ପଡ଼ୁଛି କି ‘ଦ କଶ୍ମୀର ଫାଇଲ୍ସ’ର ପ୍ରଭାବ? ତିଳକ ଲଗାଇଥିବା ୨ ଛାତ୍ରୀଙ୍କୁ ମାଡ଼ ମାରି ନିଲମ୍ବିତ ହେଲେ ଶିକ୍ଷକ

ନୂଆଦିଲ୍ଲୀ: ତିଳକ ଲଗାଇଥିବା ୨ଛାତ୍ରୀଙ୍କୁ ମାଡ଼ ମାରି ନିଲମ୍ବିତ ହେଲେ ମୁସଲିମ ଶିକ୍ଷକ। ଏଭଳି ଘଟଣା ଘଟିଛି ଜମ୍ମୁ-କଶ୍ମୀରର ରଜୌରୀରେ। ସ୍କୁଲକୁ ତିଳକ ଲଗାଇ ଯାଇଥିବା ୨ଜଣ ଛାତ୍ରୀଙ୍କୁ ମାଡ଼ ମାରିଥିଲେ ଶିକ୍ଷକ ନିଶାର ଅହମ୍ମଦ। ଏନେଇ ମାତାପିତା ଅଭିଯୋଗ କରିବା ପରେ ଏବେ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି। ଏହି ଘଟଣା ପରେ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ର ପ୍ରଭାବ ପାଇଁ ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କହୁଛନ୍ତି ଲୋକେ।

ମାତାପିତାଙ୍କ ଅଭିଯୋଗ ମୁତାବକ, ସ୍କୁଲକୁ ତିଳକ ଲଗାଇ ପହଞ୍ଚିଥିଲେ ୨ଜଣ ଛାତ୍ରୀ। ଏହା ଦେଖି ନିଶାର ଅହମ୍ମଦ ଏହାକୁ ପୋଛିବାକୁ କହିଥିଲେ। ଏଭଳି ନକରିବାରୁ ନିଶାର ଅହମ୍ମଦ ୨ଜଣଙ୍କୁ ମାଡ଼ ମାରିଥିଲେ। ଏନେଇ ଅଭିଯୋଗ ହେବାରୁ ତୁରନ୍ତ ନିଶାର ଅହମ୍ମଦଙ୍କୁ ନିଲମ୍ବିତ କରାଯାଇ ଘଟଣା ତଦନ୍ତ ଆରମ୍ଭ ହୋଇଛି।

ଏହି ଘଟଣା ସମ୍ପର୍କରେ ରଜୌରୀର ବରିଷ୍ଠ ପୁଲିସ ମହାନିର୍ଦ୍ଦେଶକ ମହମ୍ମଦ ଅସଲାମ ଚୌଧୁରୀ କହିଛନ୍ତି, ଆମେ ଏହି ଘଟଣାର ଏତଲା ରଖିଛୁ। ଏତଲାରେ କୁହାଯାଇଛି ଯେ ୨ଜଣ ଛାତ୍ରୀଙ୍କୁ ତିଳକ ଲଗାଇଥିବାରୁ ମାଡ଼ ମରାଯାଇ ଆପତ୍ତିଜନକ ଶବ୍ଦ ବ୍ୟବହାର କରାଯାଇଛି। ଆମେ ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ କରିଛୁ ଏବଂ ଘଟଣାର ତଦନ୍ତ ଆରମ୍ଭ କରିଛୁ।

ତେବେ ମାର୍ଚ୍ଚ ୧୧ରେ ରିଲିଜ ହୋଇଥିଲା ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’। ଏହି ଫିଲ୍ମରେ କଶ୍ମୀର ପଣ୍ଡିତଙ୍କ ଉପରେ କିଭଳି ଭାବେ ଅତ୍ୟାଚାର କରାଯାଇଥିଲା ଏବଂ କିଭଳି ନୃଶଂସ ଭାବେ ହତ୍ୟା କରାଯାଇଥିଲା, ତାହା ଦେଖିଥିଲେ ଦର୍ଶକ। ଫିଲ୍ମ ପରେ ପ୍ରକୃତ ଘଟଣା ବିଷୟରେ ଦେଶବାସୀ ଜାଣିବାକୁ ପାଇଥିଲେ। ଏହି ଫିଲ୍ମ ରିଲିଜ୍ ପରଠାରୁ ଦେଶବାସୀ କଶ୍ମୀର ପଣ୍ଡିତଙ୍କ ଥଇଥାନ ଓ ସମ୍ମାନ ନେଇ ଦାବି କରିଆସୁଛନ୍ତି। ଏଭଳି ସ୍ଥିତିରେ ଏହି ଘଟଣା ଘଟିଥିବାରୁ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର