ଲୋକସଭାରେ ପ୍ରବଳ ହଟ୍ଟଗୋଳ, ବିରୋଧୀ ସାଂସଦଙ୍କ ସହ ବାଚସ୍ପତିଙ୍କ ବୈଠକ

କଂଗ୍ରେସକୁ ଟାର୍ଗେଟ୍‌ କଲେ କୃଷି ମନ୍ତ୍ରୀ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନର ଆଜି ଥିଲା ନବମ ଦିବସ। ଆଜି ଲୋକସଭା ଅଧିବେଶନ ଆରମ୍ଭ ହେବାମାତ୍ରେ ବିରୋଧୀ ଦଳ ସାଂସଦମାନେ ପ୍ରବଳ ହଙ୍ଗାମା କରିଥିଲେ। ରାଜ୍ୟସଭାରେ ରବିବାର ଦିନ ୮ ଜଣ ସଦସ୍ୟଙ୍କୁ ନିଲମ୍ବନ କରାଯାଇଥିବାରୁ ସେମାନଙ୍କ ସମର୍ଥନରେ ବିରୋଧୀ ଦଳ ସାଂସଦମାନେ ଏଭଳି ରଣନୀତି ଗ୍ରହଣ କରିଥିଲେ। ଏଥିପାଇଁ ଗୃହକାର୍ଯ୍ୟକୁ ୧ ଘଣ୍ଟା ମୁଲତବୀ ରଖାଯାଇଥିଲା। ୧ ଘଣ୍ଟା ପରେ ପୁଣି ଗୃହକାର୍ଯ୍ୟ ଆରମ୍ଭ ହେବାପରେ ବିରୋଧୀ ସାଂସଦ ଅଧିବେଶନ ବର୍ଜନ କରିଥିଲେ।

ଅପରାହ୍ନରେ ଚଳିତ ଲୋକସଭା ଅଧିବେଶନକୁ ସ୍ବାଭାବିକ କରିବା ପାଇଁ ବାଚସ୍ପତି ଓମ୍‌ ବିର୍ଲା ବିରୋଧୀ ଦଳ ସାଂସଦଙ୍କ ସହ ବୈଠକ କରିଥିଲେ। ବୈଠକରେ ସାଂସଦ ଅଧୀର ରଂଜନ ଚୌଧୁରୀ, ଟିଆର୍‌ ବାଲୁ, ସୁପ୍ରିୟା ସୁଲେ, କଲ୍ୟାଣ ବାନାର୍ଜୀଙ୍କ ସମେତ ଅନ୍ୟ ବିରୋଧୀ ଦଳ ନେତାମାନେ ଉପସ୍ଥିତ ଥିଲେ। ରାଜ୍ୟସଭା ସାଂସଦଙ୍କ ନିଲମ୍ବନ ମାମଲାରେ ଆମେ ଏକଜୁଟ୍‌ ହୋଇ ପ୍ରତିବାଦ ଜାରି ରଖିବୁ ବୋଲି ଅଧୀର ରଂଜନ କହିଛନ୍ତି। କୃଷି ମନ୍ତ୍ରୀ ନରେନ୍ଦ୍ର ତୋମର ଆଜି କହିଛନ୍ତି ଯେ କୃଷି ବିଲ୍‌କୁ ବିରୋଧ କରୁଥିବା କଂଗ୍ରେସର ଅସଲ ଚେହେରା ଏବେ ସାମ୍ନାକୁ ଆସିଛି। ବିଲ୍‌କୁ ନେଇ କଂଗ୍ରେସ ସଂସଦରେ ଗୋଟିଏ କଥା କହୁଥିବା ବେଳେ ସଂସଦ ବାହାରେ ଭିନ୍ନ କଥା କହୁଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର