୯୫ ବର୍ଷ ବୟସରେ ପ୍ରଖ୍ୟାତ ଓକିଲ ଫଲୀ ଏସ୍‌. ନରୀମନ୍‌ଙ୍କ ଦେହାନ୍ତ

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ ପ୍ରଖ୍ୟାତ ଆଇନଜ୍ଞ ତଥା ସୁପ୍ରିମ୍‌ କୋର୍ଟର ବୟୋଜ୍ୟଷ୍ଠ ବରିଷ୍ଠ ଓକିଲ ଫଲୀ ଏସ୍‌. ନରୀମନ୍‌ଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା।

୧୯୨୯ ମସିହା ଜାନୁଆରି ୧୦ ତାରିଖରେ ମିଆଁମାର୍‌ରେ ଏକ ପାର୍ସି ପରିବାରରେ ଜନ୍ମ ଗ୍ରହଣ କରିଥିବା ନରୀମନ୍‌ ‌୧୯୫୦ ନଭେମ୍ବର ମାସରେ ବମ୍ବେ ହାଇକୋର୍ଟରେ ଓକିଲାତି ଆରମ୍ଭ କରିଥିଲେ।

୩୮ ବର୍ଷ ହୋଇଥିଲା ବେଳେ ତାଙ୍କୁ ହାଇକୋର୍ଟ ବିଚାରପତି ହେବାକୁ ଆମନ୍ତ୍ରଣ ମିଳିଥିଲା। କିନ୍ତୁ, ସେ ଏହାକୁ ଅଗ୍ରାହ୍ୟ କରି ଦେଇଥିଲେ।

Fali S Nariman
Image Courtesy of NDTV

ତା’ପରେ ସେ ନୂଆ ଦିଲ୍ଲୀ ଚାଲିଆସି ୧୯୭୧ ମସିହାରୁ ସୁପ୍ରିମ୍‌ କୋର୍ଟର ଜଣେ ବରିଷ୍ଠ ଆଡ୍‌ଭୋକେଟ୍‌ ଭାବେ ଆଇନ ବ୍ୟବସାୟ କରୁଥିଲେ। ଏହାଛଡ଼ା, ୧୯୯୧ରୁ ୨୦୧୦ ପର୍ଯ୍ୟନ୍ତ ସେ ‘ବାର୍‌ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆ’ର ସଭାପତି ଥିଲେ।

ନରୀମନ୍‌ଙ୍କୁ ଦେଶର ମର୍ଯ୍ୟାଦାଜନକ ବେସାମରିକ ସମ୍ମାନ ପଦ୍ମଭୂଷଣ ଓ ପଦ୍ମ ବିଭୂଷଣ ପ୍ରଦାନ କରାଯାଇଥିଲା।

ତାଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରି ପୂର୍ବତନ ଆଇନ ମନ୍ତ୍ରୀ ତଥା ବରିଷ୍ଠ ଆଡ୍‌ଭୋକେଟ୍‌ କପିଲ ସିବଲ କହିଛନ୍ତି, ଭାରତର ଜଣେ ମହାନ୍‌ ପୁତ୍ରଙ୍କର ଦେହାନ୍ତ ଘଟିଲା।

ଏକ୍ସ୍‌ କରି ସେ ଲେଖିଛନ୍ତି: ଭାରତର ଅନ୍ୟତମ ମହାନ୍‌ ପୁତ୍ର ଫଲୀ ନରୀମନ୍‌ଙ୍କର ମୃତ୍ୟୁ ଘଟିଲା। ସେ କେବଳ ଦେଶର ଓକିଲମାନଙ୍କ ମଧ୍ୟରେ ନୁହେଁ, ଜଣେ ଉତ୍ତମ ବ୍ୟକ୍ତି ଭାବେ ମଧ୍ୟ ପରିଗଣିତ ହେଉଥିଲେ। ତାଙ୍କ ବିନା ଅଦାଲତର କରିଡର୍‌ ଆଉ ଆଗଭଳି ଦିଶିବ ନାହିଁ। ତାଙ୍କର ଆତ୍ମା ଶାନ୍ତି ଲାଭ କରୁ।

ସମ୍ବନ୍ଧିତ ଖବର