ମିଆଁମାର ସାମରିକ ବିଦ୍ରୋହ : ଏବେ ସବୁ କ୍ଷମତା ସେନାମୁଖ୍ୟଙ୍କ ହାତରେ

ଓ୍ୱାସିଂଟ : ମିଆଁମାର ସେନା ଦେଶରେ ସାମରିକ ବିଦ୍ରୋହ କରି ଶାସନ କ୍ଷମତାକୁ ନିଜ ଦଖଲକୁ ନେବା ଘଟଣା ହିଁ ଆମେରିକାର ନୂତନ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପାଇଁ ନୂତନ ଅନ୍ତର୍ଜାତୀୟ ଆହ୍ବାନ ଭାବେ ଉଭା ହୋଇଛି। ସେଠାରେ ତୁରନ୍ତ ଗଣତନ୍ତ୍ର ଫେରାଇ ଆଣିବା ପାଇଁ ଉଦ୍ୟମ ଜରୁରୀ ବୋଲି ବାଇଡେନ୍‌ ପ୍ରଶାସନ ଇସାରା କରିଥିବା ବେଳେ ମିଆଁମାର ସେନା ତାହାକୁ ପ୍ରତ୍ୟାଖ୍ୟାନ କରିଦେଇଛି। ସେନା ମୁଖ୍ୟ ମିନ୍‌ ଅଙ୍ଗ୍‌ ସବୁ କ୍ଷମତା ନିଜ ହାତରେ ରଖିଛନ୍ତି। ବାଇଡେନ୍‌ ମିଆଁମାର ଉପରେ କଠୋର ଆର୍ଥିକ କଟକଣା ଜାରି କରିବାକୁ ଧମକ ଦେଇଛନ୍ତି।

ମିଆଁମାରକୁ ମିଳୁଥିବା ଆମେରିକୀୟ ଆର୍ଥିକ ସହାୟତାକୁ କାଟ୍‌ଛାଣ୍ଟ କରିବା ଏବଂ ମିଆଁମାର ସରକାରଙ୍କ ଦ୍ବାରା ଚାଲିଥିବା କମ୍ପାନିଗୁଡ଼ିକ ଉପରେ କଟକଣା ଲଗାଇବା ଆଦି ବିକଳ୍ପ ରହିଛି ବୋଲି ଆମେରିକା ବିଦେଶ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ତେବେ ଏ ଦିଗରେ ବାଇଡେନ୍‌ଙ୍କ କାର୍ଯ୍ୟାନୁଷ୍ଠାନ ହିଁ ତାଙ୍କ ପ୍ରଶାସନର ବିଦେଶ ନୀତିରେ ରହିଥିବା ମାନବାଧିକାରର ପ୍ରତିଫଳନ ସହ ମିତ୍ର ରାଷ୍ଟ୍ରମାନଙ୍କ ସହ ଆମେରିକାର ସମ୍ପର୍କକୁ ସ୍ପଷ୍ଟ କରିବ ବୋଲି ଚର୍ଚ୍ଚା ହେଉଛି। ଅତୀତରେ ପ୍ରାୟ ଏକ ଦଶନ୍ଧି ତଳେ ମିଆଁମାରର ସାମରିକ ଶାସକମାନେ ଦେଶରେ ଗଣତନ୍ତ୍ର ବଜାୟ ରଖିବା ଲାଗି ପଦକ୍ଷେପ ନେବା ସହ ବନ୍ଦୀ ରାଜନେତାମାନଙ୍କୁ ମୁକ୍ତ କରିବା ଲାଗି ପ୍ରତିଶ୍ରୁତିବଦ୍ଧ ହେବା ପରେ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ବାରାକ୍‌ ଓବାମା ମିଆଁମାର ପ୍ରତି ପୂର୍ବରୁ ଲାଗୁ କରାଯାଇଥିବା ଆର୍ଥିକ କଟକଣାକୁ କୋହଳ କରିଥିଲେ। ତେବେ ବର୍ତ୍ତମାନ ସ୍ଥିତିରେ ଲକ୍ଷ୍ୟ ହାସଲ ପାଇଁ ମିଆଁମାର ପ୍ରତି ଅତୀତର ବିପରୀତ ପ୍ରକ୍ରିୟା ପ୍ରଚଳନ କରିବା ସମୟୋଚିତ ପଦକ୍ଷେପ ହେବ ବୋଲି ବାଇଡେନ୍‌ କହିଛନ୍ତି।

ସମ୍ବନ୍ଧିତ ଖବର