ସିଞ୍ଜୋ ଆବେଙ୍କ ରାଷ୍ଟ୍ରୀୟ ଅନ୍ତିମ ସଂସ୍କାରରେ ଯୋଗ ଦେବେ ମୋଦୀ

ଟୋକିଓ : ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ରାଷ୍ଟ୍ରୀୟ ଅନ୍ତିମ ସଂସ୍କାର ଆସନ୍ତା ସେପ୍ଟେମ୍ବର ୨୭ରେ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବେ ବୋଲି ଜାପାନର ନ୍ୟୁଜ ଏଜେନ୍ସି କ୍ୟୋଡୋ ନ୍ୟୁଜ ରିପୋର୍ଟ ପ୍ରକାଶ କରିଛି ।

ମୋଦୀ ନିଜର ଏହି ଜାପାନ ଗସ୍ତ କାଳରେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦାଙ୍କୁ ସାକ୍ଷାତ କରିବେ । ଆବେଙ୍କ ପ୍ରଧାନମନ୍ତ୍ରୀତ୍ବ କାଳରେ ଭାରତ ଓ ଜାପାନ ମଧ୍ୟରେ ଦ୍ବିପାକ୍ଷିକ ସଂପର୍କ ନିବିଡ଼ ହୋଇଥିଲା । ପୁଣି ଆମେରିକା, ଜାପାନ, ଭାରତ ଓ ଅଷ୍ଟ୍ରେଲିଆକୁ ନେଇ ଗଠିତ କ୍ହାଡ୍ ମେଣ୍ଟର ପରିକଳ୍ପନା ଆବେ ହିଁ କରିଥିଲେ । ଆବେ ଓ ମୋଦୀଙ୍କ ମଧ୍ୟରେ ଘନିଷ୍ଠ ମିତ୍ରତା ଥିଲା । ଏଣୁ ମୋଦୀ ବ୍ୟକ୍ତିଗତ ଭାବେ ଜାପାନ ଯିବାକୁ ନିଷ୍ପତ୍ତି ନେଇଛନ୍ତି ।

ଗତ ଜୁଲାଇ ମାସରେ ଆବେଙ୍କୁ ଜଣେ ବ୍ୟକ୍ତି ଗୁଳି କରି ହତ୍ୟା କରିଥିଲା । ସେ ଜାପ‌ାନର ନରା ସହରର ‘ୟାମାତୋ ସାଇଡାଇଜି ଷ୍ଟେସନ୍‌’ ସମ୍ମୁଖରେ ଏକ ନିର୍ବାଚନୀ ପ୍ରଚାର ସଭାରେ ଭାଷଣ ଦେଉଥିବା ବେଳେ ଆକ୍ରମଣକାରୀ ତାଙ୍କ ଉପରକୁ ଦୁଇଟି ଗୁଳି ଚଳାଇଥିଲା । ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଓ ତାଙ୍କୁ ବଞ୍ଚାଇବାକୁ ଡାକ୍ତରମାନେ ଯଥାସମ୍ଭବ ଚେଷ୍ଟା କରିଥିଲେ ମଧ୍ୟ ସେ ଆଖି ବୁଜିଦେଇଥିଲେ ।  ଶାନ୍ତିପ୍ରୀୟ ଜାପାନରେ ଏହି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା । ପରେ ଜୁଲାଇ ୧୨ରେ ତାଙ୍କର ଅନ୍ତିମ ସଂସ୍କାର ହୋଇଥିଲା । ଏହାର କିଛି ଦିନ ପରେ ଆବେଙ୍କ ରାଷ୍ଟ୍ରୀୟ ଅନ୍ତିମ ସଂସ୍କାର ପାଇଁ ଜାପାନ ସରକାର ଘୋଷଣା କରିଥିଲେ । ୨ୟ ବିଶ୍ବଯୁଦ୍ଧ ପରେ ଜାପାନ ୨ୟ ଥର ପାଇଁ କୌଣସି ନେତାଙ୍କ ପାଇଁ ରାଷ୍ଟ୍ରୀୟ ଅନ୍ତିମ ସଂସ୍କାର କରୁଛି ।

 

ସମ୍ବନ୍ଧିତ ଖବର