ଆମ୍ମା ସ୍କୁଟର ଯୋଜନାର ଶୁଭାରମ୍ଭ କଲେ ମୋଦି

ତାମିଲନାଡ଼ୁରେ ଜୟଲଳିତାଙ୍କ ୭୦ତମ ଜନ୍ମବାର୍ଷିକୀ ,ରାଜନୈତିକ କଳ୍ପନାଜଳ୍ପନା

ଚେନ୍ନାଇ: ଆଜି ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ.ଜୟଲଳିତାଙ୍କ ୭୦ତମ ଜୟନ୍ତୀ ଉତ୍ସବ ପାଳନ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। ଏହି କାର୍ଯ୍ୟକ୍ରମ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚେନ୍ନାଇ ଗସ୍ତକୁ ନେଇ ନୂଆ ରାଜନୈତିକ ସମୀକରଣ ସମ୍ଭାବନା ଦେଖାଦେଇଛି। ରାୟେପେଠ ନିକଟରେ ଥିବା ଦଳୀୟ କାର୍ଯ୍ୟାଳୟରେ ପ୍ରତିଷ୍ଠାତା ଏମ୍‌ଜିଆର୍‌ଙ୍କ ପ୍ରତିମୂର୍ତ୍ତି ନିକଟରେ ହିଁ ଜୟଲଳିତାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଛି। ସେପଟେ ପ୍ରଧାନମନ୍ତ୍ରୀ ମୋଦି ଏହି ମହିଳାଙ୍କୁ ସବ୍‌ସିଡ଼ିରେ ଦୁଇ ଚକିଆ ଯାନ ଯୋଗାଇ ଦେବା ପାଇଁ ‘ଆମ୍ମା ସ୍କୁଟର ଯୋଜନା’ର ଶୁଭାରମ୍ଭ କରିଛନ୍ତି। ଜୟଲଳିତାଙ୍କ ଦେହାନ୍ତ ପରଠାରୁ ତାମିଲନାଡ଼ୁ ରାଜନୀତିରେ ବିଜେପିର ପରୋକ୍ଷ କବ୍‌ଜାକୁ ମେଣ୍ଟ ସରକାରର ପୂର୍ବାଭାଷ ବୋଲି ଚର୍ଚ୍ଚା ହେଉଛି। ମୋଦିଙ୍କ ପରାମର୍ଶକ୍ରମେ ମୁଖ୍ୟମନ୍ତ୍ରୀ ଇ ପଲାନିସ୍ୱାମୀ ଏବଂ ଉପ ମୁଖ୍ୟମନ୍ତ୍ରୀ ଓ ପନିର୍‌ସେଲଭମଙ୍କ ଗୋଷ୍ଠୀ ଏକ ହୋଇଥିବା ଖୋଦ୍‌ ସେମାନେ ସ୍ୱୀକାର କରିବା ପରେ ଏହାକୁ ବିଜେପିର ତାମିଲନାଡ଼ୁ ଦଖଲ ଅଭିଯାନ ବୋଲି ବିରୋଧୀ ଡିଏମ୍‌କେ କହିଛି।
ଅପରପକ୍ଷେ, ସୁପରଷ୍ଟାର କମଲ ହାସନ ମଧ୍ୟ ନିକଟରେ ନିଜର ରାଜନୈତିକ ଦଳ ଘୋଷଣା କରିଛନ୍ତି। ଅନ୍ୟତମ ସୁପର୍‌ଷ୍ଟାର ରଜନୀକାନ୍ତ ମଧ୍ୟ ରାଜନୀତି ନେଇ ପୂର୍ବରୁ ତାଙ୍କର ଅଭିମୁଖ୍ୟ ସ୍ପଷ୍ଟ କରିସାରିଛନ୍ତି। ତାମିଲନାଡ଼ୁ ରାଜନୀତିରେ ଦୁଇ ପୁରୁଣା ପ୍ରମୁଖ ଦଳ ଏଆଇଏଡିଏମ୍‌କେ ଓ ଡିଏମକେକୁ ପଛରେ ପକାଇ ଦୁଇ ଅଭିନେତାଙ୍କ ଦଳ ଆଗକୁ ବଢିବାର ସମ୍ଭାବନା ରହିଛି। ତେଣୁ ଶାସକ ଏଆଇଏଡ଼ିଏମ୍‌କେ ସହ ମେଣ୍ଟ କରି ବିଜେପି ଆଉ ଏକ ରାଜ୍ୟ ଦଖଲ କରିବା ଉଦ୍ଦେଶ୍ୟରେ ରହିଥିବା ସାଧାରଣରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର