ଧର୍ମଦ୍ରୋହୀ ଲେଖା ହଟାଇବାରେ ବିଫଳ ହୋଇ ‘ୱିକିପିଡିଆ’ ବ୍ଲକ୍‌ କଲା ପାକିସ୍ତାନ: ରିପୋର୍ଟ

ନୂଆଦିଲ୍ଲୀ: ଧର୍ମଦ୍ରୋହୀ ଲେଖା ହଟାଇବାରେ ବିଫଳପ୍ରଯତ୍ନ ହେବାରୁ ପାକିସ୍ତାନ ‘ୱିକିପିଡିଆ’ ସର୍ଭିସ୍‌ ବ୍ଲକ୍‌ କରି ଦେଇଥିବା କଥା ଏକ ରିପୋର୍ଟରୁ ଜଣାପଡ଼ିଛି।

ଆଦେଶ ଅନୁସାରେ କାମ ନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ‘ପାକିସ୍ତାନ ଟେଲିକମ୍ୟୁନିକେସନ୍‌ ଅଥରିଟି’ (ପିଟିଏ) ସାବଧାନ କରାଇବାର କିଛି ଦିନ ପରେ ଉପରୋକ୍ତ ପଦକ୍ଷେପ ଗ୍ରହଣ କରାଯାଇଛି।

ଧର୍ମଦ୍ରୋହୀ ଆଲେଖ୍ୟଗୁଡ଼ିକୁ ବ୍ଲକ୍‌ କିଂବା ହଟାଇ ଦେବା ପାଇଁ ‘ୱିକିପିଡିଆ’କୁ ଅନୁରୋଧ କରାଯାଇଥିଲା ବୋଲି ‘ପିଟିଏ’ କହିଥିଲା। କିନ୍ତୁ, କ’ଣ ସବୁ ହଟାଇବା ଲାଗି ‘ୱିକିପିଡିଆ’କୁ କୁହାଯାଇ ଥିଲା ତାହା ଏବେ ଜଣା ପଡ଼ିନାହିଁ।

Image Courtesy of India Today

ଜାରି କରିଥିବା ବିବୃତିରେ ‘ପିଟିଏ’ କହିଛି, ‘ୱିକିପିଡିଆ’ ସରକାରଙ୍କ ଇଚ୍ଛମତେ କାର୍ଯ୍ୟ କଲାନାହିଁ କି, ସରକାରୀ କର୍ତ୍ତୃପକ୍ଷଙ୍କ ଆଗରେ ହାଜର ହେଲାନାହିଁ।

‘ବ୍ଲୁମ୍‌ବର୍ଗ’ ରିପୋର୍ଟ ଅନୁସାରେ, ଧର୍ମଦ୍ରୋହୀ ଲେଖା ନିମନ୍ତେ ଫେବ୍ରୁଆରି ପହିଲା ଦିନ ‘ୱିକିପିଡିଆ’ ସେବାକୁ ୪୮ ଘଣ୍ଟା ପାଇଁ ଅଚଳ କରିଦିଆଯାଇଥିଲା। ୪୮ ଘଣ୍ଟା ପରେ ଏହାକୁ ସମ୍ପୂର୍ଣ୍ଣ ବ୍ଲକ୍‌ କରି ଦିଆଯାଇଛି।

ଧର୍ମଦ୍ରୋହୀ ଲେଖାଗୁଡ଼ିକୁ ହଟାଇବା ପରେ ଯାଇ ‘ୱିକିପିଡିଆ’କୁ ପୁଣି ସଚଳ କରାଯିବା କଥା ବିଚାର କରାଯିବ ବୋଲି ‘ପିଟିଏ’ କହିଛି।

ଉଲ୍ଲେଖଯୋଗ୍ୟ, ‘ସେନ୍‌ସର୍‌ସିପ୍‌ ଅଫ୍‌ ୱିକିପିଡିଆ’ ଉପରେ ‘ୱିକିପିଡିଆ’ରେ ଗୋଟାଏ ଲେଖା ଅଛି। ଚୀନ୍‌, ଇରାନ୍‌, ମିଆଁମାର୍‌, ରୁଷ୍‌, ସାଉଦୀ ଆରବ, ସିରିଆ, ତୁନିସିଆ, ତୁର୍କୀ, ଉଜ୍‌ବେକିସ୍ତାନ ଏବଂ ଭେନିଜୁଏଲା ଆଦି ଦେଶରେ ମଧ୍ୟ ‘ୱିକିପିଡିଆ’କୁ ନିଷିଦ୍ଧ କରାଯାଇଥିବା କଥା ଉଲ୍ଲେଖ ଅଛି।

ସମ୍ବନ୍ଧିତ ଖବର