ହଳଦୀକୁଣ୍ଡ ଗ୍ରାମରେ ଅଜଣା ରୋଗର ଆତଙ୍କ ଘଟଣା: ପୁଣି ୭ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି

ମେଡିକାଲରେ ରୋଗୀଙ୍କୁ ଭେଟିଲେ ପୂର୍ବତନ ବିଧାୟକ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ବ୍ଲକର ସାଲିମି ପଞ୍ଚାୟତର ହଳଦୀକୁଣ୍ଡ ଗ୍ରାମରେ ଅଜଣା ରୋଗରେ ଗତ ୧୫ ଦିନ ମଧ୍ୟରେ ୭ ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ଏବେ ବି ବହୁ ରୋଗୀ ଆକ୍ରାନ୍ତ ହୋଇ ଛଟପଟ ହେଉଛନ୍ତି। ପ୍ରଥମେ ଲୋକଙ୍କ ଗୋଡ ଫୁଲିବା ପରେ ହାତ ଫୁଲିବା ଏବଂ ପରେ ଜ୍ବର ହୋଇ ମୃତ୍ୟୁବରଣ କରୁଛନ୍ତି। ତେବେ ତିନି ଚାରି ଦିନ ମଧ୍ୟରେ ରୋଗୀଙ୍କର ମୃତ୍ୟୁ ହୋଇଯାଉଛି। ଏହି ଘଟଣା ପରେ ମେଡିକାଲର ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଲୋକଙ୍କୁ ବୁଝାସୁଝା କରି ମେଡିକାଲରେ ଭର୍ତ୍ତି କରୁଛି। ଏବେ ପୁଣି ୭ ଜଣ ଏହି ଅଜଣା ରୋଗର ଶିକାର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।ଲୋକେ ମେଡିକାଲ ଆସିବାକୁ ନାରାଜ ହେଉଥିବା ବେଳେ ଡାକ୍ତରମାନଙ୍କ ପରାମର୍ଶକୁ ମଧ୍ୟ ଖାତିର କରୁନଥିଲେ।ସେମାନେ ଜାଣି ଶୁଣି ଗୁଣିଆ ଏବଂ ଦିସାରୀଙ୍କ ଉପରେ ହିଁ ଭରସା କରୁଥିବା କହୁଥିଲେ। ଏହାର ଫାଇଦା ଉଠାଉଥିଲେ କ୍ବାକମାନେ।ରୋଗୀଙ୍କୁ ଗୁରୁତର ଅବସ୍ଥାରେ ଛାଡି ଚାଲିଯାଉଥିଲେ।

ତେବେ ଡାକ୍ତରୀ ଟିମ ଏହା ଜାଣିବା ପରେ ପୁଲିସ ହାତରେ କ୍ବାକ ଜଣକୁ ଧରାଇ ଗିରଫ କରାଇଥିଲେ। ସେହିପରି ଗୁଣିଆମାନଙ୍କୁ ମଧ୍ୟ ପୁଲିସର ଭୟ ଦେଖାଇଏଭଳି ଚିକିତ୍ସାରୁ ନିବୃତ୍ତ ରହିବାକୁ ପ୍ରଶାସନ ତରଫରୁ ଚେଷ୍ଟା କରାଯିବା କଥା ବୋଲି ସାଧାରଣରେ ଆଲୋଚନା ହେଉଛି।ମୃତ୍ୟୁର କାରଣକୁ ମଦ ବୋଲି ପ୍ରଚାର କରାଯାଉଥିବା ବେଳେ ଏଭଳି କୌଣସି ମଦ ମୃତ୍ୟୁ ନୁହେଁ ବୋଲି କୁହାଯାଉଛି।କିନ୍ତୁ ଏହାକୁ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ସାଧାରଣରେ ଦାବି ହୋଇଛି।ତେବେ ପାଣି କିମ୍ବା ଅନ୍ୟ କିଛି ଖାଦ୍ୟରେ ଏଭଳି କିଛି ଗୁଣ ରହିଛି କି ଯାହା ଦ୍ବାରା ଲୋକେ ଏଭଳି ରୋଗର ଶିକାର ହୋଇ ମୃତ୍ୟୁବରଣ କରୁଛନ୍ତି ବୋଲି ସ୍ବାସ୍ଥ୍ୟ ବିଭାଗ ପାଣି ଏବଂ ଖାଦ୍ୟକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରୁଛି।

ତେବେ ମାଲକାନଗିରି ଜିଲ୍ଲାରେ ଯେତେବେଳେ ବି ଅଜଣା ରୋଗ ହୋଇ ଲୋକେ ମୃତ୍ୟୁବରଣ କରୁଛନ୍ତି ସେତେବେଳେ ଲୋକେ ଡାକ୍ତରଖାନାକୁ ଆସିବାକୁ ଅମଙ୍ଗ ହୋଇ ମୃତ୍ୟୁବରଣ କରୁଛନ୍ତି।ବିଶେଷକରି ଡିସାରୀ ଏବଂ ଗୁଣିଆମାନେ ଡାକ୍ତରଖାନାକୁ ନଯିବାକୁ ସେମାନଙ୍କୁ ପ୍ରବର୍ତ୍ତାଇଥାନ୍ତି।ଯାହାଫଳରେ ଲୋକେ ଯିବାକୁ ପସନ୍ଦ କରନ୍ତି ନାହିଁ।ତେଣୁ ଏବେ ବି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାନଗଲେ ଆଗାମୀ ଦିନରେ ଏହି ରୋଗ ଆହୁରି ବ୍ୟାପକ ହେବା ସହ ଲୋକେ ମରିବେ ବୋଲି କୁହାଯାଇଛି।ମେଡିକାଲକୁ ଆଜି ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ଟାଙ୍ଗୁଲ ଏବଂ ପୂର୍ବତନ ବିଧାୟକ ମାନସ ମାଡକାମୀ ପହଞ୍ଚି ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିଥିଲେ।ତୁରନ୍ତ ସୁସ୍ଥ ହେବେ ବୋଲି ସେମାନଙ୍କୁ ବୁଝାସୁଝା କରିଥିଲେ।

ସମ୍ବନ୍ଧିତ ଖବର