ମାଡ଼ିଚାଲିଛି ତାଲିବାନ, ଆଉ ୩ ରାଜଧାନୀ ଦଖଲ କଲା

କାବୁଲ: ଆଫଗାନିସ୍ତାନରେ ତାଲିବାନ ପ୍ରତିଦିନ ନୂଆ ଅଂଚଳ ନିଜ ଦଖଲକୁ ନେଉଛି। ୩ ଦିନ ଭିତରେ ‌୩ଟି ରାଜ୍ୟର ରାଜଧାନୀକୁ ସେମାନେ ନିଜ ଅକ୍ତିଆରକୁ ନେଇଛନ୍ତି। ସଦ୍ୟ ଆକ୍ରମଣରେ ସେମାନେ କୁନ୍ଦୁଜ ସହରକୁ ନିଜ ଅଧୀନକୁ ନେଇଛନ୍ତି। ରବିବାର ତାଲିବାନ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି, ସେମାନେ ଉକ୍ତ ସହରରେ ଥିବା ପୁଲିସ ମୁଖ୍ୟାଳୟ, ରାଜ୍ୟପାଳଙ୍କ ବାସଭବନ ପରିସର ଏବଂ ଜେଲକୁ ନିଜ ଅଧୀନକୁ ନେଇଛନ୍ତି। ତାଲିବାନର ଲଢ଼ୁଆ ବାହିନୀ ମଧ୍ୟ ସହରରେ ଉପସ୍ଥିତ ଥିବା ଜଣାଯାଇଛି। ଗତକାଲି ଅପରାହ୍ଣରୁ ତାଲିବାନ ଓ ସରକାରୀ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ଆରମ୍ଭ ହୋଇଛି।

ସେନା ଘାଟି ଏବଂ ବିମାନ ବନ୍ଦର କେବଳ ଆଫଗାନ ସୁରକ୍ଷା ବଳ ଅଧୀନରେ ଥିବାବେଳେ ଅନ୍ୟସବୁ ସରକାରୀ କାର୍ଯ୍ୟାଳୟ ତାଲିବାନ ନିକଟକୁ ଚାଲିଯାଇଛି ବୋଲି ‌କୁନ୍ଦୁଜ ପ୍ରଦେଶ ବିଧାନସଭାର ସଦସ୍ୟ ଅମରୁଦ୍ଦିନ ୱାଲି ସୂଚନା ଦେଇଛନ୍ତି। ସ୍ବାସ୍ଥ୍ୟ ଅଧିକାରୀଙ୍କ କହିବାନୁଯାୟୀ, ସଂଘର୍ଷରେ ୧୪ ଜଣଙ୍କ ମୃତ ଶରୀର ମିଳିଛି। ଏଥିସହିତ ୩୦ରୁ ଅଧିକ ବ୍ୟକ୍ତି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହାପୂର୍ବରୁ ନିମରୁଜ୍ ଏବଂ ଜଜାନ୍ ପ୍ରଦେଶକୁ ତାଲିବାନ ନିଜ ଅଧୀନକୁ ନେଇଛନ୍ତି। ଶନିବାର ଜଜାନର ରାଜଧାନୀ ସେବେରଘାନକୁ ଅଧୀନକୁ ନେଇଥିବାବେଳେ ତାହା ପୂର୍ବରୁ ନିମରୁଜ୍‌ର ରାଜଧାନୀ ଜରାଞ୍ଜକୁ ନିଜ ଅକ୍ତିଆରକୁ ନେଇଛନ୍ତି।

ସମ୍ବନ୍ଧିତ ଖବର