ଯୁଦ୍ଧ ମୁହାଁ ନ ହେଉ ପାକିସ୍ତାନ, ଆମେରିକା ସହ ମଧ୍ୟ ଲଢ଼ିଛୁ ଆମେ: ତାଲିବାନ୍ ର ଦେଲା ଧମକ

କାବୁଲ୍: ଆଫଗାନିସ୍ତାନ ସୀମା ଭିତରେ ଥିବା ଟିଟିପି ଆତଙ୍କବାଦୀ ଶିବିରରେ ପାକିସ୍ତାନ ଏୟାରଫୋର୍ସ ପକ୍ଷରୁ ଏୟାର ‌ଷ୍ଟ୍ରାଇକ୍ କରାଯାଇଛି। ଫଳରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ସରକାର ଏବଂ ଆଫଗାନିସ୍ତାନର ତାଲିବାନ ସରକାରଙ୍କ ମଧ୍ୟରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରେ ଲାଗିଛି। ତାଲିବାନ ସୈନ୍ୟ ପାଲଟା ଆକ୍ରମଣ ପାଇଁ ନିଜର ‌ତୋପକୁ ପାକିସ୍ତାନ ସେନା ଶିବିର ମୁହାଁ କରିଛନ୍ତି। ଏହା ସହିତ ତାଲିବାନ ସୈନ୍ୟ ଜୋରଦାର୍ ଗୁଳିଚାଳନା ଆରମ୍ଭ କରିଛନ୍ତି।

ତାଲିବାନ ଧମକ ଦେଇ କହିଛି ପାକିସ୍ତାନର ନୂଆ ସରକାର ଯୁଦ୍ଧ ମୁହାଁ ନ ହୁଅନ୍ତୁ। ଆମେ ଏହାର କଡ଼ା ଜବାବ୍ ଦେବାକୁ ସର୍ବଦା ପ୍ରସ୍ତୁତ। ଆମେରିକା ଭଳି ସୁପର ପାୱାର ସହିତ ଲଢ଼ିବାର ଅଭିଜ୍ଞତା ଆମର ରହିଛି। ଆମେ କାହାକୁ ଆମର ସୀମାରେ ଅନୁପ୍ରବେଶ କରିବାକୁ ଦେବୁ ନାହିଁ। ପାକିସ୍ତାନ ଆମ ସୀମାରେ ପ୍ରବେଶ କରିଛି। ଏହାକୁ ଆମେ ସହ୍ୟ କରିବୁ ନାହିଁ।

ତାଲିବାନ ପ୍ରବକ୍ତା ଜବିଉଲ୍ଲା କହିଛନ୍ତି ପାକିସ୍ତାନ ସେନା ମହିଳା ଏବଂ ଛୋଟ ପିଲାଙ୍କୁ ଟାର୍ଗେଟ କରିଛି। ପାକିସ୍ତାନ ଏୟାର ‌ଷ୍ଟ୍ରାଇକ୍ ରେ ୫ ଜଣ ମହିଳା ଏବଂ ୩ ଜଣ ଛୋଟ ପିଲାଙ୍କ ମୃତ୍ୟୁ ଘଟିଛି। ଆଫଗାନିସ୍ତାନର ପାକଟିକା ଏବଂ ଖୋସ୍ତ ଅଞ୍ଚଳରେ ଏୟାର ଷ୍ଟ୍ରାଇକ୍ କରାଯାଇଥିବା ତାଲିବାନ ସରକାର କହିଛନ୍ତି। ଯେଉଁ ଆତଙ୍କବାଦୀଙ୍କ ସମ୍ପର୍କରେ ପାକିସ୍ତାନ କହୁଛି ସେମାନଙ୍କ ଶିବିର ପାକିସ୍ତାନରେ ହିଁ ରହିଛି। ପାକିସ୍ତାନର ନୂଆ ସରକାର ଯୁଦ୍ଧ ନ କରି ନିଜର ଆଭ୍ୟନ୍ତରୀଣ ପ୍ରସଙ୍ଗ ଉପରେ ଧ୍ୟାନ ଦେବା ଆବଶ୍ୟକ ବୋଲି ତାଲିବାନ ପ୍ରବକ୍ତା କହିଛନ୍ତି। ଅପରପକ୍ଷରେ ପାକିସ୍ତାନ ସେନା କହିଛି ଟିଟିପି ଆତଙ୍କବାଦୀ ଶିବିରକୁ ଟାର୍ଗେଟ କରାଯାଇଛି।

ସମ୍ବନ୍ଧିତ ଖବର