ଦକ୍ଷିଣ କୋରିଆ ସହ ସମ୍ପର୍କର ସବୁ ମାଧ୍ୟମକୁ ଛିନ୍ନ କଲା ଉତ୍ତର କୋରିଆ

ସିଓଲ: ଉତ୍ତର ଏବଂ ଦକ୍ଷିଣ କୋରିଆ ମଧ୍ୟରେ ସମ୍ପର୍କ ପୁଣି ଥରେ ବିବାଦ ଆଡ଼କୁ ବଢୁଛି। ଉଭୟ ଦେଶ ପରସ୍ପର ସହ ଶତ୍ରୁତା ଆଡକୁ ଗତି କରୁଛନ୍ତି। ଏହି ସମୟରେ ଉତ୍ତର କୋରିଆର ଅଫିସିଆଲ୍ ନ୍ୟୁଜ୍ ଏଜେନ୍ସି କୋରିଆନ୍ ସେଣ୍ଟ୍ରାଲ୍ ନ୍ୟୁଜ୍ ଏଜେନ୍ସି (କେସିଏନ୍ଏ) କହିଛି ଯେ ଉତ୍ତର କୋରିଆ ଉତ୍ତର ଏବଂ ଦକ୍ଷିଣ ମଧ୍ୟରେ ଥିବା ସରକାରୀ.ଟେଲିଯୋଗାଯୋଗ ସଂଯୋଗକୁ ସମ୍ପୂର୍ଣ୍ଣ ବନ୍ଦ କରିଛି । ଉତ୍ତର ଏବଂ ଦକ୍ଷିଣ କୋରିଆ ସମନ୍ବୟ ବଜାୟ ରଖିବା ପାଇଁ ଏହି ଟେଲିସଂଯୋଗକୁ ପ୍ରତିଷ୍ଠା କରାଯାଇଥିଲା | ଉତ୍ତର କୋରିଆ କହିଛି ଯେ ଦକ୍ଷିଣ କୋରିଆ ଏବଂ ଏହା ମଧ୍ୟରେ ଥିବା ସମସ୍ତ ଟେଲିସଂଯୋଗ ବିଚ୍ଛିନ୍ନ  କରିଦିଆଯାଇଛି । ଏଥିରେ ଦୁଇ ଦେଶର ନେତାଙ୍କ ମଧ୍ୟରେ ଏକ ହଟଲାଇନ ମଧ୍ୟ ରହିଛି। ଏହି ହଟଲାଇନକୁ ମଧ୍ୟ ବନ୍ଦ କରିଦିଆଯାଇଛି |

ଉତ୍ତର କୋରିଆ ଦକ୍ଷିଣ କୋରିଆକୁ ଶତ୍ରୁ ବୋଲି କହିବା ସହ ପ୍ରଥମ ପଦକ୍ଷେପ ଭାବେ ଏହା କରିଛି | ମଙ୍ଗଳବାର ଉତ୍ତର କୋରିଆ ସୀମାନ୍ତ ସହର କେସୋଙ୍ଗରେ ଥିବା ଯୋଗାଯୋଗ କାର୍ଯ୍ୟାଳୟ ମଧ୍ୟ ବନ୍ଦ କରିଦିଆଯାଇଛି । ୨୦୧୮ ମସିହାରେ ଆଲୋଚନା ପରେ ଉଭୟ ଦେଶ ଶତ୍ରୁତା କମାଇବା ପାଇଁ ଏହି କାର୍ଯ୍ୟାଳୟ ପ୍ରତିଷ୍ଠା କରିଥିଲେ, ଯାହାକି ଏବେ ବନ୍ଦ ହୋଇଯାଇଛି |

ସୂଚନା ଥାଉ କି ୧୯୫୩ ମସିହାରେ କୋରିଆ ଯୁଦ୍ଧ ଶେଷ ହେବା ପରଠାରୁ ଦୁଇ ଦେଶ ମଧ୍ୟରେ କୌଣସି ଶାନ୍ତି ଚୁକ୍ତି ହୋଇନାହିଁ | ଉତ୍ତର କୋରିଆ କହିଛି ଯେ ସାମରିକ ଯୋଗାଯୋଗର ଚ୍ୟାନେଲ ମଧ୍ୟ ବନ୍ଦ ରହିବ। ବିବିସିର ରିପୋର୍ଟ ଅନୁଯାୟୀ, କୋଭିଡ -୧୯ ମହାମାରୀ ହେତୁ ଲଗାଯାଇଥିବା ପ୍ରତିବନ୍ଧକ ଯୋଗୁଁ ଜାନୁଆରୀରେ ଯୋଗାଯୋଗ କାର୍ଯ୍ୟାଳୟ ସାମୟିକ ଭାବେ ବନ୍ଦ ହୋଇଯାଇଥିଲା। ତେବେ ଫୋନ୍ ମାଧ୍ୟମରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଜାରି ରହିଥିଲା।

ସମ୍ବନ୍ଧିତ ଖବର