ଆରୁହା ପାହାଡ଼ରେ ଚଢ଼ଉ: ୧୦ ଗାଡ଼ି ଜବତ, ଖାଦାନ ଓ କ୍ରସର ମାଲିକ ଛୁ

ଧର୍ମଶାଳା: ଧର୍ମଶାଳା ତହସିଲ ଅନ୍ତର୍ଗତ ଆରୁହା ପାହାଡ଼ରେ ଆଜି ଚଢ଼ଉ କରାଯାଇ କଳାପଥର ଚାଲାଣରେ ବ୍ୟବହୃତ ୧୦ଟି ଗାଡ଼ିକୁ ଜବତ କରାଯାଇଛି। ଚଢ଼ଉ ପୂର୍ବରୁ ଖବର ପାଇ ଅଧିକାଂଶ ଖାଦାନ ଏବଂ ନିକଟରେ ଥିବା କ୍ରସରଗୁଡ଼ିକ ବନ୍ଦ ହୋଇଯାଇଥିଲା। ଏଭଳି ଚଢ଼ଉ ମାଫିଆଙ୍କ ଉପରେ କୌଣସି ଠୋସ୍‌ ପ୍ରଭାବ ପକାଇ ପାରୁନଥିବା ଚର୍ଚ୍ଚା ହେଉଛି।
ଯାଜପୁର ଲଘୁଖଣିଜ ଉପନିର୍ଦ୍ଦେଶକ ଜୟପ୍ରକାଶ ନାୟକ ଗତକାଲି ପୂର୍ବାହ୍ନରେ ଧର୍ମଶାଳା ପୁଲିସ ସହଯୋଗରେ ଆରୁହା ପାହାଡ଼ରେ ଚଢ଼ଉ କରିଥିଲେ। ଏହି ସମୟରେ କଳାପଥର ପରିବହନ କରୁଥିବା ୬ଟି ଟ୍ରାକ୍ଟର ଓ ୪ଟି ମିନିଟ୍ରକକୁ ଜବତ କରାଯାଇଛି। ଲଘୁ ଖଣିଜ ଅଧିକାରୀ ଓ ପୁଲିସ୍‌ଙ୍କୁ ଦେଖି କେତେକ ଗାଡ଼ିଚାଳକ କଳାପଥର ଢାଳି ଦେଇଥିଲେ। ତେବେ ସେହି ଗାଡ଼ିଗୁଡ଼ିକୁ ମଧ୍ୟ ଜବତ କରାଯାଇଥିଲା। ଜବତ ଗାଡ଼ିଗୁଡ଼ିକ ବିରୋଧରେ ମାମଲା ରୁଜୁ କରାଯିବ ବୋଲି ଲଘୁଖଣିଜ ଉପନିର୍ଦ୍ଦେଶକ ଶ୍ରୀ ନାୟକ ସୂଚନା ଦେଇଛନ୍ତି। ଚୁକ୍ତିଠାରୁ ଅଧିକ କଳାପଥର ଖନନ ଅଭିଯୋଗରେ ରାଜସ୍ବ ବିଭାଗ ପକ୍ଷରୁ ୮କୋଟି ୬୩ଲକ୍ଷ ୩୩ହଜାର ୯୧୯ଟଙ୍କା ଜରିମାନା ହୋଇଥିବା ପୂର୍ବ ଲିଜଧାରୀ ମନୋଜ ସାମଲ ଆଜିର ଚଢ଼ଉ ସମୟରେ ଉପସ୍ଥିତ ରହିବା ଘଟଣାକୁ ସାଧାରଣରେ ନାପସନ୍ଦ କରାଯାଇଛି। ଚଢ଼ଉ ସମୟରେ ତାଙ୍କର କି କାମ ଥିଲା ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୂଚନାଯୋଗ୍ୟ ଲଘୁ ଖଣିଜ ସାମଗ୍ରୀ ପରିଚାଳନା ଦାୟିତ୍ବ ଖଣି ବିଭାଗ ହାତକୁ ଗଲା ପରେ ଧର୍ମଶାଳା ତହସିଲ ଅଞ୍ଚଳରେ କଳାପଥର ଚୋରି ବୃଦ୍ଧି ପାଇଛି। ରାଜନୈତିକ ଛତ୍ରଛାୟା ତଳେ ରହି ପଥରମାଫିଆ ମାଲାମାଲ୍ ହେଉଛନ୍ତି। ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଶାସନର ହାତ ଯାଉନାହିଁ। ୧୫୩ ଏକର ବିଶିଷ୍ଟ ଆରୁହା ପାହାଡ଼ରେ ୬ଟି ସୈରାତ ରହିଛି । ଅତୀତରେ କଳାପଥର ଉତ୍ତୋଳନ ସମୟରେ ଅଘଟଣ ଘଟି ୬ରୁ ଅଧିକ ଶ୍ରମିକ ଓ ଖାଦାନ ମାଲିକଙ୍କ ମୃତ୍ୟୁ ଘଟିଛି। ବେଆଇନ ଭାବରେ ପଥର ଖାଦାନ ଚାଲୁଥିବାରୁ ମୃତ ଶ୍ରମିକ ପରିବାର କ୍ଷତିପୂରଣ ପାଉନାହାନ୍ତି। ପ୍ରଶାସନ ପକ୍ଷରୁ ବାରମ୍ବାର ଚଢ଼ଉ କରାଯାଇ ମେସିନ୍ ଓ ଗାଡ଼ି ଜବତ କରାଯାଉଛି। ପରେ ଜରିମାନା ବାବଦକୁ କିଛି ଟଙ୍କା ଆଦାୟ କରି ଗାଡ଼ିଗୁଡ଼ିକୁ ଛାଡ଼ି ଦିଆଯାଉଛି। ଫଳରେ ଦିନ କେଇଟା ପରେ ପୁଣି ଚୋରା ଚାଲାଣ ଆରମ୍ଭ ହୋଇଯାଉଛି।

ସମ୍ବନ୍ଧିତ ଖବର