ପୁଣି ମାଳଦ୍ବୀପରେ ପହଞ୍ଚିଲା ଚୀନର ଗୁପ୍ତଚର ଜାହାଜ

ମାଲେ: ଭାରତ ବିରୋଧୀ ଗତିବିଧିର କେନ୍ଦ୍ର ପାଲଟିଛି ମାଳଦ୍ବୀପ । ୪,୫୦୦ ଟନ୍ ଓଜନ ବିଶିଷ୍ଟ ଚୀନର  ଗୁପ୍ତଚର ଜାହାଜ ଜିଆଙ୍ଗ ୟାଙ୍ଗ ହଙ୍ଗ୍-୦୩ ମାଳଦ୍ବୀପରେ ପହଞ୍ଚିଛି। ପ୍ରାୟ ଦୁଇ ମାସ ପରେ ଏହା ମାଳଦ୍ବୀପ ଫେରିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗୁରୁବାର ସକାଳେ ଜିଆଙ୍ଗ ୟାଙ୍ଗ ହଙ୍ଗ୍-୦୩  ମାଳଦ୍ବୀପର ଥିଲାକୁସି ବନ୍ଦରରେ ଡେରା ପକାଇଛି । ଚୀନର ଏହି ଗୁପ୍ତଚର ଜାହାଜକୁ ନେଇ ଭାରତ ଓ ଆମେରିକା ଚିନ୍ତା ପ୍ରକଟ କରିଛନ୍ତି ।

ମାଳଦ୍ୱୀପ ସରକାର ଚୀନ୍ ଗୁପ୍ତଚର ଜାହାଜ ଫେରିବାର କାରଣ ପ୍ରକାଶ କରିନଥିଲେ ମଧ୍ୟ ସରକାର ଜାହାଜକୁ ଲଙ୍ଗର ପକାଇବାକୁ ଅନୁମତି ଦେଇଛନ୍ତି। ରାଷ୍ଟ୍ରପତି ମହମ୍ମଦ ମୁଇଜୋ ଗତବର୍ଷ ‘ଇଣ୍ଡିଆ ଆଉଟ୍’ର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିଲେ ଏବଂ ଏପ୍ରିଲ ୨୧ରେ ସଂସଦୀୟ ନିର୍ବାଚନରେ ବିପୁଳ ବିଜୟ ହାସଲ କରି ନିଜର ସ୍ଥିତିକୁ ଆହୁରି ସୁଦୃଢ଼ କରିଛନ୍ତି। କ୍ଷମତାକୁ ଆସିବା ପରେ ସେ ଭାରତଠାରୁ ଦୂରେଇ ଯାଉଥିବାବେଳେ ଚୀନ ନିକଟବର୍ତ୍ତୀ ହେଉଛନ୍ତି ।

ଏହା ପୂର୍ବରୁ ଫେବ୍ରୁଆରି ୨୩ ତାରିଖରେ ଜାହାଜଟି ମାଲେଠାରୁ ପ୍ରାୟ ୭.୫ କିଲୋମିଟର ପଶ୍ଚିମରେ ଥିବା ସେହି ଥିଲାକୁସି ବନ୍ଦରରେ ଡେରା ପକାଇଥିଲା। ମାଳଦ୍ୱୀପର ଇଇଜେଡ୍ (ଏକ୍ସକ୍ଲୁସିଭ ଇକୋନୋମିକ ଜୋନ) ସୀମା ନିକଟରେ ପ୍ରାୟ ଏକ ମାସ ରହିବା ପରେ ଫେବ୍ରୁଆରି ୨୨ ତାରିଖରେ ଏହି ହାଇଟେକ୍ ଜାହାଜ ମାଳଦ୍ୱୀପ ଜଳସୀମାରେ ପହଞ୍ଚିଥିଲା। ପାଖାପାଖି ୬ ଦିନ ପରେ ଜାହାଜଟି ଇଇଜେଡ୍ ସୀମାକୁ ଫେରିଯାଇଥିଲା।

ସମ୍ବନ୍ଧିତ ଖବର