‘କେରଳ ଷ୍ଟୋରି’କୁ ନେଇ ବିବାଦ ମଧ୍ୟରେ ମସଜିଦ୍‌ରେ ହିନ୍ଦୁଙ୍କ ବିବାହର ଭିଡିଓ ସେୟାର କଲେ ରେହମାନ

ମୁମ୍ବାଇ: ସଂପ୍ରତି ‘ଲଭ୍‌ ଜିହାଦ’ ଏବଂ ‘ଧାର୍ମିକ ଧ୍ରୁବୀକରଣ’ ବୃଦ୍ଧିକୁ ନେଇ ଦେଶରେ ବିବାଦ ଉପୁଜିଥିବା ବେଳେ ବିଶିଷ୍ଟ ସଙ୍ଗୀତଜ୍ଞ ଏଆର୍‌ ରେହମାନ ମସଜିଦରେ ଏକ ହିନ୍ଦୁ ବିବାହର ହୃଦୟସ୍ପର୍ଶୀ ଭିଡିଓ ସେୟାର କରିଛନ୍ତି। ନିଜର ଟୁଇଟର ହାଣ୍ଡେଲରେ ରେହମାନ ଏହି ଭିଡିଓକୁ ଟ୍ଵିିଟ୍‌ କରି ଲେଖିଛନ୍ତି, ‘ଭଲପାଇବା ମାନବିକତା ପ୍ରତି ନିଃସର୍ତ୍ତ ଏବଂ ଉପଶମକାରୀ ହେବା ଦରକାର’।

ରେହମାନ ସେୟାର କରିଥିବା ଭିଡିଓଟି କେରଳର ବୋଲି କୁହାଯାଉଛି। ଯାହା ବିବାଦୀୟ ହୋଇପଡ଼ିଥିବା ଆଗାମୀ ଚଳଚ୍ଚିତ୍ର ‘ଦ କେରଳ ଷ୍ଟୋରି’ରେ ଦର୍ଶାଯାଇଛି ଯେ ୩୨,୦୦୦ ଝିଅ ଇସ୍‌ଲାମ ଧର୍ମ ଗ୍ରହଣ କରି ସିରିଆରେ ଆତଙ୍କବାଦୀ ସଂଗଠନ ଆଇଏସଆଇଏସରେ ଯୋଗ ଦେଇଛନ୍ତି।

ଏହି ପରିପ୍ରେକ୍ଷୀରେ କେରଳର ଏକ ମସଜିଦରେ ଜଣେ ହିନ୍ଦୁ ଦମ୍ପତି ବିବାହ ବନ୍ଧନରେ ବାନ୍ଧି ହେଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିବା ପରେ ଏଆର୍‌ ରେହମାନ କହିଛନ୍ତି, ମାନବିକତା ପ୍ରତି ଭଲପାଇବା ନିଃସର୍ତ୍ତ ଏବଂ ଉପଶମକାରୀ ହେବା ଦରକାର।

ଓସ୍କାର ବିଜେତା ଏହି ଭିଡିଓକୁ ରିଟୁଇଟ୍‌ କରି ଲେଖିଛନ୍ତି, ‘ଏଠାରେ ଆଉ ଏକ କେରଳ ଷ୍ଟୋରି ଅଛି’, ଯାହାକୁ ମାଇକ୍ରୋବ୍ଲଗିଂ ସାଇଟ୍‌ର ଏକ ପେଜ୍‌ ଶେୟାର କରିଛି।

ମାନବିକତା ପ୍ରତି ଭଲପାଇବା ନିଃସର୍ତ୍ତ ଏବଂ ଉପଶମକାରୀ ହେବା ଦରକାର ବୋଲି ରେହମାନ ତାଙ୍କ ୨୪ ନିୟୁତରୁ ଅଧିକ ଟ୍ଵିଟର ଅନୁଗାମୀଙ୍କ ସହ ଭିଡିଓ ସେୟାର କରିବା ସମୟରେ ଲେଖିଛନ୍ତି।

ସ୍ୱାଧୀନ ଡିଜିଟାଲ ପ୍ଲାଟଫର୍ମ ‘ଦ ନ୍ୟୁଜ୍‌ ମିନିଟ୍‌’ରେ ପ୍ରକାଶିତ ପ୍ରାୟ ଦୁଇ ମିନଟ୍‌ର ଏହି କ୍ଲପ୍‌ରେ କେରଳର ଆଲାପୁଜା ସହରର ଏକ ମସଜିଦରେ ଜଣେ ହିନ୍ଦୁ ଦମ୍ପତି ବିବାହ ବନ୍ଧନରେ ବାନ୍ଧି ହେଉଥିବା ଦେଖିବାକୁ ମିଳିଛି। ଭିଡିଓ ଅନୁଯାୟୀ, ଆର୍ଥିକ ସମସ୍ୟା କାରଣରୁ କନ୍ୟାର ମା’ ତାଙ୍କ ଝିଅର ବିବାହରେ ସହାୟତା ପାଇଁ ମସଜିଦ୍‌ କମିଟିର ଦ୍ୱାରସ୍ଥ ହୋଇଥିଲେ।

ଅନ୍ୟପକ୍ଷରେ ‘ଦ କେରଳ ଷ୍ଟୋରି’ ନାମକ ଏକ ବିବାଦୀୟ ନୂଆ ସିନେମା କେରଳରେ ଯୁବ ହିନ୍ଦୁ ମହିଳାମାନଙ୍କୁ ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟରେ ସାମିଲ କରିବା ପୂର୍ବରୁ ସେମାନଙ୍କୁ ଇସଲାମ ଧର୍ମଗ୍ରହଣ କରିବା ଉପରେ ଆଧାରିତ।

ତେବେ, ବିବାଦୀୟ ହୋଇପଡ଼ିଥିବା ଫିଲ୍ମ ‘ଦ କେରଳ ଷ୍ଟୋରି’ରେ ଯେଉଁମାନେ ‘ଅଭିଯୋଗ’କୁ ପ୍ରମାଣିତ କରିବେ ତାଙ୍କ ପାଇଁ ୧ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛି ମୁସଲମାନ ସଂଗଠନ। କେରଳ ଷ୍ଟେଟ୍‌ କମିଟି ଅଫ୍‌ ମୁସଲିମ୍‌ ୟୁଥ୍‌ ଲିଗ୍‌ ପକ୍ଷରୁ ଏହି ଘୋଷଣା କରାଯାଇଛି।

ସୁଦୀପ୍ତ ସେନଙ୍କ ନିର୍ଦ୍ଦେଶିତ ଏବଂ ବିପୁଲ ଅମୃତଲାଲ ଶାହାଙ୍କ ପ୍ରଯୋଜିତ ଏହି ଫିଲ୍ମ ୨୦୨୩ ମେ’ ୫ ତାରିଖରେ ରିଲିଜ୍‌ ହେବାକୁ ଯାଉଛି। ‘ଦ କେରଳ ଷ୍ଟୋରି’ରେ ଆଦା ଶର୍ମା, ଯୋଗିତା ବିହାନୀ, ସିଦ୍ଧି ଇଦାନି ଏବଂ ସୋନିଆ ବାଲାନୀ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ସେନ୍‌ଙ୍କ ଫିଲ୍ମ ‘ଦ କେରଳ ଷ୍ଟୋରି’ର ଟ୍ରେଲରରେ ରାଜ୍ୟର ୩୨ହଜାର ଝିଅ ନିଖୋଜ ହୋଇ ପରେ ଆତଙ୍କବାଦୀ ସଂଗଠନ ଆଇଏସଆଇଏସରେ ଯୋଗ ଦେଇଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର