ଶିବସେନାକୁ ଏନ୍‌ସିପିର ଝଟ୍‌କା! ବିରୋଧୀ ଦଳରେ ହିଁ ରହିବୁ: ଅଜିତ ପାୱାର

ରାଜ୍ୟ କଂଗ୍ରେସ ନେତା ସୋନିଆଙ୍କୁ ଭେଟିଲେ, ପାୱାରଙ୍କ ସହ ଆଲୋଚନା କଲେ ଉଦ୍ଧବ

ମୁମ୍ବାଇ: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ବିଜେପି ଏବଂ ଶିବସେନା ମଧ୍ୟରେ ରାଜନୈତିକ ଛକାପଂଝା ଜାରି ରହିଥିବା ବେଳେ ଆଜି ଏନ୍‌ସିପି ଶିବସେନାକୁ ବଡ଼ ଝଟ୍‌କା ଦେଇଛି। ଏନ୍‌ସିପି ସମର୍ଥନରେ ସରକାର ଗଠନ କରିବୁ ବୋଲି ଶିବସେନା ନେତାମାନେ ବିଜେପିକୁ ଧମକାଉ ଥିବା ବେଳେ ଆଜି ଏନ୍‌ସିପି ବିଧାୟକ ଦଳ ନେତା ଅଜିତ ପାୱାର ସ୍ପଷ୍ଟ କରିଛନ୍ତି ଯେ ଏନ୍‌ସିପି-କଂଗ୍ରେସ ମେଣ୍ଟ ବିରୋଧୀ ଦଳରେ ହିଁ ରହିବେ ଏବଂ ସରକାର ଗଠନ ପାଇଁ ଶିବସେନାକୁ ସମର୍ଥନ କରାଯିବ ନାହିଁ। ଆମକୁ ବିରୋଧୀ ଦଳରେ ରହିବାକୁ ଜନାଦେଶ ମିଳିଛି ଏବଂ ଆମେ ଏହାକୁ ସମ୍ମାନ ଦେବୁ ବୋଲି ପାୱାର କହିଛନ୍ତି। ଶିବସେନା ଏବଂ ଏନ୍‌ସିପି ରାଜ୍ୟରେ ମିଳିତ ସରକାର ଗଠନ କରିବେ ଏବଂ କଂଗ୍ରେସ ବାହାରୁ ସମର୍ଥନ ଦେବ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏନ୍‌ସପି ନେତା ଅଜିତ ପାୱାରଙ୍କ ଏହି ବୟାନ ଏଥିରେ ବିରାମ ଦେବ ବୋଲି କୁହାଯାଉଛି। ଆଜି କଂଗ୍ରେସର ବରିଷ୍ଠ ନେତା ସୁଶିଲ କୁମାର ସିନ୍ଧେ ଏବଂ ସଂଜୟ ନିରୁପମ କହିଛନ୍ତି ଯେ କଂଗ୍ରେସ କଦାପି ଶିବସେନାକୁ ସମର୍ଥନ କରିବା ଭଳି ଭୁଲ୍‌ କରିବ ନାହିଁ। ଗତକାଲି ଶିବସେନା ନେତା ସଂଜୟ ରାଉତ ଏନ୍‌ସିପି ସୁପ୍ରିମୋ ଶରଦ ପାୱାରଙ୍କୁ ତାଙ୍କ ଘରେ ଭେଟିଥିବା ବ‌େଳେ ଆଜି ଶରଦଙ୍କ ସହିତ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ଫୋନ୍‌ରେ କଥାବାର୍ତ୍ତା ହୋଇଥିଲେ। ଏନ୍‌ସିପି ରାଜ୍ୟରେ ୫୪ ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ୪୪ ଆସନରେ ବିଜୟୀ ହୋଇଛି। ବିଜେପିକୁ ୧୦୫ ଆସନ ମିଳିଥିବା ବେଳେ ଶିବସେନାକୁ ୫୬ ଆସନ ମିଳିଛି।

ମହାରାଷ୍ଟ୍ର କଂଗ୍ରେସ ସଭାପତି ବାଲାସାହେବ ଥୋରାଟ୍‌, ପୂର୍ବ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ ଏବଂ ପୃଥ୍ବୀରାଜ ଚୌହାନ ଆଜି କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଭେଟି ମହାରାଷ୍ଟ୍ରର ସାଂପ୍ରତିକ ସ୍ଥିତି ନେଇ ଆଲୋଚନା କରିଛନ୍ତି।ଅନ୍ୟପକ୍ଷରେ ଆଜି ପୁଣି ଶିବସେନା ଏନ୍‌ସିପି ସମର୍ଥନରେ ନିଜ ବଳରେ ସରକାର ଗଠନ ପାଇଁ ସକ୍ଷମ ବୋଲି ସାଂସଦ ସଂଜୟ ରାଉତ କହିଛନ୍ତି। ତେବେ ବିଜେପି ଏହାକୁ ଅଦୌ ଗୁରୁତ୍ବ ଦେଉନାହିଁ।

ସମ୍ବନ୍ଧିତ ଖବର