ମାନବୀର ଆଶ୍ରମ ଛାତ୍ରୀଙ୍କ ମୃତ୍ୟୁ ଘଟଣା: ମୃତ ଚାନ୍ଦନୀ ଆଲଡ଼ାଙ୍କ ଶବକୁ କଟକରୁ କାର୍ ଡ଼ିକିରେ ଆଣିଲେ

ଆଦିବାସୀ ସଙ୍ଗଠନର ତୀବ୍ର ପ୍ରତିକ୍ରିୟା, ଆନ୍ଦଳନ ଚେତାବନୀ

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ଜାମଦା ବ୍ଲକ୍ ମାନବୀର ଆଶ୍ରମର ଛାତ୍ରୀନିବାସରେ ରହି ପାଠ ପଢ଼ୁଥିବା ୭ମ ଶ୍ରେଣୀ ଛାତ୍ରୀ ଚାନ୍ଦନୀ ଆଲଡ଼ା(୧୨)ଙ୍କର ଶୁକ୍ରବାର ଦିନ କଟକ ବଡ଼ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ତାଙ୍କର ମୃତଦେହକୁ କାର୍‌ର ଡିକିରେ ଅଣାଯାଇଛି। ଏନେଇ ଆଦିବାସୀ ସଂଗଠନ ତୀବ୍ର ନିନ୍ଦା ସହ ଆନ୍ଦୋଳନ ଚେତାବନୀ ଦେଇଛି।
ଚାନ୍ଦିନୀ ନିକଟସ୍ଥ ସାନ କୁଲେଇବିରାର ବେବେର୍ତ୍ତା ଆଲଡ଼ା ଏବଂ ମୁନି ଆଲଡ଼ାଙ୍କର କନ୍ୟା। ପରିବାର ଲୋକଙ୍କ କହିବାନୁଯାୟୀ ଚାନ୍ଦନୀ ୧୯ ତାରିଖ ଶୁକ୍ରବାର ଦିନ ପ୍ରଥମେ ଅସୁସ୍ଥ ହୋଇ ପଡ଼ିଥିଲେ। ପ୍ରଥମେ ତାଙ୍କୁ ମାନବୀରସ୍ଥିତ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଇଥିଲା। ପୁନର୍ବାର ତାଙ୍କର ଦେହ ଅଧିକ ଖରାପ ହେବାରୁ ମଙ୍ଗଳବାର ଜାମଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ବୁଧବାର ରାଇରଙ୍ଗପୁରସ୍ଥିତ ଉପଖଣ୍ଡ ଚିକିତ୍ସାଳୟ, ଗୁରୁବାର ବାରିପଦାସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଜଟିଳ ହେବାରୁ ସେଦିନ ବାରିପଦାରୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା।
ଶୁକ୍ରବାର ଦିନ ଚିକିତ୍ସାଧୀନ ଅବସ୍ଥାରେ କଟକ ଡାକ୍ତରଖାନରେ ତାଙ୍କର ମୃତ୍ୟୁ ଘଟିଥିଲା। ରାଇରଙ୍ଗପୁରୁ କଟକ ବଡ଼ ଡାକ୍ତରଖାନାକୁ ଚାନ୍ଦିନୀଙ୍କୁ ଚିକତ୍ସା ନିମନ୍ତେ ସାଙ୍ଗରେ ମା’ ମୁନି ଆଲଡ଼ା, ବହଳଦା ବ୍ଳକ ଅଶନା ପଞ୍ଚାୟତର ଏଦେଲବେଡ଼ାରେ ବିବାହିତା ଚାନ୍ଦନୀଙ୍କ ବଡ଼ଭଉଣୀ ଦୁଗୀ ସୟ, ଭିଣୋଇ ମୁକେଶ ରୋଶନ ସୟଙ୍କ ସମେତ ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ରବିନ୍ଦ୍ର କୁମାର ବେହେରା, ଛାତ୍ରୀନିବାସର ମ୍ୟାଟ୍ରନ କୁଇଲି ଟୁଡ଼ୁ ପ୍ରମୁଖ ଯାଇଥିଲେ। ଶୁକ୍ରବାର ଡ଼ିଜେଆର୍ ଏଲ୍ଏକ୍ସଆଇ (ଓଡ଼ି୦୫ବିବି୬୩୧୫) ଯୋଗେ କୁଲେଇବିରା ଗାଁକୁ ଅଣାଯାଇଥିଲା। ଏହି ଘଟଣା ପ୍ରଚାରିତ ହେବା ପରେ ଆଜି ସକାଳେ ବିଜେପିର ରାଇରଙ୍ଗପୁର ବିଧାୟକ ପ୍ରାର୍ଥୀ ଜଲେନ୍ ବାର୍ଦା, ବରି ନେତା ବିଜୁ ଗୋପାଳ ଗୋପ୍, ଆଦିବାସୀ ସାମାଜିକ ସଙ୍ଗଠନର କର୍ମୀ ବରି ହୋ ସମାଜ ସଙ୍ଗଠକ ମନୋରଞ୍ଜନ ତିରିଆ, ଆଡ଼ଭୋକେଟ୍ ବିର୍ସା କଣ୍ଡାଂକେଲ ପ୍ରମୁଖ ସାନକୁଲେଇବିରା ଗାଁକୁ ଯାଇ ଶୋକସନ୍ତପ୍ତ ପରିବାରବର୍ଗଙ୍କ ସହିତ ଆଲୋଚନା କରିଥିଲେ । ମୃତ ଛାତ୍ରୀର ପିତା ବେବେର୍ତ୍ତା ଆଲଡ଼ା ତାଙ୍କରି ପ୍ରଧାନଶିକ୍ଷକ ରବିନ୍ଦ୍ରକୁମାର ବେହେରା ଏବଂ ମ୍ୟାଟ୍ରନ କୁଇଲି ଟୁଡ ଗୋଟିଏ ଭଡ଼ା ଡ଼ିଜେଆର୍ କାର୍ ଯୋଗାଡ଼ କରି ଆଳୁ ବସ୍ତା ପରି ଚାନ୍ଦନୀର ଶବକୁ ଡ଼ିକିରେ ଭର୍ତ୍ତି କରାଇ ତାଙ୍କ ପରିବାର ଲୋକଙ୍କ ସହିତ ଘରକୁ ପଠାଇ ଦେଇଥିବାର ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଶବକୁ ଅସମ୍ମାନ ଅଭିଯୋଗ କରଯାଇଛି।
ଏ ସମ୍ପର୍କରେ ପ୍ରଧାନଶିକ୍ଷକ ଶ୍ରୀ ବେହେରାଙ୍କ ପ୍ରତିକ୍ରିୟା ନିଆଯିବାରୁ ଛାତ୍ରୀର ମୃତ୍ୟୁ ପରେ ଏ ସମ୍ପର୍କରେ କଟକ ଜିଲ୍ଲାପାଳ ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଅବଗତ କରିଥିଲେ। ଶବ ଆଣିବା ପାଇଁ ଆମ୍ବୁଲାନ୍ସସ ଗାଡ଼ି ମିଳିଲା ନାହିଁ, ଶେଷରେ କଟକ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଗୋଟିଏ କାର୍ ଗାଡ଼ି ଯୋଗାଡ଼ କରିଦେଲେ ସେଥିରେ ମୃତ ଚାନ୍ଦନୀର ଶବକୁ ଆଣିବାକୁ ବାଧ୍ୟ ହୋଇଥିଲୁ ବୋଲି କହିଛନ୍ତି। ମୃତ ଛାତ୍ରୀ ଚାନ୍ଦନୀଙ୍କ ଶବକୁ କାର୍ ଡ଼ିକିରେ ଭର୍ତ୍ତି କରି ସାନକୁଲେଇବିରା ଗାଁକୁ ଅଣାଯିବା ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସାମାଜିକ କର୍ମୀ ତଥା ହୋ ସମାଜ ସଙ୍ଗଠକ ମନୋରଞ୍ଜନ ତିରିଆ ଏବଂ ଆଡ଼ଭୋକେଟ୍ ବିର୍ସା କଣ୍ଡାଂକେଲ୍। ରାଜ୍ୟ ସରକାର ଶବକୁ ପହଁଞ୍ଚାଇବା ପାଇଁ ଆମ୍ବୁଲାନ୍ସ ବା ଶବବାହକ ଗାଡ଼ି ରହିଥିବାର ଡ଼ିଣ୍ଡିମ ପିଟୁଥିବା ବେଳେ କେଉଁ ପରିସ୍ଥିତିରେ ତାଙ୍କର ଶବକୁ ଅମାନୁଷିକ ଭାବେ କାର୍ ଡ଼ିକିରେ ଅଣାଗଲା ତାହାର ତଦନ୍ତ ଦାବି କରିଛନ୍ତି। ଏହା ସହିତ ଛାତ୍ରୀ ଚାନ୍ଦନୀଙ୍କର ମୃତ୍ୟୁ ଆଶ୍ରମ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଘଟିଥିବାରୁ ଅବହେଳା ପାଇଁ ଦାୟୀ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହିତ ତାଙ୍କର ପରିବାରକୁ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବାକୁ ସାମାଜିକ କର୍ମୀ ଶ୍ରୀ ତିରିଆ ଏବଂ ଆଡ଼ଭୋକେଟ୍ ଶ୍ରୀ କଣ୍ଡାଂକେଲ ଦୃଢ଼ ଦାବି କରିଛନ୍ତି ।
ସମ୍ବନ୍ଧିତ ଖବର