କିଭକୁ ପ୍ରବେଶ କଲା ଋଷ ସେନା, ୟୁକ୍ରେନର ଓଡେସା ସହରରେ ଋଷ ସେନାର ଆକ୍ରମଣରେ ୧୮ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ୟୁକ୍ରେନ ବିରୋଧରେ ଆଜି ଯୁଦ୍ଧ ଘୋଷଣା କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ । ପୁତିନ୍ ଯୁଦ୍ଧ ଘୋଷଣା କରିବା ପରେ ୟୁକ୍ରେନ ଉପରେ ଘନ ଘନ ଆକ୍ରମଣ କରୁଛି ଋଷ । ୟୁକ୍ରେନର ରାଜଧାନୀ କିଭ୍ ସହ ୧୦ଟି ସହରରେ ଜୋରଦାର ଆକ୍ରମଣ ଜାରି ରହିଛି। ଏବେ ମିଳିଥିବା ତାଜା ଖବର ମୁତାବକ, ଋଷ ସେନା ୟୁକ୍ରେନର କିଭକୁ ପ୍ରବେଶ କରିଛି। ଉତ୍ତର କିଭରେ ଋଷର ସେନା ପ୍ରବେଶ କରୁଥିବା ବେଳେ ଋଷ ଏପର୍ଯ୍ୟନ୍ତ ୩୦ରୁ ଅଧିକ ଏୟାର ଷ୍ଟ୍ରାଇକ୍ କରିସାରିଥିବା କହିଛି ୟୁକ୍ରେନ। ଋଷ ସେନା କିଭର ହୋଷ୍ଟମେଲ ବିମାନବନ୍ଦର ଉପରେ ଏକ ବଡ଼ ଧରଣର ଆକ୍ରମଣ କରିଥିବା ଜଣାପଡ଼ିଛି।

କିଭ ସହ ଋଷର ସୈନ୍ୟମାନେ ୟୁକ୍ରେନର ଓଡେସା ସହରରେ ପ୍ରବେଶ କରୁଥିବା ନେଇ ଖବର ମିଳିଛି| କୁହାଯାଉଛି ଯେ ଋଷ ଓଡେସା ଉପରେ ଆକ୍ରମଣ କରିବାରୁ ୧୮ଜଣଙ୍କର ପ୍ରାଣହାନୀ ଘଟିଛି।

ତେବେ ଆଜି ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ଘୋଷଣା କରିବା ପରେ ରୁଷ୍‌ର ସଶସ୍ତ୍ରବାହିନୀ ଭିନ୍ନ ଭିନ୍ନ ପ୍ରାନ୍ତରୁ ଶାନ୍ତିପୂର୍ଣ୍ଣ ୟୁକ୍ରେନୀୟ ସହରଗୁଡ଼ିକ ଉପରେ ଆକ୍ରମଣ ଆରମ୍ଭ କରିଛି । କୌଣସି ଅଜ୍ଞାତ ସ୍ଥାନରୁ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଉଥିବା କଥା କହିଛି ୟୁକ୍ରେନ୍‌। ୟୁକ୍ରେନ୍‌ ସରକାର ଦେଶରେ ସାମରିକ ଆଇନ ଜାରି କରିବା ସହ ସୁରକ୍ଷା ପ୍ରତି ବିପଦ ଥିବାରୁ ବେସାମରିକ ବିମାନ ଚଳାଚଳ ନିମନ୍ତେ ଆକାଶ ପଥ ବନ୍ଦ କରି ଦେଇଛନ୍ତି। ଏ‌ବେ ସ୍ବଦେଶ ଫେରିବା ପାଇଁ କିଏଭ୍‌ ବିମାନ ବନ୍ଦରରେ ପହଞ୍ଚିଥିବା ଯାତ୍ରୀ ଏବଂ କର୍ମଚାରୀମାନଙ୍କୁ ସ୍ଥାନାନ୍ତର କରାଯାଉଛି। ରୁଷ୍‌ ମଧ୍ୟ ୟୁକ୍ରେନ୍‌ ସୀମାନ୍ତ ଚାରିପଟରୁ ବାଣିଜ୍ୟିକ ବିମାନ ନିମନ୍ତେ ଆକାଶପଥ ବନ୍ଦ କରି ଦେଇଛି।

ସମ୍ବନ୍ଧିତ ଖବର