୯୯ତମ ମନ୍ କୀ ବାତ୍‌ରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ: ଦେଶ ଉତ୍ଥାନରେ ନାରୀଶକ୍ତିର ଭୂମିକା ଗୁରୁତ୍ବପୂର୍ଣ୍ଣ

ଅଙ୍ଗଦାନ ପ୍ରତି ସଚେତନତା ବଢ଼ୁଥିବାରୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍‌ କୀ ବାତ୍‌ର ୯୯ତମ ସଂସ୍କରଣରେ ଅଙ୍ଗଦାନର ମହତ୍ତ୍ବ ଏବଂ ଦେଶ ଉତ୍ଥାନରେ ନାରୀଶକ୍ତିର ଭୂମିକା ବିଷୟରେ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ୨୦୧୩ରେ ମାତ୍ର ୫୦୦୦ରୁ କମ୍ ଲୋକ ଅଙ୍ଗଦାନ କରିଥିବା ବେଳେ ୨୦୨୨ରେ ଏହି ସଂଖ୍ୟା ୧୫,୦୦୦ରୁ ଅଧିକ ହୋଇଛି। ଏହାଦ୍ବାରା ବହୁଲୋକଙ୍କ ଜୀବନ ବଞ୍ଚିଯାଇପାରୁଛି। ଅଙ୍ଗଦାନ କ୍ଷେତ୍ରରେ ସଚେତନତା ବୃଦ୍ଧିକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ।
ଏହାଛଡ଼ା ବିଭିନ୍ନ କ୍ଷେତ୍ରରେ ମହିଳାଙ୍କ ଯୋଗଦାନକୁ ପ୍ରଧାନମନ୍ତ୍ରୀ ଭୂୟସୀ ପ୍ରଶଂସା କରିଥିଲେ। ସେ କହିଥିଲେ, ଦେଶର ଉତ୍ଥାନରେ ନାରୀଶକ୍ତିର ଭୂମିକା ଗୁରୁତ୍ବପୂର୍ଣ୍ଣ। ନାଗାଲାଣ୍ଡରେ ୭୫ ବର୍ଷର ଦେଶ ସ୍ବାଧୀନତା ଭିତରେ ପ୍ରଥମ କରି ଦୁଇଜଣ ମହିଳା ବିଧାନସଭା ସଦସ୍ୟା ହୋଇପାରିଛନ୍ତି। ଏକ ଜାତିସଂଘ ମିସନ ଅଧୀନରେ ଭାରତ ମଧ୍ୟ କେବଳ ମହିଳାଙ୍କୁ ନେଇ ଏକ ଶାନ୍ତିରକ୍ଷା ପ୍ଲାଟୁନ ମୁତୟନ କରିଛି। ଆଜି ଭାରତ ଏକ ମହାଶକ୍ତି ଭାବେ ଉଭା ହେବାକୁ ଯାଉଛି ଏବଂ ଏଥିରେ ନାରୀଶକ୍ତିର ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ମହିଳାଙ୍କ ସଫଳତା ବିଷୟରେ ଉଲ୍ଲେଖ କରିବାକୁ ଯାଇ ପ୍ରଧାନମନ୍ତ୍ରୀ କହିଥିଲେ, ପ୍ରଥମ ମହିଳା ବାୟୁସେନା ଅଧିକାରୀ ଗ୍ରୁପ୍ କ୍ୟାପ୍‌ଟେନ ଶାଲିଜା ଧାମିଙ୍କୁ ଏକ ଯୁଦ୍ଧ ଶାଖାରେ କମାଣ୍ଡ ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଛି। ତାଙ୍କର ପ୍ରାୟ ୩୦୦୦ ଘଣ୍ଟାର ଉଡ଼ାଣ ଅଭିଜ୍ଞତା ରହିଛି। ସେହିପରି ଭାରତୀୟ ସେନାର କ୍ୟାପ୍‌ଟେନ ଶିବା ଚୌହାନ ପ୍ରଥମ ମହିଳା ସେନା ଅଧିକାରୀ ଭାବେ ସିଆଚେନରେ ନିଯୁକ୍ତ ହୋଇଛନ୍ତି। ଏସିଆର ପ୍ରଥମ ମହିଳା ଲୋକୋ ପାଇଲଟ୍ ସୁରେଖା ଯାଦବ ମଧ୍ୟ ଆଉ ଏକ ରେକର୍ଡ କରିଛନ୍ତି। ସେ ମଧ୍ୟ ବନ୍ଦେ ଭାରତ ଟ୍ରେନ୍‌ର ପ୍ରଥମ ମହିଳା ଲୋକୋ ପାଇଲଟ୍ ହୋଇପାରିଛନ୍ତି। ନବୀକରଣଯୋଗ୍ୟ ଶକ୍ତିର ବ୍ୟବହାର କ୍ଷେତ୍ରରେ ଭାରତର ଉଲ୍ଲେଖନୀୟ ଅଗ୍ରଗତି ବିଷୟରେ ମଧ୍ୟ ମୋଦୀ ସଦୃଷ୍ଟାନ୍ତ ସୂଚନା ଦେଇଥିଲେ।

ଆସନ୍ତା ଏପ୍ରିଲ ୩୦ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ୧୦୦ତମ ମନ୍ କୀ ବାତ୍ ଉପଲକ୍ଷେ ବ୍ୟାପକ ଆୟୋଜନ କରାଯାଇଛି। ଏହି ଏପିସୋଡ୍‌କୁ ବିଶ୍ବବ୍ୟାପୀ ପ୍ରସାର କରିବା ପାଇଁ କେନ୍ଦ୍ର ଶିକ୍ଷା ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରସ୍ତାବ ଦେଇଛନ୍ତି। ବିଶ୍ବବ୍ୟାପୀ ବିଭିନ୍ନ ସ୍କୁଲ, କଲେଜ ଓ ବିଶ୍ବବିଦ୍ୟାଳୟରେ ଶ୍ରୋତାମାନଙ୍କୁ ଏହା ଶୁଣିବାର ବ୍ୟବସ୍ଥା କରାଯିବ।

ସମ୍ବନ୍ଧିତ ଖବର