ଭାରତକୁ ଅତ୍ୟାଧୁନିକ ଏସ-୫୦୦ ବିକ୍ରି କରିବ ଋଷିଆ!

ମସ୍କୋ : ଭାରତ ଓ ଚୀନକୁ ଅତ୍ୟାଧୁନିକ ଏସ-୫୦୦ ପ୍ରୋମେଟି ମିସାଇଲ ଡିଫେନ୍ସ ସିଷ୍ଟମ୍ ଯୋଗାଣ ପାଇଁ ଋଷିଆ ଚିନ୍ତା କରୁଛି । ଏ ନେଇ ଋଷିଆର ମିଲିଟାରୀ ବୈଷୟିକ କର୍ପୋରେସନ (ଏଫଏସଏମଟିସି)ର ନିର୍ଦ୍ଦେଶକ ଡିମିଟ୍ରି ସୁଗେଭ ସୂଚନା ଦେଇଛନ୍ତି ।

ସୋମବାର ଋଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଥିଲେ ଯେ ଋଷୀୟ ମିଲିଟାରୀ ଖୁବଶୀଘ୍ର ଏସ-୫୦୦ର ପ୍ରଥମ ବ୍ୟାଚ ପାଇବ ।

ଆରବିସି ନ୍ୟୁଜକୁ ଏକ ସାକ୍ଷାତକାର ଦେଇ ସୁଗେଭ କହିଛନ୍ତି ଯେ, ତାଙ୍କ ଦେଶ ନିଜ ସେନାବାହିନୀର ଆବଶ୍ୟକତା ମେଣ୍ଟାଇବା ପରେ ପୁରୁଣା ଓ ଭରସାଯୋଗ୍ୟ ମିତ୍ର ଦେଶ ଯେପରିକି ଭାରତ ଓ ଚୀନକୁ ଏସ-୫୦୦ ଯୋଗାଇବ । ପ୍ରତି ମିତ୍ର ଦେଶର ପ୍ରସ୍ତାବକୁ ସ୍ବତନ୍ତ୍ର ଭାବେ ବିଚାର କରାଯିବ ।

ଏସ-୫୦୦ ଏକ ଅତ୍ୟାଧୁନିକ ମିସାଇଲ ପ୍ରତିରକ୍ଷା ପ୍ରଣାଳୀ ଯାହାକି ୬୦୦ କିଲୋମିଟର ଦୂରରୁ ଶତ୍ରର ବାଲିଷ୍ଟିକ ମିସାଇଲ, ହାଇପରସୋନିକ କ୍ରୁଜ ମିସାଇଲ ଓ ବିମାନକୁ ଧ୍ବଂସ କରିବାକୁ ସକ୍ଷମ ।

ଭାରତ ଋଷିଆଠାରୁ ଏସ-୪୦୦ କିଣିସାରିଛି । ଆସନ୍ତା କିଛି ମାସ ମଧ୍ୟରେ ଏହାର ଡେଲିଭରୀ ଆରମ୍ଭ ହେବ । ଏହାର ରେଞ୍ଜ୍ ପ୍ରାୟ ୪୦୦ କିଲୋମିଟର । ଏସ-୪୦୦ ତୁଳନାରେ ଏସ-୫୦୦ ଆହୁରି ଶକ୍ତିଶାଳୀ ହୋଇଥିବାରୁ ତାହା ମିଳିଲେ ଭାରତର ବାୟୁସୀମା ଆହୁରି ଅଭେଦ୍ୟ ହୋଇପାରିବ । ଅନ୍ୟପକ୍ଷରେ ଚୀନ ପାଖରେ ଏବେ ଋଷିଆ ନିର୍ମିତ ଏସ-୩୦୦ ମିସାଇଲ ଡିଫେନସ୍ ସିଷ୍ଟମ ରହିଛି ।

ସମ୍ବନ୍ଧିତ ଖବର