ଭାରତରୁ ଲକ୍ଷ ଲକ୍ଷ ଗୋରୁ ବାଂଲାଦେଶ ଚାଲାଣ

କୋଲକାତା: ବାଂଲାଦେଶ ଏକ ମୁସଲମାନ ବହୁଳ ଦେଶ। ଏଠାରେ ଯେତିକି ଗୋରୁ ଅଛନ୍ତି ସେମାନଙ୍କ ଦ୍ବାରା ଦେଶର ଗୋମାଂସ ଚାହିଦା ପୂରଣ ହୋଇପାରୁ ନାହିଁ। ତେଣୁ ଭାରତରୁ ପୂର୍ବବଂଗ (ବର୍ତ୍ତମାନ ବାଂଲାଦେଶ)କୁ ଗୋଚାଲାଣ ସ୍ବାଧୀନତା ପୂର୍ବ ସମୟରୁ ଚାଲିଆସିଛି। ଏହା କିଛି ଲୋକଙ୍କର ରୀତିମତ ବ୍ୟବସାୟରେ ପରିଣତ ହୋଇଛି।

ଏକ କୋଲକାତା କଲେଜର ଇତିହାସ ପ୍ରଫେସର ଅନିଶ ସେନଗୁପ୍ତ କହନ୍ତି, ଆଗରୁ ପୂର୍ବ ଓ ପଶ୍ଚିମବଙ୍ଗରେ ଗୋମାଂସର ଚାହିଦା ବହୁତ ଥିଲା। ଏହି ଚାହିଦା ପୂରଣ ପାଇଁ ଆଖପାଖ ରାଜ୍ୟରୁ ଗୋରୁମାନଙ୍କୁ ଅଣାଯାଉଥିଲା। ଏହା ଏକ ବ୍ୟବସାୟ ଥିଲା। ଏବେ ସ୍ବାଧୀନତାର ୭୫ ବର୍ଷ ପରେ ସେହି ଏକ ଆର୍ଥିକ ନୀତି ଏ କ୍ଷେତ୍ରରେ ଲାଗୁ। ତେବେ ଏତିକି ଫରକ ପୂର୍ବବଂଗ ବାଂଲାଦେଶ ରୂପରେ ଏକ ଅଲଗା ଦେଶ ହୋଇଥିବାରୁ ଆଗରୁ ଯାହା ବ୍ୟବସାୟ ଥିଲା, ଏବେ ତାହା ଚୋରା କାରବାରରେ ପରିଣତ ହୋଇଛି। ଗୋରୁମାନଙ୍କୁ ନଈ ପହଁରାଇ ବା ବିପଦପୂର୍ଣ୍ଣ ସୀମା ପାର କରାଇ ଏହି ଚୋରା କାରବାର କରାଯାଉଛି।

ପ୍ରତିବର୍ଷ ୨ ନିୟୁତରୁ ଅଧିକ ଗୋରୁଙ୍କୁ ଚୋରାରେ ବାଂଲାଦେଶ ଚାଲାଣ କରାଯାଉଛି। ଭାରତ-ବାଂଲା ସୀମାରେ ୨,୨୧୭ କିମି ବାଡ଼ ଦିଆଯାଇଛି ଏବଂ ନଈ ଓ ଜଳାଭୂମି ଥିବାରୁ ୫୭୯ କିମିରେ ବାଡ଼ ଦିଆଯାଇ ନାହିଁ। ଯେଉଁଠି ବାଡ଼ ଅଛି, ସେଠି ଅନେକ ଗଳାବାଟ ବି ଅଛି ଏବଂ ଯେଉଁଠି ବାଡ଼ ନାହିଁ ସେଠି ଗୋରୁଙ୍କୁ ନଈଁରେ ପହଁରାଇ ପହଁରାଇ ନିଆଯାଉଛି। ମୁଖ୍ୟତଃ ପଞ୍ଜାବ, ହରିୟାଣା, ରାଜସ୍ଥାନ ଓ ପଶ୍ଚିମ ଉତ୍ତରପ୍ରଦେଶରୁ ଗୋରୁମାନଙ୍କୁ ଚୋରା ବେପାରୀମାନେ ବାଂଲାଦେଶ ଚାଲାଣ କରୁଛନ୍ତି।

ଗୋରୁ ଚୋରା ଚାଲାଣ ଏକ ବିପଜ୍ଜନକ ବ୍ୟବସାୟ। ଧରାପଡ଼ିଲେ ସୁରକ୍ଷା କର୍ମୀଙ୍କ ଦ୍ବାରା ଗିରଫ ହେବା ଏପରି କି ଗୁଳିମାଡ଼ ଖାଇବାର ବି ଭୟ ଥାଏ। ତଥାପି ଏଥିରେ ଭଲ ରୋଜଗାର ହେଉଥିବାରୁ ଲୋକେ ତାକୁ ଖାତିର କରନ୍ତି ନାହିଁ। ଗୋରୁମାନଙ୍କୁ ନଈ ପାର କରାଇବା କାର୍ଯ୍ୟ କରି ମଧ୍ୟ ବହୁ ଲୋକ ଜୀବିକା ନିର୍ବାହ କରୁଛନ୍ତି। ଜଣେ ଲୋକ ଗୋଟିଏ ଗୋରୁକୁ ତା’ ଲାଙ୍ଗୁଡ଼ ଧରି ନଈଁ ପହଁରାଇ ପାର କରାଇବା ପରେ ତାକୁ ଗୋରୁର ମୂଲ୍ୟ, ନଈର ଅବସ୍ଥା ଓ ସୀମା ସୁରକ୍ଷା କର୍ମୀଙ୍କ ନଜରଦାରି ଜନିତ ସଂକଟ ଭିତ୍ତିରେ ୧୫୦୦ରୁ ୨୫୦୦ ପର୍ଯ୍ୟନ୍ତ ଟଙ୍କା ମିଳେ। ସୀମାରେ ସନ୍ଦେହଜନକ ଅବସ୍ଥାରେ କୌଣସି ଲୋକକୁ ଦେଖିଲେ ବିଏସ୍‌ଏଫ୍‌ ଯବାନମାନେ ଗୁଳି ମାରିଦେଉଛନ୍ତି। ତା’ ସତ୍ତ୍ବେ ପେଟପାଟଣା ପାଇଁ ବହୁ ଲୋକ ଜୀବନକୁ ବାଜି ଲାଗାଉଛନ୍ତି। ସୀମା ସୁରକ୍ଷା ବାହିନୀର ସତର୍କ ଦୃଷ୍ଟି ସତ୍ତ୍ବେ ପ୍ରତିଦିନ ଶହଶହ ଗୋରୁ ଚାଲାଣ ହେଉଛି। କିଛି ସୁରକ୍ଷା କର୍ମୀ ଟଙ୍କା ନେଇ ଚୋରାଚାଲାଣକାରୀଙ୍କୁ ଛାଡ଼ି ଦେଉଥିବା ମଧ୍ୟ ଅଭିଯୋଗ ହୁଏ।

ସମ୍ବନ୍ଧିତ ଖବର