ମୋତେ ଏକ ଝରକା ନଥିବା ଘରେ ରଖିଛି ଇଡି : ସଂଜୟ ରାଉତ

ମୁମ୍ବାଇ :  ପାତ୍ରା ଚଉଲ୍ ଜମି ଦୁର୍ନୀତି ଓ ବେଆଇନ ଅର୍ଥକାରବାର ମାମଲାରେ ଇଡି ଦ୍ବାରା ଗିରଫ ହୋଇଥିବା ବରିଷ୍ଠ ଶିବସେନା ନେତା ସଂଜୟ ରାଉତ କୋର୍ଟଙ୍କୁ କହିଛନ୍ତି ଯେ, ତାଙ୍କୁ ଇଡି ପକ୍ଷରୁ ଏକ ଝରକା ନଥିବା ଓ ବାୟୁଚଳାଚଳ କରୁନଥିବା ଘରେ ରଖାଯାଇଛି ।

ସ୍ବତନ୍ତ୍ର କୋର୍ଟ ଜଜ ଏମଜି ଦେଶପାଣ୍ଡେ ଗୁରୁବାରଦିନ ସଂଜୟଙ୍କ ହାଜତ ମିଆଦକୁ ଅଗଷ୍ଟ ୮ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଆଜି ଶୁଣାଣି ଚାଲିଥିବାବେଳେ ବିଚାରପତି ସଂଜୟଙ୍କୁ ପ୍ରଶ୍ନ କରିଥିଲେ ଯେ ତାଙ୍କର ଇଡି ବିରୋଧରେ କିଛି ନିର୍ଦ୍ଦିଷ୍ଟ ଅଭିଯୋଗ ଅଛି କି ? ଏହାର ଉତ୍ତରରେ ସଂଜୟ କହିଥିଲେ ଯେ, ତାଙ୍କର ଇଡି ବିରୋଧରେ ସେପରି କୌଣସି ନିର୍ଦ୍ଦିଷ୍ଟ ଅଭିଯୋଗ ନାହିଁ, କିନ୍ତୁ ତାଙ୍କୁ ଏକ ଝରକା ନଥିବା ଓ ବାୟୁଚଳାଚଳ କରୁନଥିବା ଘରେ ରଖାଯାଇଛି ।

ଏହାର ଉତ୍ତରରେ ଇଡି ପକ୍ଷରୁ ମାମଲା ଲଢୁଥିବା ସରକାରୀ ଓକିଲ ହିତେନ ଭେନେଗାଁଓକର କହିଛନ୍ତି ଯେ, ସଂଜୟ ରାଉତଙ୍କୁ ଏକ ଶୀତତାପ ନିୟନ୍ତ୍ରିତ ଘର (ଏସି ରୁମ)ରେ ରଖାଯାଇଛି । ଏଣୁ ସେଥିରେ ଝରକାର କୌଣସି ଆବଶ୍ୟକତା ନାହିଁ ।

ଏହାର ଜବାବରେ ସଂଜୟ କହିଥିଲେ ଯେ, ତାଙ୍କର ସ୍ବାସ୍ଥ୍ୟାବସ୍ଥା କାରଣରୁ ସେ ଏସି ବ୍ୟବହାର କରିପାରିବେ ନାହିଁ । ଏହାର ଜବାବରେ ଇଡି ପକ୍ଷରୁ ତାଙ୍କୁ ଏକ ଝରକା ଥିବା ଘରେ ରଖିବାକୁ ପ୍ରତିଶ୍ରୁତି ଦିଆଯାଇଛି । ଆଜି ଏହି ମାମଲାରେ ଇଡି ପକ୍ଷରୁ ସଂଜୟଙ୍କ ପତ୍ନୀ ବର୍ଷା ରାଉତଙ୍କୁ ସମନ କରାଯାଇଛି ।

 

ସମ୍ବନ୍ଧିତ ଖବର