଆର୍ଥିକ ବୋଝ ବହନ କରିବାକୁ ପଡିଥିଲା। ପିଲାମାନଙ୍କର ଯତ୍ନ ଏବଂ ଘରୋଇ ଦାୟିତ୍ବ ପାଇଁ ମଧ୍ୟ ସଂଘର୍ଷ କରିବାକୁ ପଡିଥିଲା।

ସ୍ତ୍ରୀଙ୍କ ବିରୋଧରେ ଆସିଥିବା କୌଣସି ଅଭିଯୋଗକୁ ସ୍ୱାମୀ ପ୍ରମାଣ କରିପାରି ନାହାନ୍ତି ବୋଲି କୋର୍ଟ କହିଛନ୍ତି। ତେଣୁ କୋର୍ଟ ଏହି ଆବେଦନକୁ ଖାରଜ କରିଛନ୍ତି।

ଏହି ମାମଲାରେ ଓକିଲ ଜୁହି ଆରୋରା ଏବଂ ସରଲ ଆରୋରା ଆବେଦନକାରୀ ସ୍ୱାମୀଙ୍କ ପ୍ରତିନିଧିତ୍ୱ କରିଥିଲେ। ଅପରପକ୍ଷରେ ସ୍ତ୍ରୀଙ୍କ ପକ୍ଷରୁ ଓକିଲ କର୍ମଣ୍ୟ ସିଂ ଚୌଧୁରୀ ମାମଲା ଲଢ଼ିଥିଲେ।

ସମ୍ବନ୍ଧିତ ଖବର