ଏସ୍‌ସିଓ ସମ୍ମିଳନୀରେ ଏକାଠି ହେବେ ମୋଦୀ, ପୁଟିନ୍, ଜିନ୍‌ପିଙ୍ଗ୍ ଓ ଶେହବାଜ; ୧୦ ଗୁରୁତ୍ବପୂର୍ଣ୍ଣ କଥା

ନୂଆଦିଲ୍ଲୀ: ଉଜବେକିସ୍ତାନର ରାଷ୍ଟ୍ରପତି ସୌକତ ମଜିୟୋଏଭ୍‌ଙ୍କ ନିମନ୍ତ୍ରଣ ରକ୍ଷା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୫-୧୬ ସେପ୍ଟେମ୍ବରକୁ ସେଠାକୁ ଯିବାର ଯୋଜନା କରିଛନ୍ତି। ସେ ସମରକନ୍ଦଠାରେ ସଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ଶୀର୍ଷସ୍ତରୀୟ ବୈଠକରେ ଭାଗ ନେବେ ଓ ସେଠାରେ କିଛି ନେତାଙ୍କ ସହ ତାଙ୍କ ଦ୍ବିପାକ୍ଷିକ ବୈଠକ ମଧ୍ୟ ହେବ। ଯଦିଓ ସେ ସଂପର୍କରେ ଏବେ ବିଶେଷ କିଛି ସୂଚନା ମିଳିନାହିଁ, କିଛି ଗୁରୁତ୍ବପୂର୍ଣ୍ଣ ବିଷୟରେ ଆଲୋଚନା ହେବ ବୋଲି ଅନୁମାନ କରାଯାଉଛି। ଆସନ୍ତୁ ଜାଣିବା ଏହି ବୈଠକ ସଂପର୍କରେ ୧୦ ଗୁରୁତ୍ବପୂର୍ଣ୍ଣ କଥା।

: ଏସ୍‌ସିଓ ଶିଖର ସମ୍ମିଳନୀରେ ୮  ସଦସ୍ୟ ରାଷ୍ଟ୍ର ଭାଗ ନେବେ । ଏହି ଦେଶଗୁଡ଼ିକ ମଧ୍ୟରେ ଚୀନ, ରୁଷ୍‌, ପାକିସ୍ତାନ, ଇରାନ ଆଦି ରହିଛି। ଏହି ବୈଠକ ପୂର୍ବରୁ କିଛି ଏପରି ପରିସ୍ଥିତି ଘଟିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚୀନର ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ଓ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବାକୁ ପଡ଼ିପାରେ।

: ଏସ୍‌ସିଓ ଶିଖର ସମ୍ମିଳନୀ ପୂର୍ବରୁ ପୂର୍ବ ଲଦାଖର ଗୋରା ହଟ୍ ସ୍ପ୍ରିଙ୍ଗ୍‌ ଅଞ୍ଚଳରୁ ଚୀନ ତା’ର ସେନା ପ୍ରତ୍ୟାହାର କରି ନେଇଛି।

: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସି ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ହୋଇଥିବା ଆଲୋଚନାକୁ ଆଧ‌ାର କରି ସୂତ୍ରରୁ ଜଣାପଡ଼ିଛି ଯେ ଭାରତ ଓ ଚୀନ ମଧ୍ୟରେ ଲଗାତର କୂଟନୈତିକ ଓ ସାମରିକ କମାଣ୍ଡରସ୍ତରୀୟ ଆଲୋଚନା ‌ହେତୁ ଦୁଇ ଦେଶ ମଧ୍ୟରେ ଥିବା ତିକ୍ତତା ଧୀରେ ଧୀରେ ହ୍ରାସ ପାଉଛି।

: ପାକିସ୍ତାନରେ ହୋଇଥିବା ବନ୍ୟା‌ ହେତୁ ନା କେବଳ ପାକିସ୍ତାନର କ୍ଷତି ହୋଇଛି ବରଂ ସିପିଇସିରେ ବି ଚୀନ୍‌ ନିବେଶ କରିଥିବା ପରିଯୋଜନାକୁ ବହୁ ଆରବ ଡଲାରର କ୍ଷତି ସହିବାକୁ ପଡ଼ିଛି।

: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାକିସ୍ତାନର ଜନଜୀବନ କ୍ଷତିରେ ନିଜର ଦୁଃଖ ପ୍ରକାଶ କରିଥିବା ବେଳେ ପାକିସ୍ତାନ ଶାସନ କରିଡର ଦ୍ବିପାକ୍ଷିକ ଆଲୋଚନା ହେବା ନେଇ କଳ୍ପନାଜଳ୍ପନା ହେଉଛି।

: ଆଫଗାନିସ୍ତାନ ସୀମା ବିବାଦ, ବନ୍ୟା ହେତୁ କ୍ଷୟକ୍ଷତି ଓ ରାଜନୈତିକ ଅସ୍ଥିରତା ହେତୁ ଆର୍ଥିକ ସଂକଟ ଦେଇ ଗତି କରୁଥିବା ପାକିସ୍ତାନ ବିଭିନ୍ନ ଆଡୁ ସହାୟତା ଚାହିଁଛି।

: ପୂର୍ବରୁ ଭାଇ ନୱାଜ ସରିଫ ପ୍ରଧାନମନ୍ତ୍ରୀ ଥିବା ବେଳେ ୨୦୧୫ ମସିହା ଡିସେମ୍ବର ୨୫ ତାରିଖରେ ମୋଦୀଙ୍କ ସହ ଶେହବାଜ ସରିଫଙ୍କର ସାକ୍ଷାତ୍‌ ହୋଇଥିଲା। ସେ ସମୟରେ ମୋଦୀ ନୱାଜ ଓ ଶେହବାଜଙ୍କ ମାଆଙ୍କୁ ଏକ ଶାଢ଼ି ଉପହାର ଦେବା ସହ ତାଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ। ସେହିଦିନ ପରଠାରୁ ମୋଦୀଙ୍କୁ ପୁଣି ଥରେ ଭେଟିବାକୁ ଚାହୁଁଥିଲେ ଶେହବାଜ।

: ଯଦି ମୋଦୀ ଓ ଶାହାବାଜ ସରିଫଙ୍କ ସମରକନ୍ଦଠାରେ ଭେଟ ହୁଏ ତେବେ ଏକ ପାରିବାରିକ ମିଳନ ସହ ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଅନୁଷ୍ଠାନିକ ସାକ୍ଷାତ ହେବ ବୋଲି ଆଶା ରହିଛି।

: ଏସ୍‌ସିଓ ଶିଖର ସମ୍ମିଳନୀରେ ଗତ ଦୁଇ ଦଶନ୍ଧି ସଂଗଠନର କାର୍ଯ୍ୟକଳାପକୁ ସମୀକ୍ଷା କରିବା ସହ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଂଗରେ ଆଲୋଚନା ହେବ ବୋଲି ଆଶା କରାଯାଉଛି।

: ସମ୍ମିଳନୀରେ ଉପସ୍ଥିତ ହେବାକୁ ଥିବା ପର୍ଯ୍ୟ‌ବେକ୍ଷକ ଦେଶର ନେତାମାନେ ହେଉଛନ୍ତି ବେଲାରୁସ୍‌ର ରାଷ୍ଟ୍ରପତି ଆଲେକ୍‌ଜେଣ୍ଡର୍‌ ଲୁକାସେଁକୋ, ଇରାନୀ ରାଷ୍ଟ୍ରପତି ଇବ୍ରାହିମ୍‌ ରାୟସୀ ଏବଂ ମଙ୍ଗୋଲିଆର ରାଷ୍ଟ୍ରପତି ଉଖନାଗିନ୍‌ ଖୁରେଲସୁଖ। ଯେଉଁ ନେତାମାନଙ୍କୁ ଅତିଥି ଭାବେ ଆମନ୍ତ୍ରିତ କରାଯାଇଛି ସେମାନଙ୍କ ମଧ୍ୟରେ ଅଛନ୍ତି ତୁର୍କୀ ରାଷ୍ଟ୍ରପତି ରେସପ ତଇପ ଏର୍‌ଦୋନ୍‌, ଅଜରବୈଜାନ୍ ରାଷ୍ଟ୍ରପତି ଇଲ୍‌ହାମ୍‌ ଅଲିୟେବ, ଆର୍ମେନିଆର ପ୍ରଧାନମନ୍ତ୍ରୀ ନିକୋଲ ପାସିନିଆନ୍‌ ଏବଂ ତୁର୍କମେନିସ୍ତାନର ରାଷ୍ଟ୍ରପତି ସର୍ଦାର ବର୍ଦିମୁହାମେଦା।

ସମ୍ବନ୍ଧିତ ଖବର