ପୁଲିସ ଉପରେ ଆକ୍ରମଣ ଏତଲାକୁ ରଦ୍ଦ କରିବା ପାଇଁ ଆବେଦନ କରିଥିଲେ ନବନୀତ୍, ଖାରଜ କଲେ ବମ୍ବେ ହାଇକୋର୍ଟ

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ଆଗରେ ହନୁମାନ ଚାଳିସା ଗାନ କରିବାର ଧମକ ଦେଇ ଗିରଫ ହୋଇଛନ୍ତି ସାଂସଦ ନବନୀତ ରାଣା ଓ ତାଙ୍କ ସ୍ବାମୀ ବିଧାୟକ ରବି ରାଣା। ଗିରଫ ପରେ ବାନ୍ଦ୍ରା କୋର୍ଟ ଦୁହିଁଙ୍କୁ ମେ’ ୬ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇଦେଇଛନ୍ତି। ତେବେ ଦୁହିଁଙ୍କ ବିରୋଧରେ ରୁଜୁ ହୋଇଥିବା ଅନ୍ୟ ଏକ ଏତଲାକୁ ନେଇ ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ନବନୀତ୍ ରାଣା। ହେଲେ ଏବେ ନବନୀତ୍ ରାଣାଙ୍କ ଆବେଦନକୁ ଖାରଜ କରି ହାଇକୋର୍ଟ ତାଙ୍କୁ ତାଗିଦ୍ କରିଛନ୍ତି।

ସୂଚନା ମୁତାବକ, ଧାରା ୧୫୩ଏ ଅର୍ଥାତ୍ ଧର୍ମ ଆଧାରରେ ଦୁଇ ଗୋଷ୍ଠୀ ମଧ୍ୟରେ ଶତ୍ରୁତା ବୃଦ୍ଧି ପାଇଁ ଚେଷ୍ଟା କରୁଥିବାରୁ ସାଂସଦ ନବନୀତ୍ ଏବଂ ରବି ରାଣାଙ୍କୁ ପୁଲିସ ଗିରଫ କରିଥିଲା। ହେଲେ ଗିରଫ କରିବାକୁ ଯାଇଥିବା ପୁଲିସକୁ ଆକ୍ରମଣ କରିଥିବାରୁ ଦୁହିଁଙ୍କ ବିରୋଧରେ ଧାରା ୩୫୩ ଅନୁଯାୟୀ ଆଉ ଏକ ଏତଲା ରୁଜୁ ହୋଇଥିଲା। ଏହି ଏତଲାକୁ ରଦ୍ଦ କରିବା ପାଇଁ ନବନୀତ୍ ହାଇକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ। ହେଲେ ହାଇକୋର୍ଟ ନବନୀତଙ୍କ ଆବେଦନକୁ ଖାରଜ କରି କହିଥିଲେ ଯେ, ଯେତେ ଅଧିକ କ୍ଷମତା ଥାଏ, ଦାୟିତ୍ବ ମଧ୍ୟ ସେତିକି ଅଧିକ ରହିଥାଏ।

निर्दलीय सांसद नवनीत राणा
aajtak

ଏହା ପୂର୍ବରୁ ମହାରାଷ୍ଟ୍ର ସରକାରଙ୍କୁ ସମାଲୋଚନା କରି ଦେବେ‌ନ୍ଦ୍ର ଫଡ଼ନାଭିସ କହିଥିଲେ ଯେ, ଯଦି ହନୁମାନ ଚାଳିସା ପଢ଼ିବା ପାପ, ତେବେ ଆମେ ହନୁମାନ ଚାଳିସା ପଢ଼ିବୁ। ସରକାର ଯଦି ଚାହିଁବେ ତେବେ ଆମ ବିରୋଧରେ ଦେଶଦ୍ରୋହ ଧାରା ଲଗାଇ ଆମକୁ ଗିରଫ କରିପାରିବେ। ଉଦ୍ଧବ ଠାକରେଙ୍କ ରାଜୁତିରେ ଜେଲରେ ଜଣେ ମହିଳା ସାଂସଦଙ୍କୁ ଦୁର୍ବ୍ୟବହାର କରାଯାଇଛି। ତାଙ୍କ ଜାତି ଉପରେ ମନ୍ତବ୍ୟ ଦିଆଯିବା ସହ ଜେଲରେ ତାଙ୍କୁ ପାଣି ପିଇବାକୁ ଦିଆଯାଇନାହିଁ ଏବଂ ଶୌଚାଳୟ ମଧ୍ୟ ବ୍ୟବହାର କରିବାକୁ ଦିଆଯାଇନାହିଁ।

ସମ୍ବନ୍ଧିତ ଖବର