୩୫ କୋଟି ଟଙ୍କା ଜବତ ପରେ ମନ୍ତ୍ରୀଙ୍କ ସହଯୋଗୀ ଓ ତାଙ୍କ ଘରୋଇ ସହାୟକ ଗିରଫ

ରାଞ୍ଚି: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର ଚଢ଼ଉ କରି ୩୫ କୋଟି ଟଙ୍କା ଜବତ କରିବା ପରେ ଝାଡ଼ଖଣ୍ଡ ମନ୍ତ୍ରୀ ଆଲମଗିର ଆଲାମଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ଲାଲ ଏବଂ ତାଙ୍କ ଘରୋଇ ସହାୟକ ଜାହାଙ୍ଗୀରଙ୍କୁ ଆଜି ଗିରଫ କରିଛି। ଏହି ଦୁଇ ଜଣଙ୍କୁ ପଚରାଉଚରା ପରେ ମନିଲଣ୍ଡରିଂ ନିବାରଣ ଆଇନ (ପିଏମଏଲଏ)ର ଧାରା ଅନୁଯାୟୀ ଗିରଫ କରାଯାଇଛି। ମଙ୍ଗଳବାର ଲାଲ ଓ ଜାହାଙ୍ଗୀରଙ୍କୁ କୋର୍ଟଚାଲାଣ କରାଯିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସେମାନଙ୍କୁ ରିମାଣ୍ଡରେ ନେଇଛି। ଅନ୍ୟପକ୍ଷରେ ୭୦ ବର୍ଷୀୟ କଂଗ୍ରେସ ନେତା ତଥା ଝାଡ଼ଖଣ୍ଡର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଆଲାମ କୌଣସି ଭୁଲ୍ କାର୍ଯ୍ୟକୁ ଅସ୍ୱୀକାର କରିଛନ୍ତି।

୨୦୨୩ ଫେବ୍ରୁଆରିରେ ଗିରଫ ହୋଇଥିବା ଝାଡ଼ଖଣ୍ଡ ଗ୍ରାମ୍ୟ ଉନ୍ନୟନ ବିଭାଗର ପୂର୍ବତନ ମୁଖ୍ୟ ଯନ୍ତ୍ରୀ ବୀରେନ୍ଦ୍ର କେ ରାମଙ୍କ ବିରୋଧରେ ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସୋମବାର ରାଞ୍ଚିରେ ଲାଲଙ୍କ ଘରୋଇ ସହାୟକଙ୍କ ଏକ ଫ୍ଲାଟ୍ ସମେତ ଏକାଧିକ ସ୍ଥାନରେ ଚଢ଼ଉ କରିଥିଲା। ମନ୍ତ୍ରୀଙ୍କ ବିଭାଗରେ କେତେକ ଯୋଜନା କାର୍ଯ୍ୟକାରୀ କରିବାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଜାହାଙ୍ଗୀରଙ୍କ ଘରୁ ବିପୁଳ ପରିମାଣର ନଗଦ ଟଙ୍କା, ଅଳଙ୍କାର ଏବଂ ଏକ ବିଳାସପୂର୍ଣ୍ଣ ଏସ୍‌ୟୁଭି ଜବତ ହେବା ବ୍ୟତୀତ ଝାଡ଼ଖଣ୍ଡ ଗ୍ରାମ୍ୟ ଉନ୍ନୟନ ବିଭାଗରେ ଠିକାଦାର ଭାବେ କାମ କରୁଥିବା ବିଲ୍ଡର ମୁନ୍ନା ସିଂହଙ୍କ ଅନ୍ୟ ଏକ ସ୍ଥାନରୁ ୩ କୋଟି ଟଙ୍କା ମଧ୍ୟ ତଦନ୍ତକାରୀ ସଂସ୍ଥା ଜବତ କରିଛି। ଝାଡ଼ଖଣ୍ଡ ଦୁର୍ନୀତି ନିବାରଣ ବ୍ୟୁରୋ (ଏସିବି)ର ଅଭିଯୋଗ ପରେ ବୀରେନ୍ଦ୍ର କେ ରାମଙ୍କ ବିରୋଧରେ ମନିଲଣ୍ଡରିଂ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର