ବଦଳିବନି ସିୟୁଇଟି-ୟୁଜି ପରୀକ୍ଷା ତାରିଖ, ୟୁଜିସି ଅଧ୍ୟକ୍ଷଙ୍କ ବଡ଼ ବୟାନ

ନୂଆଦିଲ୍ଲୀ: କମନ୍ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ ଅର୍ଥାତ୍ ସିୟୁଇଟି ୟୁଜି ପରୀକ୍ଷାକୁ ନେଇ ୟୁଜିସି ଅଧ୍ୟକ୍ଷ ଜଗଦୀଶ କୁମାର ବଡ଼ ବୟାନ ଦେଇଛନ୍ତି। ୟୁଜିସି ମୁଖ୍ୟଙ୍କ କହିବା ଅନୁଯାୟୀ, ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସିୟୁଇଟି ୟୁଜି ପରୀକ୍ଷା ତାରିଖରେ କୌଣସି ପରିବର୍ତ୍ତନ କରାଯିବ ନାହିଁ। ୟୁଜିସି ଅଧ୍ୟକ୍ଷଙ୍କ ସୂଚନା ଅନୁଯାୟୀ, ସିୟୁଇଟି ୟୁଜି ପରୀକ୍ଷା ପୂର୍ବ ଘୋଷଣା ଅନୁଯାୟୀ ମେ ୧୫ରୁ ମେ ୩୧, ୨୦୨୪ ମଧ୍ୟରେ ଅନୁଷ୍ଠିତ ହେବ।

ଆବେଦନ କରିବାର ଶେଷ ତାରିଖ ଅର୍ଥାତ୍ ମାର୍ଚ୍ଚ ୨୬, ୨୦୨୪ ପରେ ଆମେ ସିୟୁଇଟି-ୟୁଜି ପାଇଁ ପଞ୍ଜୀକୃତ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଏବଂ କେଉଁ ରାଜ୍ୟରୁ କେତେ ସଂଖ୍ୟକ ଅଛନ୍ତି ତାହା ବିଷୟରେ ଜାଣିପାରିବୁ। ଏହି ତଥ୍ୟ ଓ ନିର୍ବାଚନ ତାରିଖକୁ ଆଧାର କରି ଏନଟିଏ ସିୟୁଇଟି-ୟୁଜି ପାଇଁ ପରୀକ୍ଷାସୂଚୀ ଜାରି କରିବ, କିନ୍ତୁ ତାରିଖରେ କୌଣସି ପରିବର୍ତ୍ତନ ହେବ ନାହିଁ। ୟୁଜିସି ମୁଖ୍ୟ କହିଛନ୍ତି ଯେ ଏହି ପରୀକ୍ଷାର ଦୁଇଟି ତାରିଖ ଲୋକସଭା ନିର୍ବାଚନର ଦୁଇଟି ତାରିଖ ମେ ୨୦ ଓ ମେ ୨୫ ଦିନ ପଡ଼ୁଛି । ଏହା ସତ୍ତ୍ବେ ତାରିଖରେ ପରିବର୍ତ୍ତନ ହେବ ନାହିଁ ।

ସୂଚନାଯୋଗ୍ୟ ଯେ, ଶନିବାର ନିର୍ବାଚନ କମିସନ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିଲେ । ଏହା ପରେ ଆଶଙ୍କା କରାଯାଉଥିଲା ଯେ ସିୟୁଇଟି ୟୁଜି ପରୀକ୍ଷାସୂଚୀ ବଦଳିପାରେ ।

ସମ୍ବନ୍ଧିତ ଖବର