ଗୁଜରାଟର ୨ହସ୍ପିଟାଲ୍‌ରେ ମାସକରେ ୨୦୦ଶିଶୁଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ରାଜସ୍ଥାନର କୋଟାସ୍ଥିତ ଜେ.କେ. ଲୋନ୍‌ ସରକାରୀ ହସ୍ପିଟାଲ୍‌ରେ ଶତାଧିକ ଶିଶୁଙ୍କ ମୃତ୍ୟୁ ଘଟଣା ପରେ ଏବେ ଗୁଜରାଟର ଦୁଇଟି ହସ୍ପିଟାଲ୍‌ରେ ୨୦୦ ଶିଶୁଙ୍କ ମୃତ୍ୟୁ ଖବର ଚର୍ଚ୍ଚାର ପରିସରକୁ ଆସିଛି। ଗୁଜରାଟର ରାଜକୋଟ ଏବଂ ଅହମ୍ମଦାବାଦ ହସ୍ପିଟାଲ୍‌ରେ ଗତ ଡିସେମ୍ବର ମାସରେ ୨୦୦ ଶିଶୁଙ୍କ ମୃତ୍ୟୁ ହୋଇଛି। ରାଜକୋଟ ସରକାରୀ ହସ୍ପିଟାଲ୍‌ରେ ୧୩୪ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିବା ବେଳେ ଅହମ୍ମଦାବାଦ ସରକାରୀ ହସ୍ପିଟାଲ୍‌ରେ ୮୫ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି। ‌ତେବେ ଏହି ଦୁଇ ହସ୍ପିଟାଲ୍‌ରେ ୨୦୦ ଶିଶୁଙ୍କର ମୃତ୍ୟୁ ହୋଇଥିବା ବେଳେ ଏଠାକୁ କାହିଁକି କେନ୍ଦ୍ର ସରକାରଙ୍କ ପ୍ରତିନିଧି ଦଳ ଆସୁନାହାନ୍ତି ବୋଲି ଅଖିଳ ଭାରତୀୟ ମହିଳା କଂଗ୍ରେସ ସଭାପତି ସୁଚିସ୍ମିତା ଦେବ ପ୍ରଶ୍ନ କରିଛନ୍ତି। ଗୁଜୁରାଟର ଦୁଇ ହସ୍ପିଟାଲ୍‌ରେ ଶିଶୁ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କାହିଁକି ଚୁପ୍‌ ବୋଲି ସେ ପ୍ରଶ୍ନ କରିଛନ୍ତି। ଗୁଜରାଟର ଦୁଇଟି ହସ୍ପିଟାଲ୍‌ରେ ୨୦୦ ଶିଶୁ ମୃତ୍ୟୁ ହୋଇଥିଲେ ମଧ୍ୟ ଜାତୀୟ ଗଣମାଧ୍ୟମ ଏ ନେଇ ଚୁପ୍‌ ରହିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି। ଅପରପକ୍ଷେ, ରାଜସ୍ଥାନର କୋଟା ସରକାରୀ ହସ୍ପିଟାଲ୍‌ରେ ଶିଶୁ ମୃତ୍ୟୁକୁ ନେଇ କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ଜାତୀୟ ଗଣମାଧ୍ୟମ ଯେଉଁଭଳି ବ୍ୟସ୍ତତା ପ୍ରକାଶ କରିଛନ୍ତି ତାହା ଗୁଜରାଟ କ୍ଷେତ୍ରରେ କୁଆଡ଼େ ଗଲା ବୋଲି ସୁଚିସ୍ମିତା ପ୍ରଶ୍ନ କରିଛନ୍ତି।

ରାଜକୋଟ ସରକାରୀ ହସ୍ପିଟାଲ୍‌ରେ ଗତ ଡିସେମ୍ବର ମାସରେ ୧୧୧ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି ବୋଲି ରାଜକୋଟ ସରକାରୀ ହସ୍ପିଟାଲ୍‌ର ଡିନ୍‌ ମନୀଷ ମେହେଟା କହିଛନ୍ତି। ସେହିଭଳି ଅହମ୍ମଦାବାଦ ସରକାରୀ ହସ୍ପିଟାଲ୍‌ରେ ଗତ ଡିସେମ୍ବର‌ ମାସରେ ମୋଟ ୪୫୫ ଜଣ ନବଜାତ ଶିଶୁ ଚିକିତ୍ସିତ ହୋଇଥିବାବେଳେ ସେଥିମଧ୍ୟରୁ ୮୫ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି ବୋଲି ଅହମ୍ମଦାବାଦ ସରକାରୀ ହସ୍ପିଟାଲ୍‌ର ସୁପରିଟେଣ୍ଡେଣ୍ଟ ଜି.ଏସ୍‌. ରାଠୋର୍‌ କହିଛନ୍ତି।

ସମ୍ବନ୍ଧିତ ଖବର