ଜାଲ୍ଲିକାଟ୍ଟୁ ଉତ୍ସବ ପାଇଁ କରୋନା ନେଗେଟିଭ ରିପୋର୍ଟ ସହ ଅଂଶଗ୍ରହଣ କରିବେ ୩୦୦ଷଣ୍ଢ ମାଲିକ

ଚେନ୍ନାଇ: ତାମିଲନାଡ଼ୁର ଲୋକପ୍ରିୟ ଷଣ୍ଢ ଲଢ଼େଇ ଖେଳ ଜାଲ୍ଲିକାଟ୍ଟୁ ଉତ୍ସବ ପାଇଁ ଗାଇଡଲାଇନ ଜାରି କଲେ ସରକାର। କରୋନା ମହାମାରୀ ସମୟରେ ତାମିଲନାଡୁ ସରକାର ଆଜି ରାଜ୍ୟରେ ପୋଙ୍ଗଳ ମହୋତ୍ସବରେ ହେବାକୁ ଥିବା ଜାଲ୍ଲିକାଟ୍ଟୁ ଉତ୍ସବ ପାଇଁ ଗାଇଡଲାଇନ ଜାରି କରିଛନ୍ତି। ଏହି ଗାଇଡଲାଇନରେ କେବଳ ୩୦୦ ଷଣ୍ଢ ମ‌ାଲିକଙ୍କୁ ଅଂଶଗ୍ରହଣ କରିବାକୁ ଅନୁମତି ଦିଆଯାଇଛି।  ଅଂଶଗ୍ରହଣ ପାଇଁ ଷଣ୍ଢ ମ‌ାଲିକଙ୍କୁ ନେଗେଟିଭ କୋଭିଡ୍ ରିପୋର୍ଟ ଦେବାକୁ ହେବ। ଏହା ସହ ବାର୍ଷିକ ଜାଲ୍ଲିକାଟ୍ଟୁ ଉତ୍ସବରେ ଯୋଗ ଦେବା ପାଇଁ କେବଳ ୧୫୦ ଜଣ ଷଣ୍ଢ ମାଲିକଙ୍କୁ ଅନୁମତି ଦିଆଯିବ ବୋଲି ଜଣାପଡ଼ିଛି। ସମସ୍ତ ଅଂଶଗ୍ରହଣକାରୀ ଇଭେଣ୍ଟର ୪୮ଘଣ୍ଟା ମଧ୍ୟରେ କରାଯାଇଥିବା ଆରଟି-ପିସିଆର ପରୀକ୍ଷାର ଫଳାଫଳ ପ୍ରଦାନ କରିବେ।

ଏହା ସହ ଭିଡ଼ ଏଡ଼ାଇବା ପାଇଁ ଏହି ଉତ୍ସବକୁ ଟେଲିଭିଜନରେ ଦେଖିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି ସରକାର। ବଢ଼ୁଥିବା କରୋନା ସଂକ୍ରମଣକୁ ଦେଖି ଭିଡ଼ ନଜମାଇବା ପାଇଁ ଗାଇଡଲାଇନରେ କୁହାଯାଇଛି।

ତାମିଲନାଡୁରେ ୪ଦିନ ଅମଳ ପର୍ବ ପୋଙ୍ଗଳ ପାଳନ କରାଯାଉଥିବା ବେଳେ ତୃତୀୟ ଦିନ ଜାଲ୍ଲିକାଟ୍ଟୁ ଉତ୍ସବର ଆୟୋଜନ କରାଯାଏ। ଏହି ଦିନ ଷଣ୍ଢ ଲଢ଼େଇର ପ୍ରତିଯୋଗିତା କରାଯାଇଥାଏ। ପୂର୍ବରୁ ଜାଲ୍ଲିକାଟ୍ଟୁ ପାଇଁ ଅନେକ ଲୋକଙ୍କୁ ଜୀବନ ଯାଇଥିବା ବେଳେ ଏହାକୁ ବନ୍ଦ କରିବାକୁ ମଧ୍ୟ ଅନେକ ଥର ଦାବି ହୋଇସାରିଛି।

ସମ୍ବନ୍ଧିତ ଖବର