ବିଦେଶରେ ମାତିଲେ ଖଲିସ୍ତାନୀ, କାନା‌ଡ଼ାରେ ଖଲିସ୍ତାନୀ ସପକ୍ଷବାଦୀ ଓ ଭାରତୀୟ ସମୁଦାୟ ମୁହାଁମୁହିଁ

ଟରଣ୍ଟୋ: ଖଲିସ୍ତାନୀ ଆତଙ୍କବାଦୀଙ୍କ ବିରୋଧରେ ଭାରତ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଥିବାରୁ ଏହାକୁ ବିରୋଧ କରି ଲଣ୍ଡନ, ଅଷ୍ଟ୍ରେଲିଆ ଏବଂ କାନାଡାରେ ଖାଲିସ୍ତାନୀ ସମର୍ଥକମାନେ ଗତକାଲି ‘କିଲ୍ ଇଣ୍ଡିଆ ରାଲି’ର ଆୟୋଜନ କରିଥିଲେ। ଏହି ରୢାଲି ସମୟରେ ଖଲିସ୍ତାନୀ ଗୋଷ୍ଠୀ ହିଂସା ଭିଆଇବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ କଡ଼ା ପୁଲିସ ବନ୍ଦୋବସ୍ତ ସେମାନଙ୍କ ସବୁ ଚାଲ୍‌କୁ ପଣ୍ଡ କରିଦେଇଛି। ଭାରତ ସରକାର ପୂର୍ବରୁ ସମସ୍ତ ରାଷ୍ଟ୍ରକୁ ଏ ବାବଦରେ ସତର୍କ କରାଇ ଭାରତୀୟ ନାଗରିକ ଏବଂ ପ୍ରତିଷ୍ଠାନର ସର୍ବାଧିକ ସୁରକ୍ଷା ସୁନିଶ୍ଚିତ କରିବାକୁ କହିଥିଲେ। ଭାରତର ପ୍ରସ୍ତାବକୁ ଗ୍ରହଣ କରି ବ୍ରିଟେନ, କାନାଡ଼ା ଓ ଅଷ୍ଟ୍ରେଲିଆ କର୍ତ୍ତୃପକ୍ଷ ଭାରତୀୟ ଦୂତାବାସ ସମେତ ବିଭିନ୍ନ ପ୍ରତିଷ୍ଠାନକୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦେଇଥିଲେ। ଖଲିସ୍ତାନୀ ସମର୍ଥକ ଗୋଷ୍ଠୀର ପ୍ରତିଟି ପଦକ୍ଷେପ ଉପରେ ପୁଲିସ ଓ ଗୁଇନ୍ଦା ବାହିନୀ ଅହରହ ନଜର ରଖିବା ସହ ବିଭିନ୍ନ ଆଗୁଆ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଥିଲା।

ଶନିବାର କାନାଡାର ଟରଣ୍ଟୋରେ ଥିବା ଭାରତୀୟ ବାଣିଜ୍ୟ ଦୂତାବାସ ବାହାରେ ଖାଲିସ୍ତାନୀ ସପକ୍ଷବାଦୀଙ୍କ ବିରୋଧର ମୁକାବିଲା ପାଇଁ ଭାରତୀୟ ସମୁଦାୟର ସଦସ୍ୟମାନେ ମଧ୍ୟ ଭାରତୀୟ ଜାତୀୟ ପତାକା ସହ ଏକ ରୢାଲି କରିଥିଲେ। ଗୋଟିଏ ପଟେ ଖାଲିସ୍ତାନୀ ସମର୍ଥକମାନେ ସେମାନଙ୍କ ପତାକା ଧରି ଦୂତାବାସ ବାହାରେ ଠିଆ ହୋଇଥିବା ବେଳେ ଅନ୍ୟପକ୍ଷରେ ଭାରତୀୟ ସମୁଦାୟର ସଦସ୍ୟମାନେ ସେମାନଙ୍କ ବିରୋଧରେ ତ୍ରିରଙ୍ଗା ସହ ପ୍ରଦର୍ଶନ କରି କଡ଼ା ବାର୍ତ୍ତା ଦେଇଛନ୍ତି। ଖାଲିସ୍ତାନୀ ସମର୍ଥକଙ୍କ ଏକ ଦଳ ରାସ୍ତାର ଏକ ପାର୍ଶ୍ୱରେ ଠିଆ ହୋଇ ଖାଲିସ୍ତାନୀ ପତାକା ହଲାଉଥିବା ଏବଂ ଭାରତ ବିରୋଧୀ ସ୍ଲୋଗାନ ଦେଉଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି। ଭିଡିଓରେ ପଗଡିପିନ୍ଧା ଜଣେ ବ୍ୟକ୍ତି ତ୍ରିରଙ୍ଗାକୁ ଅସମ୍ମାନିତ କରୁଥିବା ଦେଖାଯାଇଛି। ରାସ୍ତାର ଅପର ପାର୍ଶ୍ୱରେ ଭାରତୀୟ ସମୁଦାୟର ସଦସ୍ୟମାନେ ଏକ ପ୍ରତିବାଦ କରି ଭାରତୀୟ ଜାତୀୟ ପତାକା ପ୍ରଦର୍ଶନ କରିଥିଲେ ଏବଂ ପ୍ଲାକାର୍ଡ ଧରିଥିଲେ ଯେଉଁଥିରେ ‘ଖାଲିସ୍ତାନୀ ଶିଖ୍ ନୁହନ୍ତି’ ବୋଲି ଲେଖାଥିଲା। କାନାଡାରେ ରହୁଥିବା ଭାରତୀୟମାନେ ମଧ୍ୟ ‘ଜୟ ଭାରତ ମାତା’ ଏବଂ ‘ବନ୍ଦେ ମାତରମ୍‌’ ସ୍ଲୋଗାନ ଦେଇଥିଲେ।
ଖାଲିସ୍ତାନୀ ଗୋଷ୍ଠୀ ଜୁନ୍ ୧୮ରେ ବ୍ରିଟିସ କଲମ୍ବିଆର ସୁରେରେ ହତ୍ୟା କରାଯାଇଥିବା ଏସ୍‌ଏଫ୍‌ଜେ ନେତା ହାର୍ଦ୍ଦିକ ସିଂ ନିଜାରଙ୍କ ପୋଷ୍ଟର ଧରିଥିଲେ। ଅନେକ ଆତଙ୍କବାଦ ଅଭିଯୋଗର ସମ୍ମୁଖୀନ ହୋଇଥିବା ନିଜାରଙ୍କ ହତ୍ୟା ପଛରେ ଭାରତର ହାତ ଥିବା ଏହି ପୋଷ୍ଟରରେ ଲେଖାଯାଇଥିଲା।

ସୂଚନାନୁସାରେ, ଖଲିସ୍ତାନୀଙ୍କ ‘କିଲ ଇଣ୍ଡିଆ ରାଲି’ରେ ଗୁରୁପତୱନ୍ତ ସିଂ ପନ୍ନୁ ଓ ପରମଜିତ ସିଂ ପାମାଙ୍କ ପରି ଖାଲିସ୍ତାନୀ ଆତଙ୍କବାଦୀ ନେତୃତ୍ୱ ନେଇଥିଲେ, ଯେଉଁମାନେ ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସ୍‌ଆଇରୁ ଅର୍ଥ ପାଉଥିବାର ଅଭିଯୋଗ ହୋଇଛି। ଲଣ୍ଡନରେ ଖାଲିସ୍ତାନୀ ଆତଙ୍କବାଦୀ ପରମଜିତ ସିଂ ପାମାଙ୍କ ନେତୃତ୍ୱରେ ବିକ୍ଷୋଭ ହୋଇଥିଲା ଯିଏ ଭାରତ ଛାଡ଼ି ପଳାଇବା ପରେ ସେଠାରେ ଆତ୍ମଗୋପନ କରିଛି। ଶନିବାର ଲଣ୍ଡନରେ ଭାରତୀୟ ହାଇ କମିଶନ ବାହାରେ ଖାଲିସ୍ତାନୀ ଗୋଷ୍ଠୀର ଡାକରାରେ ଏକ ଛୋଟ ଦଳ ବିରୋଧ ପ୍ରଦର୍ଶନ କରିଥିଲେ। ସେଠାରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବହୁସଂଖ୍ୟାରେ ପୁଲିସ ଉପସ୍ଥିତ ଥିଲା। ଆନ୍ଦୋଳନକାରୀ ସାମାନ୍ୟ ଆଇନ ଶୃଙ୍ଖଳା ସ୍ଥିତି ସୃଷ୍ଟି କଲେ ବି କଠୋର ପଦକ୍ଷେପ ଗ୍ରହଣ କରାଯିବ ବୋଲି ପୁଲିସ ବାହିନୀର ଚେତାବନୀ ପରେ ଆନ୍ଦୋଳନକାରୀମାନେ ଭାରତ ବିରୋଧରେ ସ୍ଲୋଗାନ ଦେଇ ଉକ୍ତ ସ୍ଥାନ ଛାଡ଼ିଥିଲେ।
ବ୍ରିଟେନ ଓ କାନାଡ଼ାରେ ଭାରତ ବିରୋଧରେ ସକ୍ରିୟ ଥିବା ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକୁ ଇତିମଧ୍ୟରେ ଚିହ୍ନଟ କରାଯାଇଛି ଏବଂ ସେମାନଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବାକୁ ପ୍ରସ୍ତୁତି ଚାଲିଛି।

ସମ୍ବନ୍ଧିତ ଖବର