କରୋନା ମୁକାବିଲାରେ ଭାରତ ପାଇଁ ଖୁସି ଖବର : ଭୂତାଣୁପ୍ରତିରୋଧୀ ଔଷଧ ‘ଆଭିଫାଭିର୍‌’କୁ ରୁଷିଆର ସମର୍ଥନ

ନୂଆଦିଲ୍ଲୀ : ମହାମାରୀ କୋଭିଡ୍-୧୯ ରୋଗୀଙ୍କ ଉପଚାର ଲାଗି ଅନ୍ୟତମ ଭୂତାଣୁପ୍ରତିରୋଧୀ ଔଷଧ ‘ଆଭିଫାଭିର୍’କୁ ଋଷିଆ ଅନୁମୋଦନ କରିବା, ଭାରତ ପାଇଁ ଶୁଭ ସଂକେତ ଆଣିଛି। କାରଣ ଇନ୍‌ଫ୍ଲୁଏଞ୍ଜା ପାଇଁ ଉଦ୍ଦିଷ୍ଟ ଏହି ଔଷଧର ମୂଳ ଯୌଗିକ ‘ଫାଭିପିରାଭିର୍’ର ନୈଦାନିକ ପରୀକ୍ଷଣ ଭାରତରେ ଚୂଡା଼ନ୍ତ ପର୍ଯ୍ୟାୟରେ ପହ‌ଞ୍ଚିଛି। ଏ ପରିପ୍ରେକ୍ଷୀରେ କୋଭିଡ୍-୧୯ର ମୁକାବିଲା ପାଇଁ ‘ଫାଭିପିରାଭିର୍’ରୁ ଉଦ୍ଧୃତ ‘ଆଭିଫାଭିର୍’ ସବୁଠୁ ଭରସାଯୋଗ୍ୟ ବୋଲି ଏହାର ଋଷୀୟ ପ୍ରସ୍ତୁତକର୍ତ୍ତା ଆଶାବାଦୀ ଅଛନ୍ତି।

ଗ୍ଲେନ୍‌ମାର୍କ କମ୍ପାନି ପକ୍ଷରୁ ଭାରତର ୯ଟି ପ୍ରମୁଖ ସରକାରୀ ଓ ଘରୋଇ ଡାକ୍ତରଖାନାରେ ୧୫୦ ଜଣ ସ୍ବେଚ୍ଛାସେବୀଙ୍କ ଠାରେ ‘ଫାଭିପିରାଭିର୍’ର ଶେଷ ପର୍ଯ୍ୟାୟ ପରୀକ୍ଷାନିରୀକ୍ଷା ଜାରି ରହିଛି। ୧୯୧୪ ମସିହାରେ ଜାପାନରେ ଇନ୍‌ଫ୍ଲୁଏଞ୍ଜା ଭୂତାଣୁର ସଂକ୍ରମଣ ପ୍ରତିହତ ପାଇଁ ଏକ ବଟିକା ରୂପରେ ‘ଫାଭିପିରାଭିର୍’ ଉଦ୍‌ଭାବିତ ହୋଇଥିଲା। ତେଣୁ ଯେହେତୁ ପୂର୍ବରୁ ଏହା ଇନ୍‌ଫ୍ଲୁଏଞ୍ଜା ପାଇଁ ପରୀକ୍ଷିତ, ସୁତରାଂ ରୋଗୀ ଠାରେ ଆଉ ତାହାର ବିଷ କ୍ରିୟା ପରୀକ୍ଷା କରିବାର ଆବଶ୍ୟକତା ନାହିଁ ବୋଲି କହାଯାଇଛି। ଅପରପକ୍ଷେ, ସାର୍ସ-କୋଭ୍-୨ର ମୁକାବିଲା ପାଇଁ ଜାରି ରହିଥିବା ବିଭିନ୍ନ ଔଷଧର ନୈଦାନିକ ପରୀକ୍ଷଣ ଭିତରେ ଏହି ସ୍ବତନ୍ତ୍ର ବର୍ଗର ଔଷଧ(ଫାଭିପିରାଭିର୍) ସବୁଠୁ ଅଧିକ ଫଳପ୍ରଦ ଜଣାପଡ଼ିଛି। କରୋନାଭୂତାଣୁକୁ ବହୁଗୁଣିତ କରାଉଥିବା ଏକ ସ୍ବତନ୍ତ୍ର ଧରଣର ପ୍ରୋଟିନ୍‌କୁ ନିଷ୍କ୍ରିୟ କରିବାରେ ‘ଫାଭିପିରାଭିର୍’ ଗୁରୁତ୍ବପୂର୍ଣ୍ଣ ଥିବାରୁ ଏହାର ପୂର୍ଣ୍ଣ ଉପଯୋଗ ହିଁ କୋଭିଡ୍ ବିରୋଧରେ ଅନୁକୂଳ ଫଳ ଦେବାର ଆଶା ରହିଛି।

ସମ୍ବନ୍ଧିତ ଖବର