ମୁସଲିମ୍‌ଙ୍କ ଉପରେ ଚୀନ୍‌ର ଦମନଲୀଳା, ସମଗ୍ର ବିଶ୍ବ ନିରବଦ୍ରଷ୍ଟା

ହଂକଂ: ଚୀନ୍‌ର ଉଇଘର ଅଞ୍ଚଳରେ ବେଆଇନ୍‌ ଭାବେ ବନ୍ଦୀ ଥିବା ମୁସ୍‌ଲିମ୍‌ଙ୍କୁ ନେଇ ସମଗ୍ର ବିଶ୍ବ ଏବେ ଚୁପ୍‌। ମୁସ୍‌ଲିମ୍‌ଙ୍କ ଉପରେ ଚୀନ୍‌ ସରକାର ଚଳାଇଥିବା ଦମନଲୀଳା ‌ଘଟଣାରେ କେହି ବି ପାଟି ଫିଟାଇବାକୁ ସାହସ ଜୁଟାଇ ପାରୁ ନାହାନ୍ତି। ଦୀର୍ଘ ବର୍ଷ ଧରି ଚୀନ୍‌ର ଉଇଘର ଅଞ୍ଚଳ ମୁସ୍‌ଲିମଙ୍କ ପାଇଁ ଏବେ ନିର୍ଯାତନା ଶିବର ପାଲଟିଯାଇଛି। ଏବେ ପ୍ରାୟ ୧୧ ଲକ୍ଷ ମୁସ୍‌ଲିମଙ୍କୁ ବେଆଇନ୍‌ ଭାବେ ଅଟକ ରଖାଯାଇଛି। ସେମାନଙ୍କ ଉପରେ ଚୀନ୍‌ ସରକାର ଆଖିବୁଜା ଅତ୍ୟାଚାର କରୁଥିଲେ ମଧ୍ୟ ଜାତିସଂଘ ଏ ‌କ୍ଷେତ୍ରରେ ନିରବ ରହିଛି। ମାନବିକ ଅଧିକାର ଉଲ୍ଲଂଘନ ମାମଲାକୁ ଚୀନ୍‌ ଚପାଇ ଦେବାରେ ସଫଳ ହୋଇଛି।

ଉଇଘର ଅଞ୍ଚଳରେ ରହୁଥିବା ଲକ୍ଷାଧିକ ମୁସ୍‌ଲିମ୍‌ଙ୍କ ବିରୋଧରେ ଚୀନ୍‌ ସରକାର ଚଳାଇଥିବା ଷଡ଼ଯନ୍ତ୍ର ଏବଂ ଆଭ୍ୟନ୍ତରୀଣ ଦମନ ନୀତିର ପର୍ଦ୍ଦାଫାସ ହେବା ପରେ ଏହାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ଦୀର୍ଘ ବର୍ଷ ଧରି ବେଜିଂ ଉଇଘର ଅଞ୍ଚଳରେ ରହୁଥିବା ମୁସ୍‌ଲିମ୍‌ଙ୍କୁ ସମୂହ ବନ୍ଦୀ ଅବସ୍ଥାରେ ରଖିଛି। ମୁସ୍‌ଲିମ୍‌ମାନେ ଆତଙ୍କବାଦ କାର୍ଯ୍ୟକଳାପ ଏବଂ ଚୀନ୍‌ ବିରୋଧୀ ଗତିବିଧିରେ ଜଡ଼ିତ ରହୁଥିବା ସନ୍ଦେହ କରି ଚୀନ୍‌ ସରକାର ୨୦୧୭ରୁ ଉଇଘର, କାଜାଖ୍‌ସ ଅଞ୍ଚଳରେ ୮ ଲକ୍ଷରୁ ଅଧିକ ମୁସଲିମ୍‌ଙ୍କୁ ବନ୍ଦୀ କରି ରଖିଛନ୍ତି। ସେମାନଙ୍କ ସଂଖ୍ୟା ଏବେ ୧୧ ଲକ୍ଷ ଅତିକ୍ରମ କରିଯାଇଥିବା ଜଣାପଡ଼ିଛି। ସେମାନଙ୍କୁ ଅତି ନିର୍ମମ, ନିର୍ଦ୍ଦୟ ଭାବେ ବନ୍ଦୀ ଅବସ୍ଥାରେ ରଖାଯାଇଛି। ଖାଇବାକୁ ପେଟପୂରା ଖାଦ୍ୟ ଦିଆଯାଉନାହିଁ। ମୁସ୍‌ଲିମ୍‌ମାନଙ୍କୁ ବାହାରକୁ ଛଡ଼ା ଯାଉନାହିଁ କିମ୍ବା ବାହାରର ଲୋକଙ୍କୁ ସେମାନଙ୍କୁ ମିଶିବାକୁ ଦିଆଯାଉନାହିଁ। ଏହା ଫଳରେ ‌ଅଟକ ଥିବା ମୁସ୍‌ଲିମ୍‌ ଛାତ୍ର ଓ ଯୁବବର୍ଗ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ୨୦୧୪ରେ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ ମୁସ୍‌ଲିମ୍‌ ବନ୍ଦୀ ଥିବା ଏହି ଅଞ୍ଚଳକୁ ପରିଦର୍ଶନର ଯାଇଥିଲେ ଏବଂ ଏହାପରେ କଟକଣା ଆହୁରି ବଢ଼ିଥିଲା।

ସମ୍ବନ୍ଧିତ ଖବର