ଲୋକସଭାରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କ ସୂଚନା: ୨୦୨୪ ଜୁନ୍‌ ସୁଦ୍ଧା କାର୍ଯ୍ୟକ୍ଷମ ହେବ ପୋଲାଭରମ୍‌

ନୂଆଦିଲ୍ଲୀ : ୨୦୨୪ ଜୁନ୍‌ ସୁଦ୍ଧା ପୋଲାଭରମ୍‌ ପ୍ରକଳ୍ପରୁ ଜଳ ବିତରଣ ବ୍ୟବସ୍ଥା ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି। ଆଜି ଲୋକସଭାରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡ଼ୁ। ପ୍ରକଳ୍ପ ସ୍ଥିତି ସମ୍ପର୍କରେ ସୂଚନା ଦେଇ ଶ୍ରୀ ଟୁଡ଼ୁ କହିଲେ, ୨୦୨୦ରୁ ୨୦୨୨ ମଧ୍ୟରେ ଗୋଦାବରୀରେ ବଡ଼ ଧରଣର ବନ୍ୟା କାରଣରୁ ପ୍ରସ୍ତାବିତ କାର୍ଯ୍ୟକ୍ରମରେ କିଛି ବିଳମ୍ବ ହେବାର ଆଶଙ୍କା ରହିଛି। ଏହି ପ୍ରକଳ୍ପର ତଦାରଖ ଓ କ୍ରିୟାନ୍ବୟନ ପାଇଁ କେନ୍ଦ୍ର ସରକାର ପୋଲାଭରମ ପ୍ରକଳ୍ପ ପ୍ରାଧିକରଣ ଗଠନ କରିଛନ୍ତି।

୨୦୧୩-୧୪ ମୂଲ୍ୟସୂଚୀ ଆଧାରରେ ପୋଲାଭରମ ପ୍ରକଳ୍ପ ଖର୍ଚ୍ଚ ୨୯ ହଜାର ୨୭ କୋଟି ୭୪ ଲକ୍ଷ ଟଙ୍କା ଆକଳନ କରାଯାଇଥିଲା। ୨୦୧୭-୧୮ ମୂଲ୍ୟସୂଚୀ ଆଧାରରେ ପ୍ରକଳ୍ପର ପରିବର୍ତ୍ତିତ ଆନୁମାନିକ ଖର୍ଚ୍ଚ ୪୭ ହଜାର ୭୭୫ କୋଟି ୭୪ ଲକ୍ଷ ଟଙ୍କାକୁ ବୃଦ୍ଧିପାଇଛି। ଏହାକୁ ଜାତୀୟ ପ୍ରକଳ୍ପ ମାନ୍ୟତା ମିଳିବା ପରେ କେନ୍ଦ୍ର ସରକାର ୧୩ ହଜାର ୨୨୬ କୋଟି ଟଙ୍କାର ଖର୍ଚ୍ଚ ବହନ କରିଛନ୍ତି। ଆନ୍ଧ୍ର ପ୍ରଦେଶ ସରକାରଙ୍କ ଦ୍ବାରା ଦୁଇଟି ପର୍ଯ୍ୟାୟରେ ପ୍ରକଳ୍ପ ପାଇଁ ଏକ ଲକ୍ଷ ୬ ହଜାର ୬ ଜଣ ବିସ୍ଥାପିତଙ୍କୁ ପୁନର୍ବାସ ପ୍ରଦାନ କରାଯାଇଛି ବୋଲି ଶ୍ରୀ ଟୁଡ଼ୁ ଲିଖିତ ଉତ୍ତରରେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର