ଶରଣାର୍ଥୀ ନାବାଳିକାମାନଙ୍କୁ ଯୌନଉତ୍ପୀଡ଼ନ ଦେଇ ଜେଲ୍‌ ଗଲେ ହିରୋ ଭାବେ ପ୍ରଶଂସିତ ଦକ୍ଷିଣ କୋରିଆର ପାଦ୍ରୀ

ସିଓଲ୍‌: ଉତ୍ତର କୋରିଆ ଛାଡୁଥିବା ଲୋକମାନଙ୍କୁ ନିରାପଦ ସ୍ଥାନକୁ ଖସି ପଳାଇଯିବାରେ ଉଦ୍ୟମ କରି ଏକଦା ହିରୋ ଭାବେ ପ୍ରଶଂସିତ ଦକ୍ଷିଣ କୋରିଆର ଜଣେ ପାଦ୍ରୀ ନାବାଳିକାମାନଙ୍କୁ ଯୌନ ଉତ୍ପୀଡ଼ନ ଦେଇ ଜେଲ୍‌ଦଣ୍ଡ ପାଇଥିବା କଥା ‘ସିଏନ୍‌ଏନ୍‌’ ରିପୋର୍ଟ କରିଛି।

ରିପୋର୍ଟରେ ଉଲ୍ଲେଖ ଅଛି, ‘ଆକ୍ଟ୍‌ ଅନ୍‌ ସେକ୍ସୁଆଲ୍‌ ପ୍ରୋଟେକ୍‌ସନ୍‌ ଅଫ୍‌ ଚିଲ୍‌ଡ୍ରେନ୍‌ ଆଣ୍ଡ୍‌ ଆଡୋଲ୍‌ସେଣ୍ଟ୍‌ସ୍‌’ ଆଇନ ଉଲ୍ଲଂଘନ କରିଥିବା ଚୁନ୍‌ଙ୍କୁ ଗତ ସେପ୍ଟେମ୍ବର ମାସରେ ଗିରଫ କରାଯାଇଥିଲା।

ସିଓଲ୍‌ ସେଣ୍ଟ୍ରାଲ୍‌ ଡିଷ୍ଟ୍ରିକ୍ଟ କୋର୍ଟ କହିଛି, ୨୦୧୬ରୁ ୨୦୨୩ ମଧ୍ୟରେ ୬ଜଣ ନାବାଳିକାଙ୍କୁ ଯୌନ ଉତ୍ପୀଡ଼ନ ଦେଇଥିବା ମାମଲାରେ ଚୁନ୍‌ କି-ୱନ୍‌ ନାମକ ସେ ପାଦ୍ରୀଙ୍କୁ ଗତ ସପ୍ତାହରେ ୫ ବର୍ଷ ଜେଲ୍‌ ଦଣ୍ଡାଦେଶ ଦିଆଯାଇଛି। ଉତ୍ପୀଡ଼ିତ ନାବାଳିକାମାନେ ହେଉଛନ୍ତି ଉତ୍ତର କୋରିଆର ଶରଣାର୍ଥୀ କିଂବା ଶରଣାର୍ଥୀମାନଙ୍କର ସନ୍ତାନ।

Image Courtesy of CNN

ବିଚାରପତି କହିଛନ୍ତି, ପରିସ୍ଥିତି, ପଦ୍ଧତି, ବିଷୟବସ୍ତୁ, ସମୟ ଓ ଅପରାଧ ସଂଖ୍ୟାକୁ ବିଚାର କଲେ ଏହି ଅପରାଧର ଅତ୍ୟନ୍ତ ଗୁରୁତର ବୋଲି ମନେହୁଏ। ଜଣେ ସ୍କୁଲ୍ ପ୍ରିନ୍‌ସିପାଲ୍‌ ପଦବୀରେ ଥିବାରୁ ପିଲାମାନଙ୍କ ଉପରେ ତାଙ୍କର ଅଖଣ୍ଡ ପ୍ରଭାବ ଥିଲା। ଏହାର ସୁଯୋଗ ନେଇ ସେ ନାବାଳିକାମାନଙ୍କୁ ଯୌନଉତ୍ପୀଡ଼ନ ଦେଇଥିଲେ।

ସୂଚନାଯୋଗ୍ୟ, ଖ୍ରୀଷ୍ଟିଆନ୍‌ ସହାୟତା ସଙ୍ଗଠନ ‘ଦୁରିଆନା’ର ମୁଖ୍ୟ ଥିବା ଚୁନ୍‌ ୧୯୯୯ରୁ ୧୦୦୦ରୁ ଅଧିକ ଲୋକଙ୍କୁ ସିଓଲ୍‌ରେ ପହଞ୍ଚିବାରେ ସହାୟତା କରିଥିଲେ। ଉତ୍ତର କୋରୀୟ ପିଲାଙ୍କୁ ଖ୍ରୀଷ୍ଟିଆନ୍‌ ଧର୍ମ ଶିକ୍ଷା ଦେବା ଲାଗି ଏହି ସଙ୍ଗଠନ ଗୋଟାଏ ବୋର୍ଡିଙ୍ଗ୍‌ ସ୍କୁଲ୍‌ ଚଳାଏ।

ସମ୍ବନ୍ଧିତ ଖବର