ସରୁନି ଦାଦନ ଶ୍ରମିକଙ୍କ ସମସ୍ୟା: ଗୋଟିଏ ଦିନରେ ୨ଦାଦନ ଶ୍ରମିକଙ୍କ ମୃତ୍ୟୁ

ଧର୍ମଗଡ: କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅଞ୍ଚଳରେ ଦିନକୁ ଦିନ ଦାଦନ ଶ୍ରମିକଙ୍କ ସମସ୍ୟା ବଢ଼ି ଚାଲିଛି। ଦାଦନ ଶ୍ରମିକଙ୍କ କରୁଣ ଚିତ୍ର ଅଞ୍ଚଳ ପାଇଁ ଚର୍ଚ୍ଚାର ବିଷୟ ପାଲଟିଛି। ଅନ୍ୟପଟେ ଅଞ୍ଚଳ ପାଇଁ ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିଲେ ହିଁ ଶ୍ରମ ବିଭାଗ ସ୍ଥାଣୁ ପାଲଟି ଯାଇଥିବା ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଉଛି। ବାସ୍ତବରେ ଗତକାଲି ଧର୍ମଗଡ ବ୍ଲକ ଅଞ୍ଚଳର ୨ଜଣ ଦାଦନଙ୍କ ମୃତ୍ୟୁ ହୋଇଥିବା ଖବର ପହଞ୍ଚିଛି। ଯାହା ଏବେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ମିଳିଥିବା ସୂଚନା ଅନୁଯାୟୀ ଧର୍ମଗଡ ବ୍ଲକ ଖଇରପଦରର ଜଣେ ଯୁବକ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଥିବା ଖବର ମିଳିଛି ।

ଧର୍ମଗଡ ବ୍ଲକ ଛଞ୍ଚାଣବାହିଲି ପଞ୍ଚାୟତ ବେହେରାଗୁଡାର ଘନଶ୍ୟାମ ଜୁଏଡ଼(୪୦)ଙ୍କ ୧୫ତାରିଖ ଦିନ ତେଲେଙ୍ଗାନା ରାଜ୍ୟର ଖମାନରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗତ ୪ମାସ ତଳେ ନିଜ ସ୍ତ୍ରୀ ଦୁତିକା ପୋଡ଼ଙ୍କ ସହ ପେଟପାଟଣା ପାଇଁ ସୁଦୂର ତେଲେଙ୍ଗାନାକୁ ଯାଇଥିଲେ। ତେଲେଙ୍ଗାନାର ଖମାନ ନିକଟରେ ଏକ ଘରୋଇ ମାଲିକଙ୍କ ନିକଟରେ ଇଟା ଭାଟିରେ କାମ କରୁଥିଲେ। ହେଲେ ଶନିବାର ଦିନ ହଠାତ ଛାତିରେ ଯନ୍ତ୍ରଣା ହେବାପରେ ସାଙ୍ଗସାଥି ଡାକ୍ତରଖାନାକୁ ନେବା ବାଟରେ ମୃତ୍ୟୁ ହୋଇଥିଲା । ଅନ୍ୟପଟେ ଖଇରପଦର ଗ୍ରାମର ପ୍ରଦ୍ୟୁମ୍ନ ସାହୁ ଓ ଦଶମୀ ସାହୁଙ୍କ ଏକ ମାତ୍ର ପୁତ୍ର ଜନ୍ମେଜୟ ସାହୁ ଡାକ ନାମ ପିଣ୍ଟୁ (୨୧) ଗତ ଜାନୁୟାରୀ ୧୭ ତାରିଖ ଦିନ ଝାଡ଼ଖଣ୍ଡ ରାଜ୍ୟର ଚନ୍ଦ୍ର ପୁରା ଅଞ୍ଚଳର ସାଇନା କମ୍ପାନୀ ରେ ଶ୍ରମିକ ଭାବେ କାମ କରୁଥିଲେ । କାର୍ଯ୍ୟରତ ସମୟରେ ବିଦ୍ୟୁତ ଆଘାତରେ ଆସିଥିଲେ ଏବଂ ୧୫ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ସୂଚନା ଦେଇଛନ୍ତି । ।

ସମ୍ବନ୍ଧିତ ଖବର