୧୯୯୩ ମୁମ୍ବାଇ ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ୟୁଏଇରେ ଗିରଫ

ଭାରତକୁ ପ୍ରତ୍ୟର୍ପଣ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ: ଦୀର୍ଘ ୨୯ ବର୍ଷ ପୁଲିସ ଏବଂ ଭାରତୀୟ ସୁରକ୍ଷା ସଂସ୍ଥାଠାରୁ ଅପହଞ୍ଚ ରହିଥିବା ୧୯୯୩ ମୁମ୍ବାଇ ବିସ୍ଫୋରଣର ଜଣେ ମୁଖ୍ୟ ଅଭିଯୁକ୍ତ ଅବୁ ବକରକୁ ୟୁଏଇରେ ଗିରଫ କରାଯାଇଛି। ଭାରତୀୟ ତଦନ୍ତକାରୀ ସଂସ୍ଥା ସଠିକ୍‌ ସୂଚନା ଆଧାରରେ ବକରକୁ ଗିରଫ କରିଛନ୍ତି। ଦାଉଦ୍‌ ଇବ୍ରାହିମର ଘନିଷ୍ଠ ସହଯୋଗୀ ଅବୁ ବକରର ଭାରତକୁ ପ୍ରତ୍ୟର୍ପଣ ପ୍ରକ୍ରିୟା ଆରମ୍ଭ ହୋଇଛି। ୧୯୯୩ ବିସ୍ଫୋରଣର ଜଣେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ବକର ୟୁଏଇ, ପାକିସ୍ତାନରେ ଲୁଚି ରହିଥିଲା। ୧୯୯୭ରେ ତା’ ବିରୋଧରେ ଏକ ‘ରେଡ୍‌ କର୍ଣ୍ଣର୍‌ ନୋଟିସ୍‌’ ଜାରି ହୋଇଥିଲା। ଅବୁ ବକର୍‌ର ପୂରା ନାମ ଅବୁ ବକର ଅବଦୁଲ ଗଫୁର ଶେଖ।

ସେ ଉପସାଗରୀୟ ରାଷ୍ଟ୍ରରୁ ମୁମ୍ବାଇକୁ ସୁନା , ପୋଷାକ ଏବଂ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଚୋରା ଚାଲାଣ କାର୍ଯ୍ୟରେ ସମ୍ପୃକ୍ତ ଥିଲା। ବକରକୁ ୨୦୧୯ରେ ଠାବ କରାଯାଇଥିଲା। କିନ୍ତୁ ସେ ଗିରଫ ହୋଇପାରିନଥିଲା। ଉଲ୍ଲେଖଯୋଗ୍ୟ, ୧୨ ମାର୍ଚ୍ଚ ୧୯୯୩ରେ ୧୨ଟି ସିରିଜ୍‌ ଆତଙ୍କବାଦୀ ବିସ୍ଫୋରଣ ବମ୍ବେକୁ ଦୋହଲାଇ ଦେଇଥିଲା। ଏଥିଯୋଗୁଁ ୨୫୭ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୧୪୦୦ ଲୋକ ଆହତ ହୋଇଥିଲେ। ଦାଉଦ ଇବ୍ରାହିମ ଏହ‌ି ଆକ୍ରମଣ ଯୋଜନା କରିଥିଲା ଏବଂ ତା’ର ସହଯୋଗୀମାନେ ଏହାକୁ କାର୍ଯ୍ୟକାରୀ କରିଥିଲେ।

ସମ୍ବନ୍ଧିତ ଖବର