ମୋ ବିରୁଦ୍ଧରେ ପ୍ରାର୍ଥୀ ହୋଇ ଜିତି ଦେଖାନ୍ତୁ ମମତା ବାନାର୍ଜୀ: ଅଧୀର ରଞ୍ଜନ ଚୌଧୁରୀ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଂଗ୍ରେସର ବରିଷ୍ଠ ନେତା ଅଧୀର ରଞ୍ଜନ ଚୌଧୁରୀ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ସେ କହିଛନ୍ତି, “ମୁଁ ମମତା ବାନାର୍ଜୀଙ୍କୁ ବରହାମପୁରରୁ ନିର୍ବାଚନୀ ଯୁଦ୍ଧରେ ଯୋଗଦେବାକୁ ଏବଂ ମୋ ବିରୁଦ୍ଧରେ ବିଜୟୀ ହେବାକୁ ଆହ୍ବାନ କରୁଛି। ଯଦି ସେ ନିଜେ ଏଠାରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁ ନାହାଁନ୍ତି, ତା’ହେଲେ ସେ ତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ଏଠାରୁ ପ୍ରାର୍ଥୀ କରିବା ଉଚିତ। ସେ କଳବଳର ବ୍ୟବହାର କରିପାରିବେ। ବିଜୟ ସୁନିଶ୍ଚିତ କରିବା ପାଇଁ ସମସ୍ତ ଉପଲବ୍ଧ ଉତ୍ସ ତାଙ୍କ ନିକଟରେ ଅଛି। ଯେତେବେଳେ କି ମୁଁ ଲୋକଙ୍କ ସମର୍ଥନ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ଆସନ୍ତୁ ଦେଖିବା କିଏ ଜିତିବ। ଯଦି କଂଗ୍ରେସ ଜିତେ, ତେବେ ଏହାର ଅର୍ଥ ହେଉଛି ଟିଏମସି ସୁପ୍ରିମୋଙ୍କ ପରାଜୟ। ”

ମମତା ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ ଅଧୀର ରଞ୍ଜନ କଡ଼ା ସମାଲୋଚନା କରିବା ଆରମ୍ଭ କରିଥିଲେ। ସେ କହିଥିଲେ ମମତାଙ୍କୁ କେହି ବିଶ୍ବାସ କରିପାରିବେ ନାହିଁ। ସେ ଜଣେ ବିଶ୍ବାସଯୋଗ୍ୟ ନେତା ନୁହନ୍ତି। ମମତା ଯଦି ୟୁସୁଫଙ୍କୁ ସମ୍ମାନ ଦେବାକୁ ଚାହୁଁଥିଲେ ତେବେ ହୁଏତ ତାଙ୍କୁ ରାଜ୍ୟସଭାକୁ ପଠାଇ ପାରିଥାନ୍ତେ। ଏଭଳି କରି ସେ ବିଜେପିକୁ ସହାୟତା କରୁଥିବା ଅଧୀର ରଞ୍ଜନ ଅଭିଯୋଗ କରିଥିଲେ।

ସୂଚନାଯୋଗ୍ୟ, ବରହାମପୁର ଲୋକସଭା ଆସନରୁ ୟୁସୁଫ ପଠାନଙ୍କୁ ତୃଣମୂଳ କଂଗ୍ରେସ ପ୍ରାର୍ଥୀ କରିଛି।  ୟୁସୁଫ ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର। ସେ ଗୁଜୁରାଟର ବଡ଼ୋଦରାରେ ଜନ୍ମ ଗ୍ରହଣ କରିଥିଲେ। ବରହାମପୁରରେ ମୁସଲମାନ ଭୋଟରଙ୍କୁ ଭାଗ ଭାଗ କରିବା ପାଇଁ ମମତା ଏଭଳି କରିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ବରହାମପୁର ଅଧୀର ରଞ୍ଜନଙ୍କ ଗଡ଼ ବୋଲି କୁହାଯାଇଥାଏ। ଏହି ଲୋକସଭା ଆସନର ୬୬ ପ୍ରତିଶତ ଭୋଟର ହେଉଛନ୍ତି ମୁସଲମାନ। ତେବେ ବର୍ତ୍ତମାନ ସୁଦ୍ଧା କଂଗ୍ରେସ ଅଧୀର ରଞ୍ଜନଙ୍କୁ ବରହାମପୁର ଆସନରୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇ ନାହିଁ। ତେବେ ସେ ବହରାମପୁର ଆସନରୁ ନିର୍ବାଚନ ଲଢ଼ିବା ପ୍ରାୟ ନିଶ୍ଚିତ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର