ଭାରତରେ କରୋନା ଟିକା ବ୍ୟବହାର ପାଇଁ ଡିସିଜିଆଇକୁ ଅନୁମତି ମାଗିଲା ମଡର୍ଣ୍ଣା, ଆଜି ମିଳିପାରେ ଅନୁମତି

ନୂଆଦିଲ୍ଲୀ: ଭାରତରେ ଖୁବ୍ ଶୀଘ୍ର ମଡର୍ଣ୍ଣା ଟିକା ଉପଲବ୍ଧ ହୋଇପାରେ । ଫାର୍ମା କମ୍ପାନି ସିପଲା ଟିକା ଆମଦାନୀ ପାଇଁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆରୁ ଅନୁମତି ମାଗିଛି । ମଙ୍ଗଳବାର ସୂତ୍ରରୁ ଏହି ସୂଚନା ଦିଆଯାଇଛି । ସୂଚନାନୁସାରେ, ଟିକା ଆମଦାନି ପାଇଁ ସିପଲା ସୋମବାର ଡିସିଜିଆଇରୁ ଅନୁମତି ମାଗିଥିଲେ । ଆଜି ଡିସିଜିଆଇ ତରଫରୁ ଅନୁମୋଦନ ମିଳିପାରେ । ଅନୁମତି ମିଳିଲେ ୧୮ବର୍ଷରୁ ଉର୍ଧ୍ଵ ବ୍ୟକ୍ତିଙ୍କୁ ଏହି ଟିକା ଦିଆଯିବ |

ମଡର୍ଣ୍ଣା କମ୍ପାନି ପୂର୍ବରୁ ଘୋଷଣା କରି କହିଛି ଯେ, ଡାଟା ସେଫ୍ଟି ମନିଟରିଂ ବୋର୍ଡର ତତ୍ୱାବଧାନରେ କରାଯାଇଥିବା ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣରେ ସଫଳତାର ହାର ଆସିଛି ୯୪. ୫ ପ୍ରତିଶତ । ମଡର୍ଣ୍ଣାର ଚିଫ୍ ଏକଜିକ୍ୟୁଟିଭ ଅଫିସର ଷ୍ଟିଫେନ୍ ବାନସେଲ୍ କହିଛନ୍ତି, ଏହି ଭ୍ୟାକ୍ସିନ୍ କୋଭିଡ-୧୯ ମହାମାରୀରୁ ରକ୍ଷା କରି ପାରିବ । କେବଳ ଆମେରିକାରେ କମ୍ପାନି ପକ୍ଷରୁ ୩୦ ହଜାର ଲୋକଙ୍କ ଶରୀରରେ ଏହି ପରୀକ୍ଷା କରାଯାଇଥିଲା । ଏବଂ ଏଥିରେ ଯେଉଁ ସଫଳତାର ହାର ଆସିଲା ତାହା ସମସ୍ତଙ୍କୁ ଖୁସି କରିଦେଲା । କରୋନା ଟିକା ପ୍ରସ୍ତୁତ କରିବା ପାଇଁ ଆମେରିକା ସରକାର ମଡର୍ଣ୍ଣା କମ୍ପାନିରେ ୧ ବିଲିୟନ ଡଲାର ଅଥାତ୍ ସାଢେ ୭ ହଜାର କୋଟି ଟଙ୍କା ଗବେଷଣାରେ ଲଗାଇଥିଲେ । ଏହାଛଡା ୧୦ କୋଟି ଟିକା ପାଇଁ ୧୧ ହଜାର କୋଟି ଟଙ୍କା ଦେଇଛନ୍ତି ଆମେରିକା ସରକାର ।

ଟିକାର ସଫଳତା ହାର ୯୦ ପ୍ରତିଶତରୁ ଅଧିକ ରହିଛି । ମଡର୍ଣ୍ଣା ଟିକାର ଆଉ ଏକ ପ୍ରମୁଖ ଦିଗ ହେଉଛି ଏହାକୁ ଫାଇଜର ଟିକା ଭଳି ମାଇନସ୍ ୭୦ ଡିଗ୍ରୀ ସେଲସିୟସରେ ରଖିବାକୁ ପଡିବ ନାହିଁ । ତେଣୁ ଭାରତରେ ମଧ୍ୟ ଏହି ଟିକା ଉପଲବ୍ଧ ହେବାର ଅଧିକ ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର