ଜାମିନ ପାଇ‌ଲେ ବି ସରକାରୀ କାମ କରିପାରିବେନି କେଜ୍ରିୱାଲ

ସୁପ୍ରିମ୍‌କୋର୍ଟରେ ୯ରେ ପୁଣି ଶୁଣାଣି

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଵାଲଙ୍କ ଜାମିନ ଆବେଦନ ଉପରେ ଆଜି ସୁପ୍ରିମ୍‌କୋର୍ଟ ଶୁଣାଣି କରିଛନ୍ତି। ତେବେ ରାୟ ପ୍ରକାଶ ପାଇନାହିଁ। ସୁପ୍ରିମ୍‌କୋର୍ଟ କହିଛନ୍ତି, ଯଦି ଅନ୍ତରୀଣ ଜାମିନରେ କେଜ୍ରିୱାଲଙ୍କୁ ମୁକ୍ତ କରାଯାଏ, ତେବେ ତାଙ୍କୁ ସରକାରୀ ଦାୟିତ୍ବ ନିର୍ବାହ କରିବାକୁ ଅନୁମତି ଦିଆଯିବ ନାହିଁ। ସ୍ବାଭାବିକ ଭାବେ ମୁଖ୍ୟମନ୍ତ୍ରୀ ଦାୟିତ୍ବ ନିର୍ବାହ କରିବାକୁ ସୁଯୋଗ ଦିଆଗଲେ ଏହାର ବ୍ୟାପକ ପ୍ରଭାବ ପଡ଼ିପାରେ ବୋଲି କୋର୍ଟ ମତ ଦେଇଛନ୍ତି। ଜାମିନ ମାମଲାରେ କେଜ୍ରିୱାଲଙ୍କୁ ତୁରନ୍ତ ଆଶ୍ୱସ୍ତି ମିଳିନଥିବା ବେଳେ ଏ ବାବଦ ରାୟ ଆସନ୍ତ ୯ ତାରିଖ ଶୁଣାଣିରେ ପ୍ରକାଶ ପାଇପାରେ ବୋଲି ଅନୁମାନ କରାଯାଉଛି। ଅନ୍ୟପକ୍ଷରେ ମଦ ଦୁର୍ନୀତି ମାମଲାରେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ଆପ୍‌ ସୁପ୍ରିମୋ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତକୁ ମେ ୨୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ମଧ୍ୟ କେତେକ କଡ଼ା ପ୍ରଶ୍ନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଜେରାରେ କାହିଁକି ବିଳମ୍ବ ଘଟିଲା ଏବଂ ତଦନ୍ତ ପ୍ରକ୍ରିୟାରେ ଏହି ଗିରଫଦାରୀ ନିର୍ବାଚନ ପୂର୍ବରୁ କିଭଳି ହେଲା ବୋଲି ଖଣ୍ଡପୀଠ ପଚାରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଲଢ଼ୁଥିବା ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘଭିଙ୍କୁ ମଧ୍ୟ ଖଣ୍ଡପୀଠ କହିଥିଲେ ଯେ କେଜ୍ରିୱାଲ ଅନ୍ତରୀଣ ଜାମିନରେ ମୁକ୍ତ ହେଲେ ତାଙ୍କର ସରକାରୀ କାର୍ଯ୍ୟକ୍ରମ କିଭଳି ରହିବ ତାହା ସ୍ପଷ୍ଟ କରନ୍ତୁ। ଏହାର ଜବାବରେ ସିଂଘଭି କହିଥିଲେ, କେଜ୍ରିୱାଲ ଅବକାରୀ ମାମଲାରେ ହସ୍ତକ୍ଷେପ କରିବେ ନାହିଁ ଏବଂ ସେ ଜଣେ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ କାର୍ଯ୍ୟ ସଂପାଦନ କରିବେ। ଖଣ୍ଡପୀଠ କହିଥିଲେ ଯେ ଯଦି ଆପ୍ ମୁଖ୍ୟଙ୍କୁ ଜାମିନ ଦିଆଯିବ ତା’ହେଲେ ତାଙ୍କୁ କୌଣସି ସରକାରୀ କାମ କରିବାକୁ ସୁଯୋଗ ମିଳିବ ନାହିଁ। ଆପଣ କେବଳ ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ଚାହୁଁଛନ୍ତି ଏବଂ ଏହା ଆପଣଙ୍କ ଇଚ୍ଛା। ଆମେ କେବଳ ନିର୍ବାଚନ କାରଣରୁ ଅନ୍ତରୀଣ ଜାମିନ ଉପରେ ବିଚାର କରୁଛୁ, ନଚେତ୍ ଆମେ ଏହାକୁ ଆଦୌ ବିଚାର କରିନଥାନ୍ତୁ ବୋଲି ଖଣ୍ଡପୀଠ କହିଥିଲେ। କେଜ୍ରିୱାଲ ୬ ମାସରେ ୯ଟି ସମନ ଏଡ଼ାଇଥିବାରୁ ତାଙ୍କୁ ଜେରାରେ ବିଳମ୍ବ ପାଇଁ ଇଡିକୁ ଦାୟୀ କରାଯାଇପାରିବ ନାହିଁ ବୋଲି ଅତିରିକ୍ତ ସଲିସିଟର ଜେନେରାଲ ଏସ୍‌ଭି ରାଜୁ ଯୁକ୍ତି ରଖିଥିଲେ ଏବଂ ଜାମିନ ମିଳିବା ଉଚିତ ନୁହେଁ ବୋଲି କହିଥିଲେ।

ସମ୍ବନ୍ଧିତ ଖବର