୬ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଓ ଗଂଜେଇ ଜବତ, ୨ ଗିରଫ

ଖୋର୍ଦ୍ଧା: ଅବକାରୀ ବିଭାଗ ପକ୍ଷରୁ ଆଜି ଖୋର୍ଦ୍ଧା ନୂଆ ବସ୍‌ଷ୍ଟାଣ୍ଡ ଓ ଖୋର୍ଦ୍ଧା-ଜଟଣୀ ବାଇପାସ୍ ନିକଟରେ ଚଢ଼ଉ କରାଯାଇ ୬ଲକ୍ଷ ଟଙ୍କାର ଗଂଜେଇ ଓ ବ୍ରାଉନ୍‌ସୁଗାର ଜବତ କରିବା ସହ ୨ଜଣଙ୍କୁ ଗିରଫ କରାଯାଇଛି ।

ମିଳିଥିବା ସୂଚନାନୁସାରେ, ଆଜି ଅବକାରୀ ଗୁଇନ୍ଦା ସୂଚନା ଭିତ୍ତିରେ ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ସବ୍ଇନସପେକ୍ଟର ବି ମନୋଜ କୁମାର ଓ ଇନ୍ସପେକ୍ଟର ସସ୍ମିତା ହେତାଙ୍କ ନେତୃତ୍ୱରେ ଖୋର୍ଦ୍ଧାର ଦୁଇଟି ଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା । ପ୍ରଥମ ମାମଲାରେ ଖୋର୍ଦ୍ଧା ନୂଆ ବସ୍‌ଷ୍ଟାଣ୍ଡ ନିକଟରୁ ଜଣେ ବ୍ୟକ୍ତି ୩ କିଲୋଗ୍ରାମ ଗଂଜେଇ ନେଉ ଯାଉଥିବା ବେଳେ ଅବକାରୀ ବିଭାଗ ହାତରେ ଧରାପଡ଼ିଛି । ଗିରଫ ହୋଇଥିବା ବ୍ୟକ୍ତି ଜଣକ ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲ୍ଲାର ହଂସଚୋର ଗାଁର ବନସୋରି ହଜାରା (୫୪) । ବନସୋରିକୁ ଗିରଫ କରାଯିବା ସହ ଏନେଇ ଖୋର୍ଦ୍ଧା ଅବକାରୀ ଥାନାରେ ୭/୨୦୨୨ରେ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଜବତ ହୋଇଥିବା ଗଂଜେଇର ଆନୁମାନିକ ମୂଲ୍ୟ ୧୫ ହଜାର ଟଙ୍କା ହେବ ।

ସେହିଭଳି ଖୋର୍ଦ୍ଧା-ଜଟଣୀ ବାଇପାସ୍ ନିକଟରେ ଚଢ଼ଉ କରାଯାଇ କଟକ ନିଆଳି ଥାନା ପୂର୍ବଖଣ୍ଡ ନିଆଳିର ସେକ୍ ଅସଲାମକୁ ଗିରଫ କରାଯାଇଛି । ଅସଲାମ ନିକଟରୁ ୫୫ ଗ୍ରାମ ବ୍ରାଉନ୍ ସୁଗାର ଜବତ କରାଯାଇଛି । ଜବତ ବ୍ରାଉନ୍‌ସୁଗାରର ମୂଲ୍ୟ ୫ଲକ୍ଷ ୫୫ ହଜାର ଟଙ୍କା ହେବ। ଅଭିଯୁକ୍ତ ଜଣକ ଏହି ମାରାତ୍ମକ ନିଶା ବିକ୍ରି କରିବାକୁ ଖୋର୍ଦ୍ଧା ଆସିଥିବା ପଚରାଉଚୁରାରେ ଜଣାଯାଇଛି । ଏନେଇ ୮/୨୦୨୨ରେ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ନେଇ ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର